ଆର୍ଥିଂ ବିନା ମନ୍ଦିରକୁ ବଜ୍ରପାତ ଭୟ, ଚାରି ମନ୍ଦିରରୁ ଚୋର ତାଡ଼ିନେଲେ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର କୌଣସି ମନ୍ଦିରରେ ବିଦ୍ୟୁତ୍ ଆର୍ଥିଂ ବ୍ୟବସ୍ଥା ନାହିଁ। ଖୋଦ୍ ଶ୍ରୀଲିଙ୍ଗରାଜ ମନ୍ଦିରରେ ବି ନାହିଁ। ତେଣୁ ପ୍ରାୟ ପ୍ରତିବର୍ଷ କୌଣସି ନା କୌଣସି ମନ୍ଦିର ବଜ୍ରପାତ ଯୋଗୁଁ କ୍ଷତିଗ୍ରସ୍ତ ହେଉଛି। ବଜ୍ରପାତ କାରଣରୁ କିଛି ମନ୍ଦିରର ସୁନ୍ଦର ତଥା ବିରଳ କାରୁକାର୍ଯ୍ୟ ମଧ୍ୟ ନଷ୍ଟ ହୋଇଥିବା ନଜିର ରହିଛି। ଐତିହ୍ୟ ସୁରକ୍ଷା ବାହାନାରେ ଉଭୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏହି ମୁଖ୍ୟ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭି‌ଯୋଗ ହେଉଛି।

ଏକାମ୍ର କ୍ଷେତ୍ରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭଗ ଅଧୀନରେ ୨୪ଟି ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭଗ ଅଧୀନରେ ୧୨ଟି ମନ୍ଦିର ତଥା ଐତିହ୍ୟସ୍ଥଳୀ ରହିଛି। ଏହାବାଦ୍ ଆହୁରି ୧୯୯ ମନ୍ଦିର ରହିଛି। ୨୦୧୮ ଜୁଲାଇ ୧ତାରିଖରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାରେ ବଜ୍ରାଘାତ ହୋଇଥିଲା। ବଜ୍ରପାତ ଏତେ ଶକ୍ତିଶାଳୀ ଥିଲା ଯେ ଭୟରେ ସେବାୟତ ଓ ସୁରକ୍ଷା କର୍ମଚାରୀମାନେ ମନ୍ଦିରରୁ ବାହାରିବା ପଳାଇବାକୁ ଯାଇ ତଳେ ପଡ଼ି ଆହତ ହୋଇଥିଲେ। ମାତ୍ର ସୌଭାଗ୍ୟକୁ ‌କେବଳ ମନ୍ଦିରର ବାନା ପୋଡ଼ି ଯାଇଥିଲା। ଏହା ପରେ ଏଏସ୍‌ଆଇ ଚେତିଥିଲା। ମନ୍ଦିର ଜଗମୋହନରେ ଲାଗିଥିବା ପୁରୁଣା ଆର୍ଥିଂ ତାରକୁ ବଦଳାଇ ନୂଆ ଲଗାଯାଇଥିଲା। କିନ୍ତୁ ସେହିଦିନରୁ ମୁଖ୍ୟ ମନ୍ଦିରର ଆର୍ଥିଂ ସହ ତାହାକୁ ସଂଯୋଗ କରାଯାଇନାହିଁ।

୨୦୧୮ ଜୁଲାଇ ୩୦ରେ ବଜ୍ରପାତରେ ଯମେଶ୍ବର ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହୋଇଥିଲା। ଦଧିନଉତିର ପଥର ନଷ୍ଟ ହେବା ସହ ତା’ ତଳେ ଥିବା ୪ଟି ସ୍ଥାନରେ ଅଙ୍ଗ ଶିଖର ଓ ରାହାପାଗ ଭାଙ୍ଗି ତଳେ ପଡ଼ିଥିଲା। ଏଥିସହ ଆହୁରି କିଛି ସ୍ଥାପତ୍ୟ ମଧ୍ୟ ନଷ୍ଟ ହୋଇଯାଇଥିଲା ସେହିପରି ଅନନ୍ତ ବାସୁଦେବ ମନ୍ଦିରର ବାନା ପୋଡ଼ିଯିବା ସହ ମନ୍ଦିରର ସମସ୍ତ ଆଲୋକୀକରଣ ବ୍ୟବସ୍ଥା ପୂରା ନଷ୍ଟ ହୋଇଯାଇଥିଲା। ତିନି ବର୍ଷ ପୂର୍ବରୁ ବ୍ରହ୍ମେଶ୍ବର ମନ୍ଦିରରେ ବ୍ରଜପାତ ହୋଇଥିଲା ଓ ମନ୍ଦିରର କିଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ଭାଙ୍ଗି ପଡ଼ିଥିଲା। ପ୍ରତିବର୍ଷ ଏଭଳି ଅଘଟଣ ଘଟିବା ଏକ ସାଧାରଣ ଘଟଣା ହୋଇଗଲାଣି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ସେମିତି ଉଦାସୀନ ରହିଛି। ମନ୍ଦିରର ସୁରକ୍ଷା ପ୍ରତି ନିଦାବିଷ୍ଣୁ ସାଜିଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅଶ୍ବିନୀ ଶତପଥୀ ଏନେଇ କିଛି କହିବାକୁ ମନା କରି ଦେଇଥିଲେ। କିନ୍ତୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକଙ୍କ ସୂଚନାନୁସାରେ ଗତ ଦୁଇ ବ‌‌‌ର୍ଷ ପୂର୍ବେ ଶ୍ରୀଲିଙ୍ଗରାଜ ମନ୍ଦିରର ମରାମତି ଓ ଆର୍ଥିଂ କାର୍ଯ୍ୟ ପାଇଁ ବରାଦ ହୋଇଥିବା ୧କୋଟି ୩୮ଲକ୍ଷ ଟଙ୍କା ମଞ୍ଜୁର ହୋଇପାରିଲା ନାହିଁ। ଏବେ ଆର୍ଥିଂ ପାଇଁ ବଜେଟ୍‌ ଅନୁମୋଦନ ହୋଇଛି। କିନ୍ତୁ ଲକ୍‌ଡାଉନ୍‌ ପାଇଁ ଟେକ୍‌ନିସିଆନ୍‌ ଓ ଉପଯୁକ୍ତ ଉପକରଣ ସବୁ ମିଳୁନଥିବାରୁ କାମ ଆରମ୍ଭ ହୋଇପାରିନାହିଁ।

ଦୁଇ ବର୍ଷ ପୂର୍ବେ ଏହି ଯମେଶ୍ବର ମନ୍ଦିରରେ ବଜ୍ରପାତ ହୋଇ ବହୁ କ୍ଷୟକ୍ଷତି ହୋଇଥିଲା। ତେଣୁ ପରେ ପରେ ଏଏସ୍ଆଇ ପକ୍ଷରୁ ଆର୍ଥିଂ ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ଶୁକଶାରି ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୈତ୍ରେଶ୍ବର ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ମକରେଶ୍ବର ମନ୍ଦିରରେ ମଧ୍ୟ ଆର୍ଥିଂ ଲଗାଯାଇଥିଲା। ପ୍ରତି ମନ୍ଦିର ପାଇଁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ବରାଦ କରାଯାଇଥିଲା। କିନ୍ତୁ ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨ମାସ ମଧ୍ୟରେ ଦୁର୍ବୃତ୍ତମାନେ ୪ଟି ମନ୍ଦିରର ଆର୍ଥିଂ ତାର ଓ ପ୍ଲେଟକୁ ତାଡ଼ି ନେଇଗଲେ। ଶୁକଶାରି, ମୈତ୍ରେଶ୍ବର, ମକରେଶ୍ବର ଓ ଯମେଶ୍ବର ମନ୍ଦିରରୁ ଦୁର୍ବୃତ୍ତମାନେ ଆର୍ଥିଂ ତାଡ଼ି ନେଇଛନ୍ତି। ଅଭିଯୋଗ ପରେ ପୁଲିସ ସେହିଦିନଠାରୁ ତଦନ୍ତ ଚଳାଇଛି, ଅଥଚ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।

ସମ୍ବନ୍ଧିତ ଖବର