ଭୁବନେଶ୍ବର: ରାଜଧାନୀରେ ବଦଳୁଛି ନିଶା ବେପାର ତରିକା, ବଦଳୁଛି ବେପାରୀଙ୍କ କୌଶଳ। କେତେବେଳେ ଗାଡ଼ି ହେଡ୍ ଲାଇଟରେ ତ ଆଉ କେତେବେଳେ ପରିବା ବ୍ୟାଗରେ ବ୍ରାଉନସୁଗାର ପୂରାଇ ବିକ୍ରି କରୁଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା ବସ୍ତି ଓ ଗଳିକନ୍ଦିରେ ନିଶା ବେପାର ମଙ୍ଗ ଧରିଛନ୍ତି ମହିଳା ବେପାରୀ। ଗତ ଦୁଇଦିନରେ ତିନି ମହିଳା ବେପାରୀ ଗିରଫ ହେବା ଘଟଣାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର, ଗଞ୍ଜେଇ ବିକ୍ରି କରୁଥିବା ବେପାରୀଙ୍କୁ ଧରିବା ପାଇଁ ଜୋରଦାର ଚଢ଼ଉ ଆରମ୍ଭ କରିଛି ଅବକାରୀ ଟିମ୍। ଛୋଟ ପରିମାଣର ବ୍ରାଉନସୁଗାର ଧରା ପଡ଼ୁଥିବା ବେଳେ ବଡ଼ ବେପାରୀଙ୍କ ଉପରେ ନଜର ପକାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ୨୦୨୧ ଏପ୍ରିଲରୁ ୨୦୨୨ ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ କେବଳ ଅବକାରୀ ଟିମ୍ ୨୧ ଜଣ ମହିଳା ନିଶା ବେପାରୀଙ୍କୁ ଗିରଫ କରିଛି। ସେହିପରି ପୁଲିସ ମଧ୍ୟ ୧୦ରୁ ଅଧିକ ମହିଳା ନିଶା ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ରାଜଧାନୀରେ ବ୍ରାଉନସୁଗାର, ହେରୋଇନ୍ ପରେ ଏବେ କୋକେନ୍ ବିକ୍ରି ହେବା ଘଟଣା ଚିନ୍ତାଜନକ ପାଲଟିଛି। ବଡ଼ବଡ଼ିଆ, ହାଇପ୍ରୋଫାଇଲଙ୍କ ପାଖକୁ କୋକେନ୍ ଯାଉଥିବା ଜଣାପଡ଼ିଛି।

କାହିଁକି ମହିଳା?

ବସ୍ତି ଅଞ୍ଚ​ଳରେ ମହିଳାମାନେ ବ୍ରାଉନସୁଗାର ବିକ୍ରି କରନ୍ତି। କଲେଜ ଛାତ୍ର, ନିଶା ଖାଉଥିବା ଯୁବକମାନେ ତାଙ୍କ ଠାରୁ କିଣିଥାନ୍ତି। ଅଳ୍ପ ପରିମାଣର ସାମଗ୍ରୀ ହୋଇଥିବାରୁ ମହିଳାଙ୍କୁ ଲୁଚାଇବାକୁ ସୁବିଧା ହୋଇଥାଏ। ସେମାନେ ଆରାମରେ ବୁଲାବୁଲି କରନ୍ତି। ତେଣୁ ସହଜରେ ସନ୍ଦେହଘେରକୁ ଆସନ୍ତି ନାହିଁ। ମହିଳାଙ୍କୁ ଧରିବାକୁ ହେଲେ ମହିଳା ପୁଲିସ କର୍ମଚାରୀଙ୍କ ସହାୟତା ନେବାକୁ ପଡ଼ିଥାଏ।

ଦୁଇ ଦିନରେ ଧରାପଡ଼ିଲେଣି ୩

ଅବକାରୀ ଟିମ୍ କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣୀ ବସ୍ତି ଗେଟରେ ଚଢ଼ଉ କରି ଆଜି ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ରଞ୍ଜୁ ନାୟକ(୩୫)। ତାଙ୍କ ଠାରୁ ୬୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସେହିପରି ବଡ଼ଗଡ଼ ଉପରସାହିରେ ଅବକାରୀ ଟିମ୍ ଆଜି ଚଢ଼ଉ କରି ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ରୀନା ପ୍ରଧାନ(୩୫)। ତାଙ୍କ ଠାରୁ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଦୁଇ ଜଣଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରିଛି ଅବକାରୀ ଥାନା। ସୂଚନାଯୋଗ୍ୟ, ଗତକାଲି ସାଲିଆସାହି ନୟାଗଡ଼ ସାହିରୁ ଝୁନି ପ୍ରଧାନଙ୍କୁ ଗିରଫ କରାଯିବା ସହ ତାଙ୍କୁ ଠାରୁ ୫୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।

ଅଫିମରୁ ହେରୋଇନ୍, କୋକା ଲିଫ୍‌ରୁ କୋକେନ୍

ଅଫିମରୁ ବ୍ରାଉନସୁଗାର ପ୍ରସ୍ତୁତ କରାଯାଏ। ଅଫିମ ମଞ୍ଜିର ଚୋପା ଛଡ଼ାଇ ଦେଲେ ସେଥିରୁ କ୍ଷୀର ଝରିଥାଏ। ଏହି କ୍ଷୀର ଝରି ଗୁଡ଼ାଖୁ ଭଳି କଳା ହୋଇ ଜମା ହୋଇ ଯାଇଥାଏ। ଏହାକୁ ଅଫିମ କୁହାଯାଏ। ପ୍ରୋସେସିଂ ପରେ ଏହା ଧଳା ପାଉଡ଼ର ଭଳି ହୋଇ ଯାଇଥାଏ। ଏହାକୁ ହେରୋଇନ୍ କୁହାଯାଏ। ଠିକ୍ ଗୁଡ଼ରୁ ଚିନି ହେଲା ଭଳି। ଏହା ବିଭିନ୍ନ ସ୍ଥାନକୁ ଚାଲାଣ ହେଲା ପରେ ଅପମିଶ୍ରଣ କରାଯାଇ ବିକ୍ରି କରାଯାଏ। ସ୍ଥାନୀୟ ମାର୍କେଟରେ ଏହାକୁ ବ୍ରାଉନସୁଗାର କୁହାଯାଏ। ସେହିପରି କୋକା ନାମକ ଏକ ଗଛର ପତ୍ରରୁ କୋକେନ୍ ପ୍ରସ୍ତୁତ କରାଯାଏ। ଯେଉଁ କ୍ଷୀର ଝରିଥାଏ ତାହାକୁ ପ୍ରୋସେସିଂ କରି କୋକେନ୍ ପ୍ରସ୍ତୁତ ହୁଏ ବୋଲି ଜଣାପଡ଼ିଛି। ବିଶେଷ କରି ଦକ୍ଷିଣ ଆମେରିକା, ବ୍ରାଜିଲ୍, ମେକ୍ସିକୋ, ଆଫ୍ରିକାରେ ଏହି ଗଛ ଦେଖାଯାଏ ଓ ସେଠାରେ ହିଁ କୋକେନ୍ ପ୍ରସ୍ତୁତ କରାଯାଏ।