ଭୁବନେଶ୍ବର: ବିଭିନ୍ନ ବ୍ୟବସାୟ ଆଳରେ ୨୮ଟି ସଂସ୍ଥା ଓ କିଛି ଲୋକଙ୍କୁ ଚୂନ ଲଗାଇ ପ୍ରାୟ ୩ କୋଟି ଟଙ୍କା ଚଳୁ କରିଥିବା ବାପା-ପୁଅଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଲେ ଶାରଦା ଗୋବର୍ଦ୍ଧନଦାସ ଶାହା, ତାଙ୍କ ଦୁଇ ପୁଅ ସଚିନ୍ ଓ ସନ୍ଦୀପ। ସେମାନେ ଖଣ୍ଡଗିରିସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। କିନ୍ତୁ ଗତ ୩ ମାସ ହେଲା ଫେରାର୍ ହୋଇଯାଇଛନ୍ତି।
ଦେବଜ୍ୟୋତି ମିଲ୍ର ମାଲିକଙ୍କ ଅଭିଯୋଗ ଅନୁସାରେ ପ୍ରାୟ ଦେଢ଼ବର୍ଷ ପୂର୍ବେ ସେ ଗୋବର୍ଦ୍ଧନଦାସ ଶାହାଙ୍କ ସହିତ ଯୋଗାଯୋଗ କରିଥିଲେ। ମିଲ୍ରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ସେ ଗୋବର୍ଦ୍ଧନଙ୍କ ସଂସ୍ଥା ଆଦିତ୍ୟ ଟେକ୍ନୋ ସର୍ଭିସ ସହ ଚୁକ୍ତି କରିଥିଲେ ଏବଂ ତାଙ୍କୁ ୩୦ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ନେବା ପରେ ଗୋବର୍ଦ୍ଧନ ଆଉ ଧରାଛୁଆଁ ଦେଇନଥିଲେ। କିନ୍ତୁ ଗୋବର୍ଦ୍ଧନଙ୍କ ୨ ପୁଅ ସଚିନ ଓ ସନ୍ଦୀପ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ କହି ପୁଣି କିଛି ଟଙ୍କା ନେଇଥିଲେ। ଏହା ପରେ ବାପା କି ପୁଅ କାହାର ଦେଖାଦର୍ଶନ ମିଳିନଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଜଣାପଡ଼ିଛି ଯେ ବାପା ଓ ପୁଅଦ୍ବୟ କାହାକୁ ଜମି ଦେବ କହି ଠକେଇ କରିଛନ୍ତି ତ କାହାକୁ ଆପାର୍ଟମେଣ୍ଟ ଦେବାକୁ କହି ଠକିଛନ୍ତି। ଖଣ୍ଡଗିରି ଥାନା ପୁଲିସ ଜାଗମରାସ୍ଥିତ ଶାନ୍ତି ଭବନରେ ଚଢ଼ଉ କରି ଖାଲି ହାତରେ ଫେରିଛି।