ଇଣ୍ଡିଆ ସ୍କିଲ୍‌ସ-୨୦୧୮ର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଧନା

‘ସ୍କିଲ୍‌ଡ ଇନ୍ ଓଡ଼ିଶା’ ଦ୍ରୁତ ଉଦୀୟମାନ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌

ଭୁବନେଶ୍ବର : ଇଣ୍ଡିଆ ସ୍କିଲ୍‌ସ-୨୦୧୮ର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଧନା ଉତ୍ସବ ତଥା ସରକାରୀ ପଲିଟେକନିକ୍‌ର ନବନିଯୁକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସ୍ବାଗତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଧିତ କରିବା ସହିତ ନବନିଯୁକ୍ତି ୨୧୬ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର ସ୍ଥାୟୀ ଅର୍ଥନୈତିକ ନିୟୋଜନରେ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ସରକାରଙ୍କ ପ୍ରମୁଖ ସ୍ଥାନରେ ରହିଛି। ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ ଏକ ଦ୍ରୁତ ଉଦୀୟମାନ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ ହେବାକୁ ଯାଉଛି। ଯାହାକି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନମାନଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହେବା ସହିତ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ଓ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୁବକ/ଯୁବତୀଙ୍କ ସଫଳ ଅଂଶଗ୍ରହଣ ରାଜ୍ୟରେ ଦକ୍ଷତା ବିକାଶକୁ ଅଧିକ ଶକ୍ତିଶାଳୀ କରିବ। ନିକଟରେ ହୋଇଥିବା ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟରେ ୪୨.ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଥିବା ବେଳେ ଏଥିରେ ୬ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରୀ ପଲିଟେକନିକ୍‌ରେ ନବନିଯୁକ୍ତ ଅଧ୍ୟାପକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଲେ, ସର୍ବଭାରୀତୟସ୍ତରରେ ଓଡ଼ିଶା ଦକ୍ଷତା ବିକାଶକୁ ମାନ୍ୟତା ମିଳିବା ଏକ ଲକ୍ଷ୍ୟ ଥିଲା। ଅକ୍ଟୋବର ମାସରେ ନୂଆଦିଲ୍ଲୀଠାରେ ହୋଇଥିବା ଇଣ୍ଡିଆ ସ୍କିଲରେ ଓଡ଼ିଶା ୪ଟି ସ୍ବର୍ଣ୍ଣ, ୯ଟି ‌ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରିଛି। ବିଜୟ ଲାଭ କରିଥିବା ପ୍ରତିଯୋଗୀ ଋଷିଆର କାଜାନ ସହରରେ ହେବାକୁ ଥିବା ୪୫ତମ ‘ବିଶ୍ବ ଦକ୍ଷତା ପ୍ରତିଯୋଗିତା’ରେ ଭାରତର ପ୍ରତିନିଧିତ୍ବ କରିବେ। ଓଡ଼ିଶା ଦକ୍ଷତା ପ୍ରତିଯୋଗିତା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ନ ଥିବା ବେଳେ କେବଳ ଯୁବକ/ଯୁବତୀଙ୍କ ବୟସ ୨୧ବର୍ଷରୁ କମ୍ ହୋଇଥିବା ଦରକାର। ଯେଉଁ କୃତୀ ପ୍ରତିଯୋଗୀମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସେମାନଙ୍କୁ ଭୁବନେଶ୍ବରଠାରେ ହେବାକୁ ଥିବା ବିଶ୍ବ ଦକ୍ଷତା କେନ୍ଦ୍ରରେ ଟ୍ରେନର୍‌ ଭାବେ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଂଜୟ ସିଂହ କହିଲେ, ଇଣ୍ଡିଆ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ସ୍ଥାନ ହାସଲ କରିପାରିଛି। ଆଇଟିଏସ୍ ସିଙ୍ଗାପୁରର ମିଳିତ ସହଯୋଗତରେ ଭୁବନେଶ୍ବରଠାରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଯାହାକି ରାଜ୍ୟରେ ଦକ୍ଷତା ବିକାଶ ଦିଗରେ ଅଧିକ ସହାୟକ ହେବ। ଗତ ୨ବର୍ଷ ମଧ୍ୟରେ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର ବିକାଶ ଅଧିକ ତ୍ବରାନ୍ବିତ ହୋଇଛି। ଯାଜପୁରଠାରେ ନୂତନଭାବେ ପ୍ରତିଷ୍ଠା ହୋଇଥିବା ଶତ ପ୍ରତିଶତ କ୍ୟାମ୍ପସ୍ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛି। ବୋଲି ଶ୍ରୀ ସିଂହ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଉଷା ଦେବୀ ଓ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟର ନିର୍ଦେଶକ ବଲୱନ୍ତ ସିଂ ଉପସ୍ଥିତ ଥିଲେ।
ଏହି ଅବସରରେ ନୀଳମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ପରେ ଇଣ୍ଡିଆ ସ୍କିଲ୍‌ରେ ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଏସ୍‌ଡିଏର ସିଇଓ ରାଜେଶ ପ୍ରଭାକର ପାଟିଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର