ଭୁବନେଶ୍ବର: ରଜପର୍ବ ପରଠୁ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷ ସାଙ୍ଗକୁ ମେଘୁଆ ଓ ଆର୍ଦ୍ର ପାଗ ଲାଗି ରହୁଛି। ଲଗାତାର ଝିପିଝିପି ବର୍ଷା ଜାରି ରହିଛି। କିନ୍ତୁ ସବୁଆଡ଼େ ସମାନ ପରିମାଣର ବର୍ଷା ହେଉନାହିଁ। ଫଳରେ ବହୁ ଅଞ୍ଚଳରେ ଧାନ ଚାଷ ପଛୁଆ ରହିଛି। ସେହିଭଳି ପରିବା ଚାଷ ମଧ୍ୟ ପ୍ରଭାବିତ ହେଉଛି। ଲାଗିରହୁଥିବା ମେଘୁଆ ଓ ଆର୍ଦ୍ର ପାଗ ପରିବା ଚାଷରେ ରୋଗପୋକର ଆଶଙ୍କା ବଢ଼ାଉଛି। ଏଭଳି ପାଗ ଲାଗି ରହିଲେ ପରିବା ଚାଷୀଙ୍କ ପାଇଁ କାଳ ପାଲଟିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ିଲେଣି। ଅସମାନ ବର୍ଷା ଧାନ ଚାଷକୁ ଓ ମେଘୁଆ ଆର୍ଦ୍ର ପାଗ ପରିବା ଚାଷକୁ ପ୍ରଭାବିତ କରିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪୪.୪ ମିମି ବର୍ଷା ହୋଇଯାଇଛି। ଏହା ଜୁନ୍ ପହିଲାରୁ ଜୁଲାଇ ୫ ଅବଧି ମଧ୍ୟରେ ହେଉଥିବା ସ୍ବାଭାବିକ ବର୍ଷାଠାରୁ ମାତ୍ର ୪% ଅଧିକ। ତେଣୁ ବୈଜ୍ଞାନିକ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଯେତିକି ବର୍ଷିବା କଥା ସେତିକି ବର୍ଷିଛି। କିନ୍ତୁ ତୃଣମୂଳସ୍ତରର ତଥ୍ୟ ସମ୍ପୂର୍ଣ୍ଣ ଭିନ୍ନ କଥା କହୁଛି। ଖୋର୍ଦ୍ଧା ଜିଲ୍ଲାରେ କେଉଁଠି ପ୍ରବଳ ବର୍ଷିଛି ତ କେଉଁଠି ବହୁ କମ ପରିମାଣର ବର୍ଷା ହୋଇଛି। ତେଣୁ ବର୍ଷା ପରିମାଣର ଅସମାନତା ଯୋଗୁ ଚାଷ କାର୍ଯ୍ୟରେ ସମସ୍ୟା ଉପୁଜିଛି। ଏବେ ବି ରାଜଧାନୀ ଉପକଣ୍ଠରେ ବେଉଷଣ ଆରମ୍ଭ ହୋଇନାହିଁ। ଧାନ ତଳି ପଡ଼ିଛି, କିନ୍ତୁ ରୋଇବା ଉପଯୋଗୀ ହୋଇନାହିଁ। କେଉଁଠି ତଳିଆ ଅଞ୍ଚଳରେ ଧାନ ତଳି ପଚିଯାଉଛି ତ ଢିପ ଜାଗାରେ କମ୍ ପାଣି ପାଇଁ ଧାନ ତଳି ବଢ଼ୁନାହିଁ। କୃଷି ବୈଜ୍ଞାନିକ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ସାଧାରଣତଃ ଏହି ସମୟରେ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅନ୍ୟ ଜିଲ୍ଲା ଅପେକ୍ଷା କମ୍ ବର୍ଷା ହୋଇଥାଏ। ତଥାପି ଯେତିକି ବର୍ଷା ହୋଇଛି, ଧାନ ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ। ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ବେଗୁନିଆ, ବାଣପୁର, ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ୍ରେ ଏବେ ପରିବା ଚାଷ ଅଧିକ ହୋଇଥାଏ। ବିଶେଷକରି ଢିପ ଜମିରେ ପରିବା ଚାଷ ହୋଇଥାଏ। ମାତ୍ର ଲାଗିରହୁଥିବା ମେଘୁଆ ପାଗ ପାଇଁ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହୁଛି। ପ୍ରାୟ ସମୟରେ ବି ବର୍ଷା ହେଉଛି। ଫଳରେ ପତ୍ର ଓଦା ହୋଇରହୁଛି ଏବଂ ରୋଗପୋକ ଲାଗିବାକୁ ପାଗ ସୁହାଉଛି। ଆବଶ୍ୟକ ସୂର୍ଯ୍ୟକିରଣ ନ ପଡ଼ିବା ଫଳରେ ଗଛର ଖାଦ୍ୟ ପ୍ରସ୍ତୁତି ପାଇଁ ଫଟୋସିନ୍ଥେସିସ୍ ହ୍ରାସ ପାଉଛି। ଫଳରେ ଗଛ ଦୁର୍ବଳ ହୋଇପଡ଼େ ଏବଂ ଅମଳ ହ୍ରାସ ପାଏ। ଏଥିପାଇଁ ଚାଷୀମାନେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp