ଭୁବନେଶ୍ବର: ଋଣ ଟଙ୍କା ମାଗିବାରୁ ଠେଙ୍ଗାରେ ନିସ୍ତୁକ ପିଟିଲା। ଏମିତି କି ମହିଳାଙ୍କୁ ଅସଦାଚରଣ କରିବାକୁ ପଛାଇଲା ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସହିଦନଗର ଥାନା ବାୟାବାବା ମଠ ଅଞ୍ଚଳରେ। ଘଟଣାରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ବାୟାବାବ ମଠ ଅଞ୍ଚଳର ପୃଥିବୀ ଭୋଳ(୩୩)।
ସୂଚନା ମୁତାବକ, କିଛିଦିନ ତଳେ ପୃଥିବୀ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କଠାରୁ କିଛି ଟଙ୍କା ଧାର ନେଇଥିଲା। ହେଲେ ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ଗତ ୧୩ ତାରିଖ ଦିନ ଯୁବକ ଜଣକ ପୃଥିବୀଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୃଥିବୀ ରାଗିଯାଇ ଘରୁ ଏକ ଠେଙ୍ଗା ଆଣି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଜ୍ବାଇଁକୁ ମାଡ଼ମାରୁଥିବା ଦେଖି ଯୁବକଙ୍କ ଶ୍ବଶୂର ଧାଇଁ ଆସିଥିଲେ। ତାଙ୍କୁ ବି ଆକ୍ରମଣ କରିଥିଲା। ଖାଲି ଏତିକି ନୁହେଁ ଯୁବକଙ୍କ ପତ୍ନୀ ଅଟକାଇବାକୁ ଆସିବାରୁ ତାଙ୍କୁ ଟଣାଓଟରା କରି ଅସଦାଚରଣ କରିଥିଲା। ଯାହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବରାପାଇ ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଊଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ଏନେଇ ଯୁବକଙ୍କ ପତ୍ନୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରିବା ସହ ଆଜି ପୁଲିସ ପୃଥିବୀକୁ ଗିରଫ କରି କୋର୍ଟଚାଲାଣ କରିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp