ଭୁବନେଶ୍ବର: ଯିଏ ଚାଲିଯାଏ, ଆଉ ଫେରିନଥାଏ ସେ ଅତୀତ। ଯିଏ ଚାଲିଯାଏ ଆଉ ଫେରିବାର ମଧ୍ୟ ନଥାଏ, ହେଲେ ଜାଣିଲା ପରେବି ଯାହାର ବାଟ ଆମେ ଚାହିଁ ବସିଥାଉ, ସେ ସ୍ମୃତି। ସମ୍ପର୍କର ବେଳାଭୂଇଁରୁ ମୁହୂର୍ତ୍ତ ମାନଙ୍କୁ ବାଲିଗରଡ଼ା ପରି ଆମେ ସାଇତି ରଖୁ। ଏମିତି ଅନେକ ସ୍ମୃତି ଓ ମୁହୂର୍ତ୍ତ ମାନଙ୍କର ରତ୍ନ ପଥରକୁ ହାର କରି ସମ୍ପର୍କର ଗଳାରେ ପିନ୍ଧେଇ ଦେଉ। ସ୍ୱପ୍ନ ଓ ନିଷ୍ଠୁର ବାସ୍ତବତା ମଝିରେ ଦୋଳାୟମାନ ପ୍ରେମ, କେବେ ଆଣେ ଝୁରିହବା ତ କେବେ ପୁଣି ଖୋଜେ ଏ ବନ୍ଧନରୁ ମୁକ୍ତି। କେବେକେବେ ଭଲପାଇବା ଏତେ ତୀବ୍ର ହୁଏ ଯେ, କଳ୍ପନା ଠାରୁ ବାସ୍ତବତା ଅଧିକ ବାସ୍ତବ ଲାଗେ ଆଉ ଲୋକଟା ସ୍ମୃତିର କଙ୍କାଳ ସହ, ପ୍ରେମର ଜୀବାଷ୍ମ ସହ ବାକି ଜୀବନ ବଞ୍ଚିରହେ।

Advertisment

ଭଲପାଇବାରେ ଏତେ କୁହୁକ ଥାଏ ଯେ, କାହାର ଥିବା ନଥିବା ଭିତରେ ଫରକ ଦିଶେନା। ଲୋକଟା ବିଶ୍ୱାସ କରେ ଯେ, ପ୍ରେମର ବନ୍ଧନରେ ହିଁ ତାର ମୁକ୍ତି। ଏହି ଭଳି ଏକ ଭିନ୍ନ ସ୍ବାଦର କାହାଣୀକୁ ନେଇ ଉତ୍ତରପୁରୁଷ ଥିଏଟର୍‌ ଗ୍ରୁପ୍‌ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ‘ନାରୀର କଙ୍କାଳ’ ନାଟକ ପରିବେଷଣ କରାଯାଇଥିଲା। ଦେବଦତ୍ତ ପତିଙ୍କ ନିର୍ଦ୍ଦେଶିତ ଏହି ନାଟକରେ ରାଣେଶ, ସୁଧାଂଶୁ, ଦେବଦତ୍ତ ଓ ପ୍ରତିମା ପ୍ରମୁଖ ଅଭିନୟ କରିଥିଲେ। ସହ ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ଓ ନିଶିକାନ୍ତ। ନାଟକର ମୂଳ ଇଂରାଜୀ ରଚୟିତା ହେଉଛନ୍ତି କଳ୍କୀ କେଳ୍କା ଓ ପ୍ରଶାନ୍ତ ପ୍ରକାଶ ଓ ଏହାର ଓଡ଼ିଆ ଅନୁବାଦ କରିଛନ୍ତି ଶକ୍ତି ମହାନ୍ତି।