ଭୁବନେଶ୍ୱର: ଶିଶୁ ଅଧିକାର ରକ୍ଷା କରିବା ବାପା ମା’ଙ୍କ ପ୍ରଥମ କର୍ତବ୍ୟ ବୋଲି ଆଜି ଆଶାକିରଣ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଶିଶୁ ଉତ୍ସବ-୨୦୧୭ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶିଶୁ ଦିବସ ଉପଲକ୍ଷେ ଆଜି ସକାଳେ ସଂଗଠନ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ଏହାକୁ ଶ୍ରୀ ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ପତାକା ହଲାଇ ଶୁଭାରମ୍ଭ କରିଥିବାବେଳେ ଏଥିରେ ଶତାଧିକ ଶିଶୁ, ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ। ପରେ ଜନତା ମଇଦାନରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଶିଶୁ ଅଧିକାର ରକ୍ଷା କରିବା କହିବା ସହଜ। ହେଲେ ଏହାକୁ ଆମେ କେତେ ପର୍ଯ୍ୟନ୍ତ ରକ୍ଷା କରିପାରୁଛୁ କେବେ କେହି ପଚାରିଛନ୍ତି କି? କାରଣ ଆଜିକାଲି କେତେକ ବାପା ମା’ ମାନସିକ ବିକୃତି ହେଉ କି ଅନ୍ୟ କୌଣସି କାରଣରୁ ହେଉ ଶୈଶବରୁ ପିଲାମାନଙ୍କୁ ଅବହେଳା କରନ୍ତି। ଯେଉଁ ପିଲାମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆମେ ସେହି ପିଲାଙ୍କ ପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ଆମେ ସମେସ୍ତ ଏକାଠି ହେଲେ ଏସବୁର ସମାଧାନ ସମ୍ଭବ। ଏଥିପାଇଁ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବନିର୍ମାଣ କୃଷକ ସଂଘର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର, ସମାଜସେବୀ ମୀରା ପରିଡ଼ା, ସୁଲତା ଦେଓ, ଲୋରା ମହାପାତ୍ର ଓ ତାମିଲ ଅଭିନେତା ଉଦୟ ପ୍ରମୁଖ ଯୋଗଦେଇ ଶିଶୁ ଅଧିକାର ଉପରେ ନିଜର ମତ ରଖିଥିଲେ।
ଏହି ଅବସରେ ଗଣଦୌଡ଼ ସମେତ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାଛଡ଼ା ଗଣଦୌଡ଼ରେ ସହଯୋଗ କରିଥିବା ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ ସମ୍ବର୍ଦ୍ଧିିିତ କରାଯାଇଥିଲା। ଆଶାକିରଣ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ପ୍ରତାପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଗଠନର ଆବାହକ ସଚିନ ମହାପାତ୍ର ପରିଚାଳନା କରିଥିଲେ। ସଂଗଠନର ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ଆଶୀର୍ବାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।