‘ସଂଗୀତ ପିଲାଙ୍କ ଦୁଷ୍ଟାମି ଦୂର କରିପାରେ’

ପ୍ରାଚୀନ କଳାକେନ୍ଦ୍ରର ସମାବର୍ତନ ଉତ୍ସବ

ଦାମୋଦର, ଗୌରହରି, ପ୍ରଦୋଷ ସମ୍ବର୍ଧିତ

ଭୁବନେଶ୍ୱର : ସଂଗୀତ ମଣିଷର ଅନ୍ତଃସ୍ରୋତରେ ଥିବା ମୂଳ ପ୍ରବୃତ୍ତି। ଗୀତିମୟତା ମଣିଷର ଆଦିମ ପ୍ରବୃତ୍ତି। ଏହା କେବଳ ମନକୁ ଆହ୍ଲାଦିତ କରେନି, ବରଂ ରୋଗରୁ ଉପଶମ ଦିଏ। ଜର୍ମାନି ଓ ୟୁରୋପରେ ଭାରତୀୟ ସଂଗୀତ ଏବେ ବି ଏକ ଥେରାପି ଭାବେ ପ୍ରଚଳିତ। ଏହାକୁ ନେଇ ସ୍ୱତନ୍ତ୍ର ସଂଗୀତ ଥେରାପି କ୍ଲିନିକ୍‌ମାନ ମଧ୍ୟ ରହିଛି। ରାଗ ହଂସଧ୍ୱନି କାନ ରୋଗ ଦୂର କରି ପାରୁଥିବା ବେଳେ ଶଙ୍କରାଭରଣ ରାଗ ମୃତ୍ୟୁଜନିତ ଭୟ ଦୂର କରିବାରେ ଥେରାପି ଭାବେ ବିନିଯୋଗ ହେଉଛି। ଏକଥା କହିଛନ୍ତି ବିହାରସ୍ଥିତ ଗବେଷକ ତଥା ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ.ପ୍ରଫୁଲ୍ଲ କୁମାର ମିଶ୍ର। ଭଂଜ କଳାମଣ୍ଡପରେ ଅନୁଷ୍ଠିତ ବିଶ୍ୱରେ ୩୫୦୦ କଳା ଅନୁଷ୍ଠାନର ସଂସ୍ଥାପକ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡୀଗଡ଼ର ନବମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ସଂଗୀତ ଶିଖୁଥିବା ବ୍ୟକ୍ତି ବେଶି ଶୃଙ୍ଖଳିତ। ଏପରିକି ଦୁଷ୍ଟାମି କରୁଥିବା ପିଲା ସଂଗୀତ ଶିଖିଲେ ତା’ର ଖେଚଡ଼ାମି ଦୂର ହୋଇଯାଏ। ତେବେ ସଂଗୀତ ପେସା ନହୋଇ ନିଶା ହେବା ଉଚିତ୍‌ ବୋଲି ସେ କହିଥିଲେ। ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ର ନିର୍ଦେଶକ ଡ.ତମସାରାଣୀ ଦାସ ମହାପାତ୍ର ଭିତ୍ତିପ୍ରବନ୍ଧ ପାଠ କରି କହିଲେ, ଅନ୍ୟ ପ୍ରତିଭାମାନଙ୍କ ଅପେକ୍ଷା କଳାକାର ସର୍ବମହଲରେ ବେଶି ପ୍ରଶଂସିତ ହୁଏ।

ସନ୍ଧ୍ୟାରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ବିଶିଷ୍ଟ ମର୍ଦଳ ବାଦକ ବନମାଳି ମହାରଣା ଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ତଥା ‘କଥା’ର ସମ୍ପାଦକ ଗୌରହରି ଦାସ, ଉଡ୍ର ପଦ୍ଧତିର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଣ୍ଡିତ ଦାମୋଦର ହୋତାଙ୍କୁ ଦୀକ୍ଷାନ୍ତ ସଭାରେ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ସନ୍ଧ୍ୟାରେ ସମ୍ବର୍ଧିତ କରାଯାଇଥିଲା। କେନ୍ଦ୍ରର କୁଳସଚିବ ଶୋଭା କୋସର, ସଚିବ ସଜଲ କୋସର, ଓଡ଼ିଶା ସଂଯୋଜକ ଡ.ବସନ୍ତ ମିଶ୍ର, ସୁପରିନିଟେଣ୍ଡେଣ୍ଟ୍‌ ବ୍ୟୋମକେଶ ଜେନା, ରଂଜନ ବରୁଆ, ପ୍ରଭାତ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଦିବସବ୍ୟାପୀ ସଂଗୀତର କାର୍ଯ୍ୟକ୍ରମ ସମେତ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ସନ୍ଧ୍ୟାରେ ଗୌରାଙ୍ଗ ଚରଣ ଖୁଣ୍ଟିଆ, ଚନ୍ଦ୍ରମଣି ଲେଙ୍କାଙ୍କ ଶାସ୍ତ୍ରୀୟ ସଂଗୀତ ଏବଂ ପୁଷ୍ପରଂଜନ ମଙ୍ଗରାଜଙ୍କ ନୃତ୍ୟ ସଂଯୋଜନାରେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର