ଟଙ୍କା ପାଇଁ ଝିଅକୁ ବିକିଦେଲା ସୈତାନ ବାପା!

ସୁବାସନଗର ବସ୍ତିରୁ ନାବାଳିକା ଉଦ୍ଧାର, ଯୁବକ ଗିରଫ

ଭୁବନେଶ୍ବର: କନ୍ୟାରତ୍ନ ଆଜି ବି ସମାଜରେ ଅଲୋଡ଼ା। ମାଳମାଳ ଯୋଜନା ସତ୍ତ୍ବେ ଝିଅ ସାମାଜିକ ବ୍ୟବସ୍ଥାରେ କ୍ରୀଡ଼ନକ ପାଲଟିଛି। ଏହାର ଏକ ନଗ୍ନ ଉଦାହରଣ ସ୍ମାର୍ଟସିଟି ଭୁବନେଶ୍ବରର ସୁବାସନଗର ବସ୍ତି ଅଞ୍ଚଳରେ ଦେଖିବାକୁ ମିଳିଛି। ସାମାନ୍ୟ କିଛି ଟଙ୍କା ପାଇଁ ୧୪ବର୍ଷୀୟା ଝିଅକୁ ବିହାରର ଜଣେ ବିବାହିତ ପୁରୁଷକୁ ବିକ୍ରି କରିଦେଇଛି ବାପା। ଏ ନେଇ ଝିଅର ମା’ ନିଜ ସ୍ବାମୀଙ୍କ ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ମହିଳା ସ୍ପଷ୍ଟ ଭାବେ ଏତଲାରେ ଉଲ୍ଲେଖ କରିଛନ୍ତି, ତାଙ୍କ ସ୍ବାମୀ ଓ ୨ ନଣନ୍ଦ ଝିଅକୁ ଫେରାର୍ କରାଇଛନ୍ତି। ଷଡ଼୍‌ଯନ୍ତ୍ର କରି ରାଜୁ ସାହୁ ନାମକ ଜଣେ ଯୁବକ ସହିତ ଝିଅକୁ ପଠାଇ ଦେଇଛନ୍ତି। ଆଜି ପୁଲିସ ନାବାଳିକାକୁ ଉଦ୍ଧାର କଲା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ରାଜୁକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ, ଗତ ୬ତାରିଖ ସୁବାସନଗର ବସ୍ତିରୁ ନାବାଳିକାକୁ ଅପହରଣ କରାଯାଇଥିଲା। ନାବାଳିକାକୁ ଅପହରଣ ପଛରେ ତା’ ବାପା ଓ ପିଉସୀଙ୍କ ହାତ ଥିବାରୁ ଏନେଇ ସେତେବେଳେ ଥାନାରେ କୌଣସି ଅଭିଯୋଗ ହୋଇନଥିଲା। ପରେ ଘଟଣା ସଂପର୍କରେ ଏକ ରାଜନୈତିକ ଦଳର କର୍ମୀ ସ୍ନେହା ସାମନ୍ତରାୟ ଅବଗତ ହେବାରୁ ନାବାଳିକାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ। ନାବାଳିକାଙ୍କର ମା’ଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିବାରୁ ଝିଅ ପୁରୀ ନିମାପଡ଼ାରେ ଥିବା ଜାଣିଥିଲେ। ବିହାରର ଜଣେ ଯୁବକ ତାକୁ ନେଇଯାଇଥିବା ସେ କହିଥିଲେ। ପରେ କୌଶଳ କରି ସ୍ନେହା ନାବାଳିକା ଓ ଅପହରଣକାରୀ ଯୁବକ ରାଜୁକୁ ଭୁବନେଶ୍ବର ଡକାଇଥିଲେ। ପରେ ପୁଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସିବା ପରେ ଝିଅର ମା’ ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପରେ ଝିଅକୁ ତା’ ସଂପର୍କୀୟଙ୍କ ପାଖରେ ଛାଡ଼ିବା ସହିତ ରାଜୁକୁ ଥାନା ଆଣିଛି।

ଧରାପଡ଼ିଯିବାରୁ ଝିଅକୁ ବସ୍ତିରେ ନିସ୍ତୁକ ମାଡ଼ ମାରିଲା ବାପା

ଝିଅକୁ ଅପହରଣ କରାଇବା ପଛରେ ସ୍ବାମୀ ଓ ନଣନ୍ଦଙ୍କ ହାତ ଥିବା ଅଭିଯୋଗ ଆଣିଲେ ପତ୍ନୀ

ଅପରପଟେ ନାବାଳିକାକୁ ଉଦ୍ଧାର କରିବାରେ ସହଯୋଗ କରିଥିବା ସ୍ନେହା ଆହୁରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ ହେବାରୁ ଝିଅର ବାପା ଓ ପିଉସୀମାନେ ତାକୁ ଆଜି ଅପରାହ୍ନରେ ବସ୍ତିରେ ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଛନ୍ତି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ସେହିଭଳି ଖଣ୍ଡଗିରି ଥାନା ପକ୍ଷରୁ ମିଳିଥିବା ଖବର ଅନୁସାରେ, ପ୍ରେମ ବ୍ୟାପାରକୁ ନେଇ ନାବାଳିକାକୁ ଜଣେ ଯୁବକ ଅପହରଣ କରିଥିଲା। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର