ଘରେ ପଶି ବାପ-ପୁଅଙ୍କୁ ହାଣିଲେ

ସାହସର ସହ ମୁକାବିଲା ଯୋଗୁ ଡକାୟତି ଉଦ୍ୟମ ବିଫଳ

ଭୁବନେଶ୍ବର : ରାଜଧାନୀରେ ଘଟିଛି ଲୋମଟାଙ୍କୁରା ଘଟଣା। ରାତି ଅଧରେ ଘରେ ପଶି ବାପ-ପୁଅଙ୍କୁ ହାଣି ଡକାୟତି ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଉଭୟଙ୍କର ମୁଣ୍ଡ, ନାକ, ହାତରେ ବାଜିଛି ଭୁଜାଲି ଚୋଟ। ଘରର ମହିଳା ସଦସ୍ୟ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ପ୍ରତିବାଦ କରିବାରୁ ଭୁଜାଲି ଚୋଟରେ ଗୃହକର୍ତ୍ତାଙ୍କ ପତ୍ନୀ ଲହୁଲୁହାଣ ହୋଇଛନ୍ତି। ବାପା-ମା-ପୁଅ ତିନି ଜଣ ସଶସ୍ତ୍ର ଡକାୟତଙ୍କ ସହ ୪୦ ମିନିଟ କାଳ ମୁକାବିଲା କରିବାରୁ ଏକ ବଡ଼ ଡକାୟତି ଉଦ୍ୟମ ବିଫଳ ହୋଇଛି। ଡକାୟତମାନେ କିଛି ନେଇ ନ ପାରି ଫେରାର ହୋଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଇନ୍‌ଫୋସିଟି ଥାନା ଅଧୀନ କଳାରାହାଙ୍ଗ ମହାନ୍ତି ଗାଡ଼ିଆରେ ଘଟିଛି ଏହି ଅଘଟଣ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ରେଳ ଫାଟକ ପରେ ଏହି ଅଞ୍ଚଳ ରହିଥିବା ବେଳେ ଦିନଟିଏ ହେଲେ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ଏହି ଅଞ୍ଚଳକୁ ଆସୁ ନ ଥିବା ଲୋକେ କହିଛନ୍ତି। ଅନ୍ୟପଟେ ଡକାୟତମାନେ ଗଲାବେଳେ ପୁଣି ଫେରିବେ ବୋଲି କହି ଯାଇଥିବାରୁ ପରିବାର ଲୋକ ଏବେ ଆତଙ୍କିତ ହୋଇପଡ଼ିଛନ୍ତି।

୮ ଜଣ ସଶସ୍ତ୍ର ଡକାୟତଙ୍କ ସହ ପାଖାପାଖି ୪୦ ମିନିଟ ସଂଘର୍ଷ କରିବା ପରେ ଲହୁଲୁହାଣ ହୋଇଥିବା ବାପ-ପୁଅ ହେଉଛନ୍ତି ଟ୍ରେଡ୍ ୟୁନିଅନ୍ ନେତା ଯତିକାନ୍ତ ବେହେରା ଓ ଶିବାଶିଷ ବେହେରା। ରବିବାର ରାତି ପ୍ରାୟ ୨ଟାରେ ଘର କବାଟ ଭାଙ୍ଗି ୮ ଜଣ ଡକାୟତ ଘରେ ପଶି ଥିଲେ। ତଳ ଘରେ ଶୋଇଥିବା ଯତିକାନ୍ତ ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀଙ୍କୁ ପ୍ରଥମେ ବାନ୍ଧି ପକାଇଥିଲେ। ପାଟିରେ କନା ଗୁଡାଇ ଦେଇଥିଲେ। ବାନ୍ଧିବା ସମୟରେ ଯତିକାନ୍ତ ଡକାୟତଙ୍କ ସହ ଲଢ଼େଇ କରିଥିଲେ। ହେଲେ ଉଭୟ ପତି-ପତ୍ନୀଙ୍କୁ ମାଡ଼ ମାରି ବାନ୍ଧିବାରେ ଡକାୟତ ସମର୍ଥ ହୋଇଥିଲେ। ଦମ୍ପତ୍ତିଙ୍କୁ ଆଲମାରି ଚାବି ମାଗି ଆଲମାରି ତାଡ଼ିଥିଲେ। ତେବେ ଜ୍ୟୋତ୍ସ୍ନାଙ୍କ ପାଟିରୁ କପଡ଼ା ଖିସ ଯିବାରୁ ସେ ଚିତ୍କାର କରି ଉପର ଘରେ ଶୋଇଥିବା ପୁଅକୁ ଡାକିଥିଲେ। ଶିବାଶିଷ ତଳକୁ ଆସି ଡକାୟତଙ୍କୁ ପ୍ରତିରୋଧ କରିଥି‌ଲେ। ହେଲେ ୩ ଡକାୟତ ଭୁଜାଲିରେ ବାପ-ପୁଅଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ। ଘର ସାରା ରକ୍ତ ଭାସୁଥିଲା। ଜ୍ୟୋତ୍ସ୍ନା ଚିତ୍କାର କରି ଚାଲିଥିବାରୁ କଲୋନି ବାସିନ୍ଦା ଉଠିଯିବା ଭୟରେ ଡକାୟତ ଦଉଡ଼ି ପଳାଇଥିଲେ। ରାତି ଅଧରେ ତିନି ଜଣଙ୍କୁ ମେଡିକାଲ ନିଆଯାଇଥିଲା। ଡକାୟତ ଲୁଟପାଟରେ ସଫଳ ହୋଇନଥିଲେ ହେଁ ରାଜଧାନୀର ଛାତି ଉପରେ ଏପରି ଛାତିଥରା ଘଟଣା ପୁଣି କମିସନରେଟ୍‌ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି।

ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜଧାନୀରେ ଏଭଳି ଢଙ୍ଗରେ ଡକାୟତି କରୁଥିବା ଏକ ବାଂଲାଦେଶୀ ଗ୍ୟାଙ୍ଗ୍‌କୁ ଦିଲ୍ଲୀ ପୁଲିସ ଧରିଥିବା ବେଳେ ସେଭଳି ଏକ ଗ୍ୟାଙ୍ଗ୍‌ ଏହି ଘଟଣାରେ ସମ୍ପୃକ୍ତ ବୋଲି ପୁଲିସ ସନ୍ଦେହ କରୁଛି। ଏବେ ସୁଦ୍ଧା ଡକାୟତଙ୍କର କୌଣସି ସୂଚନା ପୁଲିସ ପାଇନାହିଁ। ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଯାଇଥିବା ଇନ୍‌ଫୋସିଟି ଥାନା କହିଛି। ଅନ୍ୟପଟେ ଡକାୟତି ପାଇଁ ନୁହେଁ, ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୁଲିସ ସୁରାକ୍‌ ପାଇଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର