ନନ୍ଦନକାନନକୁ ବାର୍ଡଫ୍ଲୁ ଭୟ, ପରୀକ୍ଷା ପାଇଁ ଗଲା ୬୫ ପକ୍ଷୀଙ୍କ ନମୁନା

ବାରଙ୍ଗ: ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖା ଦେଇଛି। ଓଡ଼ିଶାରେ ଏହି ରୋଗର ଲକ୍ଷଣ ଜଣାପଡ଼ିନଥିଲେ ହେଁ ନନ୍ଦନକା‌ନନକୁ ଭୟ ଘାରିଛି। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କତାମୂଳକ ପଦ‌କ୍ଷେପ ଗ୍ରହଣ କରିଛନ୍ତି। ଦୁଇ ଦିନ ପୂର୍ବେ ପକ୍ଷୀବିହାରକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା। ଆଜି ସେଠାରୁ ୬୫ ପକ୍ଷୀଙ୍କ ମଳ ଓ ଲାଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ସୂଚନାନୁସାରେ ଆଜି ପକ୍ଷୀ ବିହାରରୁ ୬୫ ପକ୍ଷୀଙ୍କର ମଳ ଓ ପାଟିର ଲାଳ ନମୁନା ସଂଗ୍ରହ କରାଯାଇଥିଲା। ଏହି ନମୁନାକୁ ଓୟୁଏଟି ଜରିଆରେ ଫୁଲନଖରାସ୍ଥିତ ପ୍ରାଣୀ ଗବେଷଣାଗାରକୁ ପଠାଯାଇଛି। ସେଠାରୁ ପରୀକ୍ଷା ରିପୋର୍ଟ ଆସିବା ପରେ, ବାର୍ଡ ଫ୍ଲୁ କୁ ନେଇ ତଥ୍ୟ ଜଣାପଡ଼ିବ। ନନ୍ଦନକାନନର ବରିଷ୍ଠ ଚିକିତ୍ସକ ଆଲୋକ ଦାସଙ୍କ ସୂଚନାନୁସାରେ ଫୁଲନଖରା ଗବେଷଣାଗାର ରିପୋର୍ଟକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ଶ୍ରୀ ଦାସଙ୍କ କହିବା କଥା ଓଡ଼ିଶାରେ ବାର୍ଡ ଫ୍ଲୁ ନାହିଁ। ତେବେ ପକ୍ଷୀ ବିଶାରଦମାନଙ୍କ କହିବା କଥା ଏବେ ଶୀତ ଦିନ ସରି ଆସୁଥିବାରୁ ବିଦେଶାଗତ ପକ୍ଷୀମାନଙ୍କର ଫେରିବା ସମୟ ଆସିଛି। ତେଣୁ ଚିଲିକା, ଅଂଶୁପା ଓ ରାଜଧାନୀ ଉପକଣ୍ଠକୁ ଆସିଥିବା ବିଦେଶାଗତ ପକ୍ଷୀମାନେ ଘରମୁହାଁ ହେବେ। ଏହି ସମୟରେ ବାହ୍ୟଜଗତର ପକ୍ଷୀଙ୍କ ଗମନାଗମନ ଲାଗି ରହିବାରୁ ନନ୍ଦନକାନନ ପକ୍ଷୀବିହାର ପକ୍ଷୀଙ୍କ ସହ ସେମାନଙ୍କ ମିଶିବା ସମ୍ଭାବନା ଥାଏ। ସେହିଭଳି ବାହାର ରାଜ୍ୟ ପର୍ଯ୍ୟଟକମାନେ ନନ୍ଦନକାନନ ଆସୁଥିବାରୁ ସେମାନଙ୍କ ସଂସ୍ପର୍ଶ ପ୍ରଭାବ ପକାଇପାରେ। ତେଣୁ ଡାକ୍ତର ଶ୍ରୀ ଦାସଙ୍କ ସୂଚନାନୁସାରେ ଏଭଳି ସନ୍ଦେହକୁ ଦୂର କରିବା ପାଇଁ ଫ୍ଲୁ ସିଜନ୍ ରୁଟିନ(ସଂକ୍ରମଣ ଋତୁକାଳୀନ ପଦକ୍ଷେପ) କରାଯାଇଛି। ଏବେ ସବୁଦିନ ପକ୍ଷୀମାନଙ୍କ ଆବାସ ପ୍ରବେଶ ପଥରେ କ୍ଲୋରିନ୍ ପାଣି ପକାଯାଉଛି ଓ ପରିସରକୁ ସଫା କରି ବ୍ଲିଚିଂ ପକାଯାଉଛି।

ସମ୍ବନ୍ଧିତ ଖବର