କରୋନା ଭୟରେ କାର୍ଯ୍ୟକ୍ଷମ ହୋଇପାରୁନି ୧୧ ଏମ୍‌ସିସି, ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୨ କମ୍ପୋଷ୍ଟ ପ୍ଲାଣ୍ଟ

ଜାନୁଆରିରୁ ଭୁଆସୁଣିରେ ପଡ଼ିବନି ଅଳିଆ

ଭୁବନେଶ୍ବର: ୧୧ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ନିର୍ମାଣ ସରିଲାଣି। କିନ୍ତୁ ଏଥିରୁ ୧୦ଟି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇପାରୁନି। ମାତ୍ର ଗୋଟିଏ ଚାଲୁଛି। ତାହା ପୁଣି ଯେତିକି କ୍ଷମତା ତା’ଠାରୁ କମ୍‌ ଆବର୍ଜନା କମ୍ପୋଷ୍ଟିଂ ହେଉଛି। ଏହିଭଳି ସ୍ଥିତିରେ ବିଏମ୍‌ସି କର୍ତ୍ତୃପକ୍ଷ ଟାର୍ଗେଟ୍ ରଖିଛନ୍ତି ଯେ, ଡିସେମ୍ବର ସୁଦ୍ଧା ରାଜଧାନୀରେ ୩୨ଟି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ଜାନୁଆରିରୁ ଭୁଆସୁଣିରେ ଆଉ ଅଳିଆ ପଡ଼ିବନି। ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ୧୧ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ସରିଛି। ନିଷ୍ପତ୍ତି ହୋଇଛି ଯେ, ସମସ୍ତ କମ୍ପୋଷ୍ଟ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ନିକଟସ୍ଥ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ। ହେଲେ ଏବେ କରୋନା ମହାମାରୀ ଯୋଗୁଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ କାମ ଆରମ୍ଭ କରିବାକୁ ଆସୁନାହାନ୍ତି। ଆବର୍ଜନା ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ଏସ୍‌ଏଚ୍‌ଜିର ମହିଳାମାନଙ୍କୁ ସ୍ବଚ୍ଛ ସାଥୀ ଭାବେ ନିୟୋଜିତ କରାଯାଇଛି। ତେଣୁ ଏବେ ସ୍ବଚ୍ଛସାଥୀଙ୍କୁ ବୁଝାସୁଝା ଚାଲିଛି। ସେମାନେ ରାଜିହେଲେ ୧୦ଟି କମ୍ପୋଷ୍ଟ ପ୍ଲାଣ୍ଟରେ ଓଦା ବର୍ଜ୍ୟରୁ ଖତ ବାହାରିବ। ଏବେ କେବଳ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ଥିବା କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉଛି। ଏଠାରେ ଦୈନିକ ୫ଟନ୍ ଆବର୍ଜନା ପ୍ରକ୍ରିୟାକରଣ କରି ଖତ ବାହାର କରିପାରିବାର ବ୍ୟବସ୍ଥା ଥିଲେ ହେଁ ଏବେ ଦିନକୁ ୩ଟନ୍‌ ଆବର୍ଜନା ପ୍ରକ୍ରିୟାକରଣ ହେଉଛି।

ବିଏମ୍‌ସିର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ନିର୍ମାଣ ଶେଷ ହୋଇଥିବା ୧୧ଟି ଏମ୍‌ସିସି ମଧ୍ୟରୁ ୮ଟି ଏମ୍‌ସିସି ଡିଭିଜନ-୨ ଏବଂ ୩ଟି ଡିଭିଜନ-୧ ଅଧୀନରେ ଅଛି। ଏଥିରୁ ନିକୋ ପାର୍କ ନିକଟରେ ୩ଟି ପ୍ଲାଣ୍ଟ ନିର୍ମାଣ ହୋଇଥିବାବେଳେ ଏହାଦ୍ବାରା ୱାର୍ଡ ନଂ-୨୮, ୨୯, ୩୫ ଓ ୩୬ର ବାସିନ୍ଦା ଉପକୃତ ହେବେ। ୨ଟି ଲକ୍ଷ୍ମୀସାଗର ସ୍ବେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ନିର୍ମାଣ ହୋଇଥିବାବେଳେ ଏହାଦ୍ବାରା ୱାର୍ଡ ୩୨, ୩୩, ୪୨ ଓ ୪୩ର ବାସିନ୍ଦା ଉପକୃତ ହେବେ। ବରଗଡ଼ ମଶାଣିରେ ହୋଇଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟରେ ୱାର୍ଡ ୪୪ର ବାସିନ୍ଦା, ଗୋପବନ୍ଧୁ ନଗରରେ ହୋଇଥିବା ୨ଟି ଏମ୍‌ସିସିରେ ୱାର୍ଡ ୪୭, ୪୮ ଓ ୫୧ର ବାସିନ୍ଦା, ପାଣ୍ଡରା ନିକଟରେ ହୋଇଥିବା ଏମ୍‌ସିସି ଦ୍ବାରା ୱାର୍ଡ ୧୮ ଓ ୧୯ର ବାସିନ୍ଦା, ପ୍ରଶାନ୍ତିବିହାରରେ ହୋଇଥିବା ଏମ୍‌ସିସି ଦ୍ବାରା ୱାର୍ଡ ୧ ଓ ୨ର ବାସିନ୍ଦା ଏବଂ ଟିଟିଏସ୍‌ରେ ହୋଇଥିବା ଏମ୍‌ସିସି ଦ୍ବାରା ୱାର୍ଡ ୧୦, ୧୧ ଓ୧୨ର ବାସିନ୍ଦା ଉପକୃତ ହେବେ। ଡିସେମ୍ବର ସୁଦ୍ଧା ବାକି ୨୧ଟି ନିର୍ମାଣ ଶେଷ ହୋଇଯିବ। ଏହି ୨୧ଟି ପାଇଁ କୌଣସି ପ୍ରକାରର ସମସ୍ୟା ନାହିଁ। କାମ ଜୋରଦାର୍ ଚାଲିଛି। ତେଣୁ ଡିସେମ୍ବରରୁ ଏଠାରେ ଆବର୍ଜନା ପ୍ରକ୍ରିୟାକରଣ କରିବାକୁ ଯୋଜନା ରଖିଛୁ। ୩୨ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଭୁଆସୁଣିରେ ଅଳିଆ ପକାଇବା ଆବଶ୍ୟକ ପଡ଼ିବନି। ରାଜଧାନୀରେ ମୋଟ୍‌ ୪୩ଟି ଏମ୍‌ସିସି ନିର୍ମାଣ ହେବାକୁ ଥିବାବେଳେ ୧୧ଟିର କାମ ସରିଛି, ୨୧ଟି କାମ ଚାଲିଛି। କିନ୍ତୁ ବାକି ୧୧ଟି ଜମି ହସ୍ତାନ୍ତର ସମସ୍ୟା ଯୋଗୁଁ ଫସିଯାଇଛି। ଖୁବ୍‌ ଶୀଘ୍ର ଜମି ମିଳିବାର ସମ୍ଭାବନା ଅଛି। ଜମି ମିଳିଲେ ନିର୍ମାଣ କାମ ଆରମ୍ଭ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ବାକି ୧୧ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ଏବେ ଇଞ୍ଜିନିୟରିଂ ଡିଭିଜନ୍‌-୧ ଅଧୀନରେ ପ୍ରଶାନ୍ତିବିହାର, ପଟିଆ, ପଳାସୁଣି, ନୀଳାଦ୍ରିବିହାର, ହାତିଆସୁଣି ମନ୍ଦିର ପାଖ, ଭରତପୁରର ଜିଏ ପ୍ଲଟ୍ ଅଞ୍ଚଳ, କଳିଙ୍ଗନଗର ,ଏନ୍‌-୩ ଏବଂ ଏକାମ୍ର ପାର୍କ ନିକଟସ୍ଥ ଖୋଲାସ୍ଥାନ ଅଛି। ଇଞ୍ଜିନିୟରିଂ ଡିଭିଜନ୍‌-୨ ଅଧୀନରେ ପୋଖରୀପୁଟ, ଲକ୍ଷ୍ମୀସାଗର ଏବଂ କଳିଙ୍ଗନଗର ନିକଟସ୍ଥ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟସ୍ଥ ଖୋଲାସ୍ଥାନଗୁଡ଼ିକ ଅଛି। ଏଠାରେ କେତେକ ସ୍ଥାନରେ ଲୋକ ବିରୋଧ କରୁଥିବାରୁ କାମ ଆରମ୍ଭ ହୋଇପାରିନି। କିନ୍ତୁ କାମ ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି। ସେହିପରି ବିଏମ୍‌ସି ପକ୍ଷରୁ ୧୦ଟି ଏମ୍‌ଆରଏଫ୍‌ ହେବାକୁ ଥିବାବେଳେ ଟିଟିଏସ୍‌ସ୍ଥିତ ଏମ୍‌ଆରଏଫ୍‌‌ଟି ଅଗଷ୍ଟ ୩ରୁ କାର୍ଯ୍ୟକ୍ଷମ ହୋଇଛି। ଖୁବ୍‌ଶୀଘ୍ର ବାକି ୯ଟି ଏମ୍‌ଆରଏଫ୍ କାର୍ଯ୍ୟକ୍ଷମ ହେବା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର