ଚନ୍ଦ୍ରଶେଖରପୁର ଥାନାର ମହିଳା କର୍ମଚାରୀ କରୋନା ପଜିଟିଭ୍‌, ପୁଲିସ ସାଜିବ କି ସ୍ପ୍ରେଡର!

ଚନ୍ଦ୍ରଶେଖରପୁର : ବୁଧବାର ଚନ୍ଦ୍ରଶେଖରପୁର ଥାନାର ଜଣେ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଖବର ମିଳିବା ପରେ ପ୍ରାଥମିକ ପଦକ୍ଷେପଭାବେ ଥାନାକୁ ସାନିଟାଇଜ୍ କରାଯାଇଛି। କିନ୍ତୁ ଅନ୍ୟ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ। ଉକ୍ତ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଥାନାର ସମସ୍ତ କର୍ମଚାରୀ ଏବେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଟାଇପ୍‌ଷ୍ଟଭାବେ କାମ କରୁଥିବା ଏହି ମହିଳା କର୍ମଚାରୀଙ୍କ ସହ ପ୍ରାୟ ସମସ୍ତେ ପ୍ରତ୍ୟେକ୍ଷ ବା ପରୋକ୍ଷରେ ସଂସ୍ପର୍ଶରେ ଆସିଥିବାରୁ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାନୁସାରେ ମହିଳା ପୁଲିସ କର୍ମଚାରୀ ଜଣକ ରହୁଥିବା ବିଲ୍ଡିଂରେ ଜଣେ ପଡ଼ୋଶୀ କରୋନା ପଜିଟିଭ୍‌ ବୋଲି ଚିହ୍ନଟ ହୋଇଥିଲେ। ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ନିଆଯିବାପରେ ଉକ୍ତ ବିଲ୍‌ଡିଂର ସମସ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି ସମୟରେ ଉକ୍ତ ବିଲ୍ଡିଂର ସମସ୍ତଙ୍କଠାରୁ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା ଓ ଯାଞ୍ଚ ପାଇଁ ପଠା ଯାଇଥିଲା। ମାତ୍ର ଉକ୍ତ ମହିଳା ପୁଲିସ କର୍ମଚାରୀ ଜଣକ ସଙ୍ଗରୋଧରେ ନ ରହି ଥାନାକୁ ଆସି କାମ କରିଥିଲେ। ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ତାଙ୍କୁ ଥାନାରେ କାମ କରିବାକୁ ସୁଯୋଗ ଦିଆଯାଇଥିଲା। ପ୍ରାୟ ୩/୪ ଦିନ ଧରି ସେ ଥାନାରେ କାମ କରି ଆସୁଥିଲେ। କିନ୍ତୁ ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ସମସ୍ତଙ୍କ ମୁଣ୍ଡ ଘୂରାଇ ଦେଇଛି। ଥାନାର ପ୍ରାୟ ସମସ୍ତ କର୍ମଚାରୀ ପରୋକ୍ଷ‌ରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ମାତ୍ର ଏପରି ସ୍ଥଳେ କେବଳ ଥାନାକୁ ସାନିଟାଇଜ୍ କରାଯାଇଛି। ଅନ୍ୟ କର୍ମଚାରୀମାନେ ପୂର୍ବଭଳି କର୍ତ୍ତବ୍ୟରତ ଅଛନ୍ତି। ଥାନାର ଯାବତୀୟ କାମରେ ସେମାନେ ଲାଗିଛନ୍ତି। ଏମିତିକି ଲକ୍‌ଡାଉନ୍‌ ଚାଲିଥିବାରୁ ସେମାନେ ରାସ୍ତାରେ ଯାନବାହାନ ଯାଞ୍ଚ କରୁଛନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୁଲିସ ବୋଲି କେହି ଭୟରେ ମୁହଁ ଖୋଲୁନଥିଲେ ମଧ୍ୟ ପୁଲିସ କର୍ମଚାରୀଙ୍କଠାରୁ କରୋନା ବ୍ୟାପିବ ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର