ରାଜଧାନୀକୁ ଜଳବନ୍ଦୀ ଭୟ

ମୌସୁମୀ ପୂର୍ବରୁ ସବୁ ଡ୍ରେନ୍ ସଫା ହେବ, ଡ୍ରେନ୍ ସଫା ପାଇଁ ଚିଠି ଲେଖିବ ବିଏମ୍‌ସି

ଜୁନ୍ ୧ ସୁଦ୍ଧା ପୂର୍ତ୍ତ, ଇଡ୍‌କୋ, ଏନ୍ଏଚ୍‌ଏଆଇ, ବିଡିଏ ନିଜ ଡ୍ରେନ୍‌ ସଫା କରିବେ
ଡ୍ରେନେଜ୍‌ ବିଭାଗ, ସଫେଇ ସଂସ୍ଥା ବିଏମ୍‌ସି ଡ୍ରେନ୍, ମୁଖ୍ୟ ଡ୍ରେନ୍ ସଫା କରିବେ

ଭୁବନେଶ୍ବର : ରାଜଧାନୀରେ ଏଥର ଯେମିତି ଜଳବନ୍ଦୀ ସମସ୍ୟା ହେବନି, ସେଥିପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ବହୁ ଅଞ୍ଚଳରେ ଡ୍ରେନ୍ ନିର୍ମାଣ କରାଯାଇଛି। ମାର୍ଚ୍ଚ ‌ଶେଷ ସୁଦ୍ଧା ଅର୍ଦ୍ଧନିର୍ମିତ ଡ୍ରେନ୍‌ଗୁଡ଼ିକର ବି ନିର୍ମାଣ ସରିବ। କିନ୍ତୁ ଡ୍ରେନ୍ ସଫା ନହେଲେ ଯେତେ ଡ୍ରେନ୍ ନିର୍ମାଣ କଲେ ବି ଜଳବନ୍ଦୀ ସମସ୍ୟାର ସମାଧାନ ହେବନି। ତେଣୁ ବିଏମ୍‌ସି ପକ୍ଷରୁ ରାଜଧାନୀରେ ଡ୍ରେନ୍ ନିର୍ମାଣ କରିଥିବା ସଂସ୍ଥାଗୁଡ଼ିକୁ ଚିଠି ଲେଖିବା ଆରମ୍ଭ ହୋଇଛି। ଜୁନ୍ ୧ ପୂର୍ବରୁ ସମସ୍ତେ ନିଜ ନିଜ ଡ୍ରେନ୍ ସଫା କରିବାକୁ କୁହାଯିବ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ବିଏମ୍‌ସି ପୂର୍ତ୍ତ, ଇଡ୍‌କୋ, ଏନ୍‌ଏଚ୍‌ଏଆଇ ଓ ବିଡିଏକୁ ଚିଠି ପଠାଇବ ବୋଲି ‌ନିଷ୍ପତ୍ତି ହୋଇଛି।

ବିଏମ୍‌ସିର ଡ୍ରେନେଜ୍‌ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଜଳବନ୍ଦୀ ସମସ୍ୟା ହେଲେ ସବୁ ଦୋଷ ବିଏମ୍‌ସି ମୁଣ୍ଡାଉଛି। କିନ୍ତୁ କେଉଁ ଅଞ୍ଚଳରେ ଜଳବନ୍ଦୀ କାହା ପାଇଁ ହେଉଛି, ତାହା ରାଜଧାନୀବାସୀ ଜାଣିବା ଦରକାର। ଅପରପକ୍ଷେ ଚଳିତବର୍ଷ ରାଜଧାନୀରେ ଯେପରି ଜଳବନ୍ଦୀ ସମସ୍ୟା ହେବନି, ସେଥିପାଇଁ ବିଏମ୍‌ସି ପକ୍ଷରୁ ସବୁ ପଦକ୍ଷେପ ନିଆଯାଇଛି। ଆମେ ଦୁଇ ବର୍ଷ ହେଲା ଯେଉଁ ଯୋଜନା କରିଥିଲୁ, ତାହାକୁ କାର୍ଯ୍ୟକାରୀ କରିଛୁ। ବହୁ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ହୋଇଛି। ଡ୍ରେନ୍‌ଗୁଡ଼ିକୁ ମୁଖ୍ୟ ଡ୍ରେନ୍ ସହ ସଂଯୋଗ କରିଛୁ। ମୌସୁମୀ ଆସିବା ପୂର୍ବରୁ ଅର୍ଥାତ୍ ଜୁନ୍ ୧ ପୂର୍ବରୁ ୬୭ଟି ଯାକ ୱାର୍ଡରେ ନିଜ ଦା‌ୟିତ୍ବରେ ଡ୍ରେନ୍ ସଫା କରିବ। ସଫେଇ ସଂସ୍ଥାଗୁଡ଼ିକ ସେମାନଙ୍କ ୱାର୍ଡରେ ବିଏମ୍‌ସି ଡ୍ରେନ୍‌ ସଫା କରିବେ। ସଫେଇ ସଂସ୍ଥା ୫୭ଟି ୱାର୍ଡରେ ଡ୍ରେନ୍‌ରୁ ଆବର୍ଜନା କାଢ଼ିବା ସହ ଜଳ ପ୍ରବାହ ସ୍ବାଭାବିକ କରିବେ। ବିଏମ୍‌ସିର ଡ୍ରେନେଜ୍ ଡିଭିଜନ୍‌ ବିଏମ୍‌ସି ଅଳିଆ ଉଠାଉଥିବା ୧୦ଟି ୱାର୍ଡରେ ଥିବା ବିଏମ୍‌ସି ଡ୍ରେନ୍ ଓ ୧୦ଟି ମୁଖ୍ୟ ଡ୍ରେନ୍‌ ସଫା କରି‌ବ। ବିଏମ୍‌ସି ଅଧୀନରେ ପ୍ରାୟ ୪୦୦ କିମିର ଡ୍ରେନ୍ ଥିବା ବେଳେ ସେଗୁଡ଼ିକୁ ସଫା କରାଯିବ। ଏପ୍ରିଲ୍ ଓ ମେ’ ମାସରେ ଏହି ସଫେଇ ହେବ।

ସେହିପରି ପୂର୍ତ୍ତ ବିଭାଗ ଅଧୀନରେ ପ୍ରାୟ ୩୭୦କିମିର ଡ୍ରେନ୍ ଥିବା ବେଳେ ସେଗୁଡ଼ିକୁ ପୂର୍ତ୍ତ ବିଭାଗ ସଫା କରିବ। ଏଥିପାଇଁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା)ଙ୍କୁ ଚିଠି ଲେଖାଯିବ। ରାଜଧାନୀର ଜଳପ୍ରବାହରେ ପୂର୍ତ୍ତ ବିଭାଗର ଡ୍ରେନ୍‌ଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ପୂର୍ତ୍ତ ବିଭାଗ ଯଦି ତା’ର ସମସ୍ତ ଡ୍ରେନ୍ ମୌସୁମୀ ପୂର୍ବରୁ ସଫା କରିଦେବ, ତେବେ ରାଜଧାନୀର ଜଳବନ୍ଦୀ ସମସ୍ୟାର ଅଧା ସମାଧାନ ହୋଇଯିବ। କାରଣ ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତାରେ ପୂର୍ତ୍ତ ବିଭାଗର ଡ୍ରେନ୍ ଥିବା ବେଳେ ଅଧିକାଂଶ ଜଳବନ୍ଦୀ ସମସ୍ୟା ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ହୋଇଥାଏ। ତେଣୁ ମୌସୁମୀ ବର୍ଷା ପୂର୍ବରୁ ଡ୍ରେନ୍‌ ସଫା କରିବାକୁ ପୂର୍ତ୍ତ ବିଭାଗକୁ କୁହାଯିବ।

ସେହିପରି ଜାତୀୟ ରାଜପଥରେ ଏବଂ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଯୋଗୁଁ ହେଉଛି। ନୂ୍ଆପଲ୍ଲୀ, ରୁଦ୍ରପୁର, ରସୁଲଗଡ଼ ଆଦି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍ ଯୋଗୁଁ ହେଉଛି। ଏହି ଡ୍ରେନ୍‌ଗୁଡ଼ିକ ସଫା ହେଉନଥିବାରୁ ଏଠାରେ ଜଳ ନିଷ୍କାସନ ହେଉନି। ଏପରିକି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ୪୫କିମିର ଡ୍ରେନ୍ ଥିବା ବେଳେ ସେମାନେ ସଫା କରୁନାହାନ୍ତି। ତେଣୁ ‌ଦୁଇ ମାସ ମଧ୍ୟରେ ସବୁ ଡ୍ରେନ୍ ସଫା କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକଙ୍କୁ ଚିଠି ଲେଖିବୁ।

ବିଭିନ୍ନ ଶିଳ୍ପାଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ନହେବ, ସେଥିପାଇଁ ଇଡ୍‌କୋ ସିଜିଏମ୍‌ଙ୍କୁ ଚିଠି କରାଯିବ। ସେମାନେ ତାଙ୍କ ଅଧୀନରେ ଥିବା ପ୍ରାୟ ୧୫ କିମିର ଡ୍ରେନ୍ ସଫା କରିବାକୁ କୁହାଯାଇଛି। ଏବେ ବିଭିନ୍ନ ଶିଳ୍ପାଞ୍ଚଳକୁ ସଂଯୋଗ କରି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ଓ ଡ୍ରେନ୍ ନିର୍ମାଣ ହୋଇଥିବାରୁ କିଏ କେଉଁ ଡ୍ରେନ୍ କିପରି ସଫା କରିବେ, ତାହା ଦୁଇ ବିଭାଗ ଆଲୋଚନା କରି କରିବେ। ଆମର ଜୁନ୍ ୧ ପୂର୍ବରୁ ଡ୍ରେନ୍ ସଫା ହେବା ଦରକାର।

ସେହିପରି କଳିଙ୍ଗନଗର ଏବଂ ବିଡିଏ ନିର୍ମାଣ କରିଥିବା ବିଭିନ୍ନ କଲୋନି ଅଞ୍ଚଳରେ ବିଡିଏ ଡ୍ରେନ୍ ନିର୍ମାଣ କରିଛି। ସବୁ ‌ଅଞ୍ଚଳରେ ଡ୍ରେନ୍ ବିଏମ୍‌ସିକୁ ହସ୍ତାନ୍ତର କରାଯାଇନି। ତେଣୁ ସେ ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ହେବନି, ସେଥିପାଇଁ ବିଡିଏ ଡ୍ରେନ୍‌ ସଫା କରିବା ଦରକାର। ଏଥିପାଇଁ ଆମେ ବିଡିଏ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିବୁ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ସବୁ ବିଭାଗ ଯଦି ଦୁଇମାସ ମଧ୍ୟରେ ସେମାନଙ୍କର ସବୁ ଡ୍ରେନ୍ ସଫା କରିଦେବେ, ତେବେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ହେବନି। ସମସ୍ତଙ୍କୁ ମିଳିତ ଭାବେ ପଦକ୍ଷେପ ନେବାକୁ ହେବ।

ସମ୍ବନ୍ଧିତ ଖବର