୪ ଝିଅଙ୍କୁ ବାପ ଛେଉଣ୍ଡ କରିଦେଲା କର୍କଟ

ସାହା ହେବ କିଏ?

ଭୁବନେଶ୍ୱର: ମୁଁ ଆଉ ବଞ୍ଚିବିନି। ତୁ କାମ ପାଇଟି କରିବୁ। ମୋ ୪ ଝିଅଙ୍କୁ ଗେଲବସରରେ ବଢ଼େଇବୁ। ଖାଇବା ପିଇବାରେ ଉଣା ରଖିବୁନି। କାନ୍ଦ ମାଡ଼ିଲେ ବି କାନ୍ଦିବୁନି। ଦେଢ଼ ବର୍ଷ କର୍କଟ ସହ ଲଢ଼େଇ କରି ହାରିଯିବା ପରେ ମୃତ୍ୟୁ ପୂର୍ବରୁ ନିଜ ପିଲାମାନଙ୍କ ଉଦ୍ଦେଶ୍ୟରେ ପତ୍ନୀଙ୍କ ଆଗରେ ଏମିତି ପ୍ରତିଶ୍ରୁତି ରଖି ଆରପୂରକୁ ଚାଲି ଯାଇଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ। ସ୍ୱାମୀଙ୍କୁ ହରାଇବା ପରେ ୪ କୁନି ଝିଅଙ୍କୁ ନେଇ କେମିତି ଚଳିବେ ସେନେଇ ଏବେ ବିଧବା ସୁମିତ୍ରା(ସୁମି)ଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସ୍ୱାମୀ ସିନା ନିଜ ମନର କଥା କହି ଚାଲିଗଲେ, ହେଲେ ଜାଣିପାରିଲେନି ସୁମି ମୁଣ୍ଡରେ ଲଦି ଦେଇ ଯାଉଥିବା ଚାରିଚାରିଟି କୁନି ଝିଅର ବୋଝ। ୪ ଝିଅଙ୍କୁ ନେଇ କେମିତି ସଂସାର ଭାରକୁ ବୋହିବେ ସେଇ କଥା ଭାବିଭାବି ସୁମିଙ୍କୁ ଆଖିରୁ ଲୁହ ଶୁଖୁନି।

୨୦୦୮ରେ ପୂର୍ଣ୍ଣଚନ୍ଦ୍ର ଓ ସୁମି ପରସ୍ପରକୁ ଭଲ ପାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପୂର୍ଣ୍ଣଙ୍କ ଘରେ ଏହି ବିବାହକୁ ଅନୁମତି ଦେଲେନି। ତେଣୁ ଦିହେଁ ଘରୁ ଲୁଚି ଭୁବନେଶ୍ୱର ଚାଲି ଆସିଥିଲେ। ବିବାହ କରି ଏକାଠି ନୂଆ ଜୀବନ ଆରମ୍ଭ କରିଥିଲେ। ସାଲିଆ ସାହିରେ ଜାଗା କିଣି ଘରଟିଏ କଲେ। ଅଟୋ ଚଳାଇ ପୂର୍ଣ୍ଣ ପରିବାର ପୋଷୁଥିଲେ। ହେଲେ ୨୦୧୬ ଶେଷ ଭାଗରେ ସେ କ୍ୟାନ୍‌ସରରେ ଆକ୍ରାନ୍ତ ହେଲେ। ଏଥିରୁ ମୁକୁଳିବା ପାଇଁ ପୂର୍ଣ୍ଣଙ୍କ ପତ୍ନୀ ସୁମି ଘର ବନ୍ଧା ପକେଇଲେ, ଅନ୍ୟ ପାଖରେ ହାତ ପତେଇ ପୂର୍ଣ୍ଣଙ୍କର ଚିକିତ୍ସା କଲେ। ହେଲେ ପରେ ଆଉ ସାହାଯ୍ୟ ମିଳିଲାନି। ଫଳରେ ସୁମି ସ୍ୱାମୀଙ୍କ ପାଇଁ ଔଷଧ ବି ଯୋଗାଡ଼ କରି ପାରିଲେନି। ଫଳରେ ପୂର୍ଣ୍ଣ ଏଇ କିଛି ଦିନ ତଳେ ସବୁଦିନ ପାଇଁ ଆଖି ବୁଜିଦେଲେ। ପୂର୍ଣ୍ଣ ଭଲ ପାଇ ବାହା ହୋଇଥିଲେ ବୋଲି ପୂର୍ଣ୍ଣଙ୍କ ପରିବାର ଲୋକ ୪ ପିଲାଙ୍କୁ ବି ଏ ଅସମୟରେ ଆପଣେଇ ନେବାକୁ ଧାଇଁ ଆସି ନାହାନ୍ତି। ବରଂ ପୂର୍ଣ୍ଣଙ୍କୁ ଭଲ ପାଇ ଯେ ସୁମି ଏକ ଅପରାଧ କରିଛନ୍ତି ତାହା ଯେମିତି ଭାବି ନେଇଛନ୍ତି ସୁମିଙ୍କ ଶାଶୂଘର। ଏ ଅସମୟରେ ସୁମିର ବାପା ମା’ ତାଙ୍କୁ ସାହସ ଦେବା ପାଇଁ ଆଗେଇ ଆସିଛନ୍ତି। କିନ୍ତୁ ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନୁହନ୍ତି। ଏଣେ ସୁମିଙ୍କ ୪ ଝିଅ ହରପ୍ରିୟା(୧୦), ଆଂଶିକା(୭), ସମିନା(୫), ସମ୍ରେନା(୪) ବି ବାପାଙ୍କୁ ହରାଇ ପୂରା ଆବାକ୍‌ ହୋଇଯାଇଛନ୍ତି। ପୂର୍ଣ୍ଣ ସିନା ପର କରି ସବୁଦିନ ପାଇଁ ଚାଲିଗଲେ କିନ୍ତୁ ମରିବା ପୂର୍ବରୁ ବନ୍ଧା ପଡ଼ିଥିବା ଘରଟିକୁ ମୁକାଳି ଦେଇଛନ୍ତି। ହେଲେ ଚାରି ଝିଅଙ୍କୁ ପାଳିବା ପାଇଁ ବେସାହାରା ହୋଇ ପଡ଼ିଥିବା ସୁମିତ୍ରା ଚାକିରିଟିଏ ପାଇଁ ଅଳି କରିଛନ୍ତି। ନିଜ ସଂସାରକୁ ବାହି ନେବା ପାଇଁ ସେ ସହରର ବଡ଼ବଡ଼ ବାବୁମାନଙ୍କ ନିକଟରେ ନେହୁରା ହୋଇଛନ୍ତି। ନିଜ ପାଇଁ ନୁହେଁ ବରଂ ବାପ ଛେଉଣ୍ଡ ହୋଇ ଯାଇଥିବା ୪ ଛୁଆଙ୍କ ପେଟ ଓ ପାଠ ପାଇଁ। ସୁମିଙ୍କୁ ମାନବିକତାର ହାତଟିଏ ବଢ଼ାଇବା ପାଇଁ ତାଙ୍କୁ ମୋବାଇଲ୍‌ ନଂ ୯୬୫୮୮୪୪୬୪୩ରେ ଯୋଗାଯୋଗ କରିବାକୁ ନିବେଦନ। ଏବେ ୩ ଝିଅ ସିନା ବାପାଙ୍କ ମୃତ୍ୟୁ ହୋଇଛି ବୋଲି ଜାଣି ସାରିଲେଣି, କିନ୍ତୁ ସାନ ଝିଅ ସମ୍ରେନା (ଟିଙ୍ଗିରି) ଏବେ ବି ପଚାରୁଛି, ବାପା କୁଆଡ଼େ ଗଲେ। ଅମାନିଆ ହେଇ କହୁଛି, ଟିକେ ବାପାଙ୍କୁ ଫୋନ୍‌ ଦଉନ, ମୁଁ କଥା ହେବି। ତାଙ୍କୁ ଚକ୍‌ଲେଟ୍‌ ଆଉ କୁର୍‌କୁରେ ଆଣିବାକୁ କହିବି। ହେଲେ ତା’ର ଏ ଅବୋଧ ଓ ଅଝଟିଆ ପ୍ରଶ୍ନର ଉତ୍ତର ଦେଇ କିଏ ବୁଝେଇ କହିବ ଯେ ତା ବାପା ଆଉ ଏ ଦୁନିଆରେ ନାହାନ୍ତି ବୋଲି…

ସମ୍ବନ୍ଧିତ ଖବର