ପୁଅକୁ କିଡ୍‌ନି ଦେବେ ବାପା, ଅପରେସନ୍‌ ପାଇଁ ଅର୍ଥାଭାବ ବାଧକ

ଚନ୍ଦ୍ରଶେଖରପୁର : ଏକ ମାତ୍ର ରୋଜଗାରିଆ ପୁଅ କିଡ୍‌ନି ରୋଗରେ ପୀଡ଼ିତ। ତୁରନ୍ତ କିଡ୍‌ନି ପ୍ରତିରୋପଣ ଜରୁରୀ। ବାହାରୁ କିଡ୍‌ନି ପାଇବାରେ ସମସ୍ୟା ‌ହେବାରୁ ଶେଷରେ ବୃଦ୍ଧ ବାପା ନିଜ କିଡ୍‌ନି ଦେବାକୁ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ ଅପରେସନ୍ ପାଇଁ ଅର୍ଥାଭାବ ବଡ଼ ବାଧକ ହୋଇଛି। ଏଣେ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଉଥିବା ବେଳେ ଅର୍ଥ ଯୋଗାଡ଼ କରି ନପାରି ପୂରା ପରିବାର ଚିନ୍ତା‌ରେ ପଡ଼ିଛନ୍ତି। ଏହା ହେଉଛି ଝାରସୁଗୁଡ଼ା ଜିଲ୍ଲା ରଘୁନାଥପାଲି ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ଦାଶଙ୍କ ପୁଅ ରିଙ୍କୁ ଦାଶ (୨୮)ଙ୍କ ଦୁର୍ଦ୍ଦଶାର କଥା।

ରିଙ୍କୁ ଏକ ପ୍ରାଇଭେଟ୍ ବ୍ୟାଙ୍କ୍‌ରେ ପିଆର୍ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କିଡ୍‌ନି ରୋଗ ଯୋଗୁଁ ସେ କାମ କରିନପାରିବାରୁ ତିନି ମାସ ହେଲା ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି। ତାଙ୍କ ଚାକିରି ଯିବା ପରେ ଚିକିତ୍ସା ଖର୍ଚ୍ଚ ଓ ପରିବାର ଚଳଣି ଖର୍ଚ୍ଚ ପାଇଁ ବୃଦ୍ଧ ବାପାଙ୍କ ପୂଜା ପାଠରୁ ଆୟ ଯଥେଷ୍ଟ ହେଉନାହିଁ। ସଞ୍ଚିତ ଅର୍ଥ ଓ ଧାରକରଜ କରି ସେ ଡାକ୍ତରଖାନାରେ ୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ରିଙ୍କୁ ଭୁବନେଶ୍ବର ସମ୍ ଅଲ୍‌ଟିମେଟ୍‌ରେ ଚିକିତ୍ସିତ ହେଉଛନ୍ତି। ରିଙ୍କୁଙ୍କ କହିବାନୁସାରେ, କିଡ୍‌ନି ରୋଗ କଥା ଜଣାପଡ଼ିବା ପରେ ସେ କଟକ ଏସ୍‌ସିବି ମେଡିକାଲରେ ଡାକ୍ତରଙ୍କୁ ଦେଖା କରିଥିଲେ। ଶୀଘ୍ର କିଡ୍‌ନି ପ୍ରତିରୋପଣ ନ କଲେ ବିପଦ ଅଛି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ କିଡ୍‌ନି ପ୍ରତିରୋପଣ ବାବଦ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ ହୋଇଥିବା କାରଣରୁ ସେ ଏହାକୁ ଏଡ଼ାଇବାକୁ ଇଚ୍ଛା କରିଥିଲେ। ବିନା ପ୍ରତିରୋପଣରେ ସୁସ୍ଥ ହେବା ପାଇଁ ସେ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଭଳି ବିଭିନ୍ନ ସହରର ବଡ଼ ବଡ଼ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ମାତ୍ର କିଡ୍‌ନି ପ୍ରତିରୋପଣକୁ ଏଡ଼ାଇବା ସମ୍ଭବ ହୋଇନଥିଲା। ଶେଷରେ ଦୁଇ ଜଣ ବ୍ୟକ୍ତି କିଡ୍‌ନି ଦେବାକୁ ରାଜି ହୋଇଥିଲେ। କିନ୍ତୁ ସେମାନେ ୪୦ଲକ୍ଷ ଟଙ୍କା ଦାବି କରିଥିଲେ। ଏହା ରିଙ୍କୁଙ୍କ ପକ୍ଷେ ଆଦୌ ସମ୍ଭବ ନଥିଲା। ଏଣେ ପୁଅର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଥିବାରୁ ବାପା ନିଜ କିଡ୍‌ନି ଦେବାକୁ ପ୍ରସ୍ତୁତ ହୋଇଗଲେ। ତେବେ ଏଥିପାଇଁ ବି ନିହାତି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ଏତେ ଅର୍ଥ ‌ଯୋଗାଡ଼ କରିବାକୁ ଯାଇ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ତେଣୁ ସେମାନେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟକୁ ଚାତକ ଭଳି ଅପେକ୍ଷା କରିଛନ୍ତି। ଆକୁଳ ହୋଇ ବାପା କ୍ଷୀରୋଦ ସହୃଦୟ ବ୍ୟକ୍ତିମାନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଇଛୁକ ବ୍ୟକ୍ତିମାନେ ତାଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ୯୮୫୩୬୮୫୫୨୨ ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର