ଭୁବନେଶ୍ବର: ପଚାଶ ହଜାର ଟଙ୍କା ଲେଖାଏଁ ଖର୍ଚ ହୋଇ ୧୨ଟା କୁଞ୍ଜ ନିର୍ମିତ ହେଲା। ୭ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ ହୋଇ ୧୧ଟା ବ୍ରୋଞ୍ଜ ମୂର୍ତି ପ୍ରସ୍ତୁତ ହେଲା। ୧୭ ଏକର ଜାଗାରୁ ବଢ଼ିବଢ଼ି ୨୨ ଏକର ଜାଗାରେ ପହଞ୍ଚିଲା। ପରିସରକୁ ଲାଗି ଏକ ହର୍ବାଲ ଗାର୍ଡେନ୍ ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୮ ଏକର ଜମି ଦେଲା। ମାତ୍ର ସବୁଜ ସମୃଦ୍ଧ ଏହି ପ୍ରକଳ୍ପକୁ ନିଜ ଅଧୀନରେ ରଖିବାକୁ ମୁହଁ ମୋଡ଼ୁଛି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି)। ଆଜକୁ ପ୍ରାୟ ୬ ମାସ ତଳେ ପର୍ଯ୍ୟଟନ ବିଭାଗ ଏବଂ ଓଏଫ୍ଡିସି ମଧ୍ୟରେ ମିଳିତ ଆଲୋଚନା ପରେ ସମ୍ପୂର୍ଣ୍ଣ ପ୍ରକଳ୍ପର ଦାୟିତ୍ବ ଓଏଫ୍ଡିସି ନେବାକୁ ରାଜି ହୋଇଥିଲା। ମାତ୍ର ପ୍ରକଳ୍ପରୁ ଲାଭ ହେଉ ନଥିବାରୁ ଏବେ ଏଥିରୁ ଓହରି ଯିବାକୁ ବସିଛି। ଏପରି ସ୍ଥଳେ କେନ୍ଦୁବିଲ୍ବସ୍ଥିତ ଏହି ଜୟଦେବ ପୀଠର ଭାଗ୍ୟ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି।
ଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟ୍ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ତଥା ଐତିହାସିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ କହିବା ମୁତାବକ, ଉଭୟ ଓଏଫ୍ଡିସି ଓ ପର୍ଯ୍ୟଟନ ବିଭାଗ ଅଧୀନରେ ଜୟଦେବ ପୀଠର ପରିଚାଳନା ଦାୟିତ୍ବ ରହିଥିଲା। ଓଏଫ୍ଡିସି ପୀଠ ପରିସରରେ ଥିବା ଜଙ୍ଗଲ ଦାୟିତ୍ବ ବୁଝୁଥିବା ବେଳେ ପର୍ଯ୍ୟଟନ ବିଭାଗ ଅଧୀନରେ ଗୃହଗୁଡ଼ିକ ଥିଲା। ୬ ମାସ ତଳେ ଏକ ବୈଠକରେ ଓଏଫ୍ଡିସି ପୀଠର ପରିଚାଳନା ଦାୟିତ୍ବ ନେବ ବୋଲି ସ୍ଥିର ହେଲା। ଏନେଇ ଓଏଫ୍ଡିସି ଜମିର ସମସ୍ତ ତଥ୍ୟ ମାଗିଲା। ଜିଲ୍ଲାପାଳଙ୍କଠୁ ଜମିର ତଥ୍ୟ ଆଣି ପର୍ଯ୍ୟଟନ ବିଭାଗ ଓଏଫ୍ଡିସିକୁ ହସ୍ତାନ୍ତର କଲା। ମାତ୍ର ଏହା ଏକ ଲାଭଜନକ ପ୍ରକଳ୍ପ ହୋଇନଥିବାରୁ ଏଥିରୁ ଓହରି ଯିବାକୁ ଚାହିଁଛି। ଏମିତି ବି ପ୍ରକଳ୍ପଟି ଦିନକୁ ଦିନ ଋଗ୍ଣ ହୋଇ ଜୟଦେବ ପୀଠ ତା’ର ପୂର୍ବ ଶୋଭା ହରାଇ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସବୁଜ ସୁନ୍ଦର ସୁସଜ୍ଜିତ ଏହି ଭୂଇଁ ଏବେ ମଶାଣି ସଦୃଶ ପାଲଟିଛି। ସେଥିରେ ପୁଣି ବାତ୍ୟା ‘ଫନି’ ପ୍ରଭାବରେ ପୀଠ ଛାରଖାର ହୋଇଯାଇଛି। ତେବେ ଏହାର ପରିଚାଳନା ଦାୟିତ୍ବ କିଏ ନେବ ସେ ଭାଗ ଏଯାଏଁ ଛିଣ୍ଡୁନାହିଁ।
ଆଜି ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ଏହାକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁବିଲ୍ବର ଏହି ପବିତ୍ର ଭୂମିରେ ଥିବା ପୀଠକୁ ଉଦ୍ଧାର କରିବା ପାଇଁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ ଯୁଗ୍ମ କମିସନର ଡ. ଶୁଭ୍ରା ମହାନ୍ତି, ଜଙ୍ଗଲ ନିଗମର ପରିଚାଳନା ନିର୍ଦେଶକ ରାଜୀବ କୁମାର, ଖୋର୍ଧା ଡିଏଫ୍ଓ ସୁଦୀପ ନାୟକ, ପରିଚାଳକ ରୁଦ୍ରମଣି ସାହୁଙ୍କ ସମେତ ପର୍ଯ୍ୟଟନ ନିଗମର ଅନ୍ୟ ଅଧିକାରୀ, ଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଡ.ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, କେନ୍ଦୁବିଲ୍ବ ଗ୍ରାମ ପଞ୍ଚାୟତର ସରପଞ୍ଚ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପଟି ଆଉ ଆଗଭଳି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରୁ ନଥିବାରୁ କିଭଳି ଏହାର ପୁନରୁଦ୍ଧାର ହେବ ସେନେଇ ଆଲୋଚନା ହୋଇଥିଲା। ପୁନରୁଦ୍ଧାର ନିମନ୍ତେ ଆପାତତଃ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଯଦିଓ ବୈଠକରେ ସ୍ଥିର ହୋଇଛି କିନ୍ତୁ ପ୍ରକଳ୍ପଟିର ପରିଚାଳନା ଦାୟିତ୍ବ କିଏ ନେବ ତାହା ସ୍ପଷ୍ଟ ହୋଇପାରିନାହିଁ।
ଏନେଇ ଡ. ତ୍ରିପାଠୀ କହିଛନ୍ତି ଖଣ୍ଡଗିରିସ୍ଥିତ ଜୟଦେବ ବାଟିକାରୁ ଓଏଫ୍ଡିସି ବର୍ଷକୁ ୫ କୋଟି ଟଙ୍କା ଟିକେଟ୍ରୁ ଲାଭ ଉଠାଉଛି। ଯଦି ଏହାକୁ ଓଏଫ୍ଡିସି ନିଜ ଅଧୀନରେ ରଖିପାରୁଛି ତେବେ ଜୟଦେବ ପୀଠକୁ ବି ଓଏଫ୍ଡିସି କାହିଁକି ଆକର୍ଷଣୀୟ କରି ଏଠାରୁ ଲାଭ ନପାଇପାରିବ? ଏତଦ୍ବ୍ୟତୀତ ଜୟଦେବଙ୍କ ପୀଠ ଏକ ଐତିହାସିକ ଭୂମି ହୋଇଥିବାରୁ ଏହି ପ୍ରକଳ୍ପକୁ କେବଳ ଲାଭ ଉଦ୍ଦେଶ୍ୟରେ ବଞ୍ଚାଇ ରଖିବା ମନୋଭାବ ଜାତିର ଗୌରବମୟ ଇତିହାସକୁ କୁଠାରଘାତ ବୋଲି ସେ କହିଛନ୍ତି। ତେଣୁ ଏହାର ପରିଚାଳନା ଦାୟିତ୍ବ କିଏ ନେବ ତାହା ତୁରନ୍ତ ସ୍ଥିର କରାଯାଉ ବୋଲି ସେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-20-13.jpg)