ବସ୍ତିକୁ ପ୍ରବାସୀ ଶ୍ରମିକ ଭୟ, ରାଜଧାନୀର ବିଭିନ୍ନ ବସ୍ତିରୁ ବାହାରିଲେଣି ୪ ଆକ୍ରାନ୍ତ

ପ୍ରଥମ ‌ଲହରରେ ୧୭୯୪ ଜଣ ବସ୍ତିରୁ ଆକ୍ରାନ୍ତ ହୋଇଥିଲେ
ସୀମାବର୍ତ୍ତୀ ଜିଲ୍ଲା ଫେରନ୍ତାଙ୍କ ଉପରେ ବି ନଜର

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ କିଛି ବସ୍ତିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ବସ୍ତିରେ ଯେପରି ଗତବର୍ଷ ଭଳି ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ବିଏମ୍‌ସି ଏବେ ବସ୍ତିକୁ ଫୋକସ୍ କରିଛି। ବସ୍ତିରେ କିଏ ବାହାର ରାଜ୍ୟରୁ ଫେରିଛନ୍ତି, ‌କିଏ ସୀମାନ୍ତ ଜିଲ୍ଲାରୁ ଫେରିଛନ୍ତି, କାହାର ଥଣ୍ଡା ଜ୍ବର ହୋଇଛି, କିଏ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏବେ ବିଏମ୍‌ସି ଖୋଜୁଛି।

ରାଜଧାନୀର ପ୍ରାୟ ୪୫୦ଟି ବସ୍ତିରେ ଥିବା ୨ଲକ୍ଷରୁ ଅଧିକ ଘରର ସର୍ଭେ କରିବାକୁ ୪୦୫ଜଣ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହି ଟିମ୍ ତିନି ଜଣ ସିଡିପିଓଙ୍କ ନେତୃତ୍ବରେ କାମ କରୁଛି। ପ୍ରତିଦିନ ଜଣେ ତିନି ଜଣ ସଦସ୍ୟ ଗୋଟିଏ ଲେଖାଏଁ ବସ୍ତିକୁ ଯାଇ ସର୍ଭେ କରୁଛନ୍ତି। ଦୁଇ ସପ୍ତାହରେ ରାଜଧାନୀର ସବୁ ବସ୍ତିରେ ଗୋଟିଏ ପର୍ଯ୍ୟାୟ ସର୍ଭେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହେବ।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀର ବିଭିନ୍ନ ବସ୍ତିରେ ଏବେ ୪ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିଛି ବସ୍ତିକୁ ଏବେ ବାହାର ରାଜ୍ୟରୁ ଲୋକ ଫେରିବା ଆରମ୍ଭ ହୋଇଯାଇଛି। କେବଳ ବାହାର ରାଜ୍ୟ ନୁହେଁ; ସୀମାବର୍ତ୍ତୀ ଜିଲ୍ଲା ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର ଭଳି ସମ୍ବେଦନଶୀଳ ଜିଲ୍ଲାରୁ ଶ୍ରମିକ ଶ୍ରେଣୀର ଲୋକ ଆସି ବସ୍ତିରେ ରହୁଛନ୍ତି। କାମ ଅନ୍ବେଷଣରେ ବସ୍ତିକୁ ‌େଲାକ ଫେରିଥିବାରୁ ଆମେ ବସ୍ତି ଅଞ୍ଚଳକୁ ଫୋକସ୍‌ କରିଛୁ। ଗତ ବର୍ଷ ବସ୍ତିରେ କରୋନା ସଂକ୍ରମଣ ହୁ ହୁ ବଢ଼ିବା ଯୋଗୁଁ ୧୭୯୪ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଏପରିକି ଜଣେ ଆକ୍ରାନ୍ତ ହେବା ପରେ ଗୋଟିଏ ଗୋଟିଏ ବସ୍ତିରେ ୪୦ରୁ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଆମକୁ ବହୁ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ପଡ଼ିଥିଲା। ‌େତଣୁ ଏବେ ବସ୍ତିକୁ ଅଧିକ ଫୋକସ୍‌ କରାଯାଉଛି। ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ‌ଦିଆଯାଉଛି। ଜଣେ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରୁଛୁ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ କରି କୋଭିଡ ପରୀକ୍ଷା କରୁଛୁ। ବିଏମ୍‌ସି ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ନୂଆପଲ୍ଲୀ ଅଞ୍ଚଳରେ ଥିବା ବସ୍ତି। ଏଠାରେ ସାଲିଆ ସାହି ସମେତ ଥିବା ବିଭିନ୍ନ ବସ୍ତିକୁ ବାହାର ରାଜ୍ୟରୁ ବହୁ ପ୍ରବାସୀ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକ ଫେରୁଛନ୍ତି। ତେଣୁ ଆମେ ବସ୍ତିବାସିନ୍ଦାଙ୍କୁ ଏନେଇ ସତର୍କ କରାଇଛୁ। ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କେରଳ ଆଦି ରାଜ୍ୟରୁ ଫେରୁଥିବା ଲୋକଙ୍କ ସମ୍ପର୍କରେ ବିଏମ୍‌ସିକୁ ତୁରନ୍ତ ଜଣାଇବାକୁ କହିଛୁ।

ସମ୍ବନ୍ଧିତ ଖବର