ଚନ୍ଦ୍ରଶେଖରପୁର: ଇନ୍ଫୋସିଟି ଥାନା ଆଦର୍ଶବିହାର କଲୋନିରେ ଥିବା ଏକ ଘରୋଇ ଲେଡିଜ୍ ହଷ୍ଟେଲ ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ହେଉଛନ୍ତି ସୋନାଲି ସଂଘମିତ୍ରା ପରିଡ଼ା(୨୧)। ତାଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇ। ସେ ତିନିବର୍ଷ ହେବ ଭୁବନେଶ୍ବର ପଟିଆ ଅଞ୍ଚଳକୁ ଆସି ଏକ ବିଲଡର ସଂସ୍ଥାରେ କାମ କରୁଥିଲେ। ସୋସିଆଲ୍ ମିଡିଆରେ ସେ ଫୁଡ୍ ବ୍ଲଗର ଭାବରେ ପରିଚିତ ଥିଲେ। ଆତ୍ମହତ୍ୟା କାରଣ ସ୍ପଷ୍ଟ ହୋଇ ନାହିଁ। ଇନ୍ଫୋସିଟି ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି।
ଗତକାଲି ତାଙ୍କ ସହ ରହୁଥିବା ଅନ୍ୟ ଦୁଇ ଜଣ ଯୁବତୀ ଗାଁକୁ ଚାଲିଯିବାରୁ ସେ କଟକର ଜଣେ ବନ୍ଧୁଙ୍କ ନିକଟକୁ ଯାଇଥିବା ହଷ୍ଟେଲ୍ରେ କହିଥିଲେ। ସେଠାରୁ ରାତିରେ ଫେରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରଭିତରେ ଲାଇଟ୍ ଜଳୁଥିବାରୁ ମହିଳା ୱାର୍ଡେନ୍ କବାଟ ବାଡ଼େଇ ଥିଲେ। ହେଲେ ସୋନାଲି କିଛି ଉତ୍ତର ନଦେବାରୁ ହଷ୍ଟେଲ ସୁରକ୍ଷାକର୍ମୀଙ୍କ ସହାୟତାରେ କବାଟ ଭାଙ୍ଗିଥିଲେ। ସୋନାଲି ପାଇଖାନା ସ୍କାଏ ଲାଇଟ୍ରେ ନିଜ ଓଢ଼ଣୀକୁ ବେକରେ ବାନ୍ଧି ଝୁଲି ପଡ଼ିଥିବା ଦେଖି ପୁଲିସ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ପହଞ୍ଚିବା ପରେ ଦୁଇ ଗୋଡ଼ ତଳେ ଲାଗିଥିବା ଦେଖିଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ପୁଲିସ ନ ଡାକି ଘର କବାଟ ଭାଙ୍ଗିଥିବାରୁ ହତ୍ୟା ସନ୍ଦେହ କରିଥିଲେ। ପୁଲିସ ସାଇଣ୍ଟିଫିକ୍ ଟିମ୍ ଡାକି ସୋନାଲି ରହୁଥିବା ରୁମ୍ ଓ ପାଇଖାନାର ବିଭିନ୍ନ ସ୍ଥାନକୁ ଯାଞ୍ଚ କରିଛି। ସେ ରବିବାର କେଉଁଆଡ଼େ ଓ କାହା ସହ ଯାଇଥିଲେ, କାହାକୁ ଫୋନ୍ କରିଥିଲେ, ମୋବାଇଲକୁ ଜବତ କରି ସେ ସବୁ ତଦନ୍ତ କରୁଛି। ହଷ୍ଟେଲ ଅନ୍ତେବାସୀ ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛି। ତେବେ ପ୍ରାଥମିକ ଅନୁସନ୍ଧାନରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରମାଣ ମିଳିଲେ ହତ୍ୟା ମାମଲା ହୋଇପାରେ ବୋଲି କହିଛି।