ଭୁବନେଶ୍ବର: ବାପା ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତ ହେଲା ନୂଆପଲ୍ଲୀ ନୂଆସାହି ଅଞ୍ଚଳରେ ରହୁଥିବା ମହେଶ୍ବର ପାତ୍ରଙ୍କ ପୁଅ ସୋହମ୍‌ଶ୍ରୀ(୨୧)। ପୁଲିସ ତା’ଠାରୁ ଏକ ପିସ୍ତଲ ଓ ୨ଟି ଗୁଳି ଜବତ କରିଛି। ସୋହମ୍‌ କେଉଁଠୁ ବନ୍ଧୁକ ଓ ଗୁଳି ପାଇଲା, କେଉଁ ଉଦ୍ଦେଶ୍ୟରେ ସେ ବନ୍ଧୁକ ରଖିଥିଲା, ସେନେଇ ପୁଲିସ ଖୋଳତାଡ଼ କରୁଛି। ପାରିବାରିକ କଳହକୁ କେନ୍ଦ୍ର କରି ସୋହମ୍‌ ଏଭଳି କାଣ୍ଡ ଭିଆଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

Advertisment

ପୁଲିସ ସୂଚନା ମୁତାବକ ଅଭିଯୋଗକାରୀ ମହେଶ୍ବର ସପରିବାର ନୂଆସାହି ଅଞ୍ଚଳରେ ରହୁଛନ୍ତି। ମହେଶ୍ବର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବହୁ ଦିନ ଧରି କଳହ ଲାଗି ରହିଛି। ଏକାଠି ରହୁଥିଲେ ହେଁ ସେମାନଙ୍କ ମଧ୍ୟରେ କଳିଝଗଡ଼ା ଏକ ନିତିଦିନିଆ ଘଟଣା ପାଲଟିଥିଲା। ପୁଅ ସୋହମ୍‌ ସବୁବେଳେ ମାଆ ପକ୍ଷରେ ରହୁଥିଲା। ଗୁରୁବାର ବିଳମ୍ବିତ ରାତିରେ ପୁଣି କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୋହମ୍‌, ମହେଶ୍ବରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲା। ଏନେଇ ମହେଶ୍ବର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି।