ଭୁବନେଶ୍ୱର : ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଖଣ୍ଡଗିରି ଯଦୁପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ୫ ଘଣ୍ଟା ଜେରା କରିବା ପରେ ରାଜଧାନୀକୁ ଆତଙ୍କବାଦ ଭୟ ଘାରିଛି। ରାଜଧାନୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାରୁ ସହରବାସୀ ଭୟର ବାତାବରଣ ଭିତରେ ଅଛନ୍ତି। ସହରର ସବୁ ପ୍ରବେଶ ପଥ ଖୋଲାମେଲା ପଡ଼ିଛି। କିଏ ଯାଉଛି କିଏ ଆସୁଛି କାହା ପାଖରେ ଖବର ନାହିଁ। ଏଣୁ ଯେ କୌଣସି ସମୟରେ ଯେ କେହି ଭୁବନେଶ୍ବରରେ ପଶି କୌଣସି ଅଘଟଣ ଘଟାଇବା ସମ୍ଭବ ହୋଇଥିବାରୁ ଲୋକଙ୍କ ଭିତରେ ସ୍ବତଃ ଭୟ ସୃଷ୍ଟି ହୋଇଛି।

Advertisment

publive-image

ନିକଟରେ ‘ସମ୍ବାଦ’ ଟିମ୍‌ ବିଳମ୍ବିତ ରାତିରେ ସହରର ସ୍ଥିତି ଅନୁଧ୍ୟାନ କଲାବେଳେ ଏଭଳି ଚିତ୍ର ଦେଖିବାକୁ ପାଇଥିଲା। ନନ୍ଦନକାନନ ରଘୁନାଥପୁରଠାରେ ଥିବା ପ୍ରବେଶ ପଥରେ ପୁଲିସ ପହରା ଆଦୌ ନାହିଁ। ପୂର୍ବରୁ ଏଠାରେ ନିୟମିତ ଯାଞ୍ଚ ହେଉଥିଲା। ହେଲେ ଏବେ ତାହା ବନ୍ଦ ହୋଇଯାଇଛି। ଏଠାରେ ସିସିଟିଭି ମଧ୍ୟ ନାହିଁ। ଫଳରେ ପ୍ରବେଶ ପ୍ରସ୍ଥାନ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସେହିଭଳି ଅନ୍ୟତମ ପ୍ରବେଶ ପଥ ଭୁବନେଶ୍ବର-କଟକ ଜାତୀୟ ରାଜପଥ ହାଇଟେକ୍‌ ଛକରେ ମଧ୍ୟ ଅନୁରୂପ ସ୍ଥିତି। ସେହିଭଳି ପୁରୀ ଭୁବନେଶ୍ବର ଜାତୀୟ ରାଜପଥର ଲିଙ୍ଗିପୁର ବାଇପାସ୍‌ ଛକରେ ମଧ୍ୟ ଯାଞ୍ଚ ହେଉନାହିଁ। ତେବେ ଏଠାରେ ସିସିଟିଭି କ୍ୟାମେରା ଲାଗିଛି। ଅନ୍ୟତମ ପ୍ରବେଶ ପଥ ଖଣ୍ଡଗିରି ଛକ ଅବସ୍ଥା ସବୁଠାରୁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏଠାରେ ମଧ୍ୟ ପୁଲିସର ଯାଞ୍ଚ ବ୍ୟବସ୍ଥା ନାହିଁ। ବଡ଼ କଥା ହେଉଛି ସହରରେ ପୁଲିସ ପାଟ୍ରୋଲିଂ ମଧ୍ୟ ଉଚିତ ଢଙ୍ଗରେ ହେଉନାହିଁ। ରାଜପଥ ପାଟ୍ରୋଲିଂ ବହୁ ଦୁର୍ବଳ ହୋଇଥିବାବେଳେ ସହର ଭିତରେ ମଧ୍ୟ ପାଟ୍ରୋଲିଂ କଡ଼ାକଡ଼ି ହେଉ ନାହିଁ। ଫଳରେ ଭୁବନେଶ୍ବର ସୁରକ୍ଷା ପ୍ରତି ବିପଦ ନେଇ ଆଶଙ୍କା କରାଯାଉଛି।