ତ୍ରିଶୁଳିଆ : ସ୍ବେଚ୍ଛାସେବୀ ସଂଗଠନ ମାଧ୍ୟମରେ ଦିନେ ଅସହାୟଙ୍କ ଭରସା ପାଲଟିଥିବା ଛାତ୍ରଜଣକ ଆଜି ଅନ୍ୟର ସାହା ଲୋଡ଼ୁଛନ୍ତି। ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ବଞ୍ଚିବା ପାଇଁ ହସ୍ପିଟାଲ ଶଯ୍ୟାରେ ସଂଘର୍ଷ କରୁଛନ୍ତି। ଏକମାତ୍ର ପୁଅର ଚିକିତ୍ସା ପାଇଁ ବାପା ଜମିବାଡ଼ି ବିକି ସର୍ବସ୍ବ ହରାଇ ସାରିବା ପରେ ଅସହାୟ ହୋଇପଡ଼ିଛନ୍ତି। ଏହା ହେଉଛି ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ପଞ୍ଚାୟତ ଜୟପୁର ଗାଁର ନାରାୟଣ ସେନାପତିଙ୍କ ପୁଅ ବିଟେକ୍‌ ଛାତ୍ର ଅରବିନ୍ଦଙ୍କ କାହାଣୀ।

Advertisment

publive-image

ସୂଚନାଯୋଗ୍ୟ, ବିଟେକ୍‌ ଛାତ୍ର ଅରବିନ୍ଦ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ। ସ୍ଥାନୀୟ ଅଞ୍ଚଳର ଗରିବ ପିଲାଙ୍କୁ ପଢ଼ାଇବା ଥିଲା ତାଙ୍କ ନିଶା। ତେଣୁ ମାଗଣାରେ ଗରିବ ଦଳିତ ପିଲାଙ୍କୁ ତାଙ୍କ ସଂଗଠନ ଶିକ୍ଷାଦାନ କରୁଥିଲା। ଏମିତିକି ଗରିବ ଲୋକମାନଙ୍କ ଚିକିତ୍ସା ପାଇଁ ସେ ଓ ତାଙ୍କ ସଂଗଠନ ମାଗିଯାଚି ଅର୍ଥ ସାହାଯ୍ୟ କରୁଥିଲେ। କିନ୍ତୁ ବିଧିର ବିଡ଼ମ୍ବନା, ଆଜି ସେ ନିଜେ ହସ୍ପିଟାଲ ଶଯ୍ୟାରେ। ୨୦୧୬ରୁ ଅରବିନ୍ଦ ଏହି ବ୍ୟାଧିରେ ପୀଡ଼ିତ। ଏବେ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ। ଜମିବାଡ଼ି ବିକି ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିବା ପରେ ବାପା ନାରାୟଣ ସବୁ ଆଶା ଛାଡ଼ି ଦେଇଛନ୍ତି। ଘରଡିହ ଖଣ୍ଡିକ ବାଦ୍‌ଦେଲେ ଆଉ ତାଙ୍କ ପାଖରେ କିଛି ନାହିଁ। ସ୍ୱପ୍ନ ଥିଲା ମେଧାବୀ ପୁଅକୁ ଇଞ୍ଜିନିୟର କରିବେ। ମାତ୍ର ଏବେ ସେ ସ୍ବପ୍ନ ଆଉ ନାହିଁ। ପୁଅ କେମିତି ବଞ୍ଚିବ, ସେଇ ଚିନ୍ତାରେ ନାରାୟଣ। ଏବେ ଟାଟା ମେମୋରିଆଲ ହସ୍ପିଟାଲର କର୍ତ୍ତୃପକ୍ଷ ବୋନ୍‌ ମ୍ୟାରୋ ଟ୍ରାନ୍‌ସପ୍ଲାଣ୍ଟ ପାଇଁ ୩୦ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହୁଛନ୍ତି। ଏତେଗୁଡ଼ାଏ ଟଙ୍କା ଯୋଗାଡ଼ କରିବା ନାରାୟଣଙ୍କ ପାଇଁ ଆଉ ସମ୍ଭବ ନୁହେଁ। ତେଣୁ ସ୍ବାଭିମାନୀ ନାରାୟଣ ପୁଅ ପାଇଁ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ପକ୍ଷରୁ ସହାୟତା ମିଳିବ ବୋଲି ଆଶା ବାନ୍ଧିଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତିବିଶେଷ ତାଙ୍କ ମୋ:୮୯୧୭୩୭୫୨୨୬ରେ ଯୋଗାଯୋଗ କରିବାକୁ ନାରାୟଣ ନିବେଦନ କରିଛନ୍ତି।