ଭୁବନେଶ୍ୱର: ରାଜ୍ୟରେ ଝାଡ଼ାବାନ୍ତି, ହଇଜା ବ୍ୟାପିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖାଦ୍ୟ, ପାଣି ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ, ଜଳଖିଆଦୋକାନ ସହ ପାଣିର ମାନକୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋରଦାର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦିନକ ପାଇଁ ଏହି ଚଢ଼ଉ ବନ୍ଦ ରଖାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପୁଣି ଖାଦ୍ୟ, ପାଣି ଯାଞ୍ଚକୁ ଜୋରଦାର କରାଯାଇଛି। ବହୁ ମିଠାଦୋକାନରୁ ବାସିମିଠା ମିଳିବା ପରେ ଏହାକୁ ନଷ୍ଟ କରାଯାଇଛି।
୧୬ ପାଣି, ଖାଦ୍ୟ ନମୁନା ସଂଗ୍ରହ
୫୦ କେଜି ଖାଦ୍ୟ ନଷ୍ଟ, ୮ହଜାର ଜରିମାନା
ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, ଆଜି ବିଏମ୍ସି ଖାଦ୍ୟ ସ୍କ୍ୱାଡ୍ ବିଡିଏ କଲୋନି, ଚନ୍ଦ୍ରଶେଖରପୁର, ଆଇଆର୍ସି ଭିଲେଜ, ନୟାପଲ୍ଲୀ ଆଦି ଅଞ୍ଚଳରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବହୁ ବାସି ମିଠା ମିଳିବା ପରେ ଏହାକୁ ନଷ୍ଟ କରାଯାଇଛି। ସେହିଭଳି ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ପାଇଁ ହୋଟେଲ, ଜଳଖିଆ ଦୋକାନଙ୍କୁ ଜରିମାନା କରାଯାଇଛି। ୫୦ କେଜି ବାସି ଖାଦ୍ୟ ନଷ୍ଟ କରାଯାଇଛି। ୩ ଦୋକାନୀଙ୍କୁ ୮ହଜାର ଟଙ୍କା ଜରିମାନା କରାଯାଇଛି। ୧୬ଟି ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ସୂଚନାଯୋଗ୍ୟ, ଅଦ୍ୟାବଧି ୫୦ରୁ ଅଧିକ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ୧୦ରୁ ଅଧିକ ହୋଟେଲ, ଜଳଖିଆ ଦୋକାନୀ ଆଦିଙ୍କୁ ଲକ୍ଷାଧିକ ଟଙ୍କା ଜରିମାନା କରାଯାଇଛି। ୧୦୦ କେଜିରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଛି।