କୁସନ୍‌ କମ୍ପାନିରେ ମହିଳା କର୍ମଚାରୀଙ୍କ ବିକ୍ଷୋଭ

ବାରଙ୍ଗ/ମେଣ୍ଢାଶାଳ : ଚନ୍ଦକା ଅଞ୍ଚଳରେ ଥିବା ଏକ କୁସନ୍ କାରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ଜଣେ ମହିଳା ଅଧିକାରୀ ବାରମ୍ବାର ଛଟେଇ ଧମକ ଦେଇ ହଇରାଣ କରୁଛନ୍ତି। ଏମିତି ଅଭିଯୋଗ ନେଇ ସୋମବାର ଦିନ କମ୍ପାନି ସମ୍ମୁଖରେ ମହିଳା କର୍ମଚାରୀମାନେ ଧାରଣାରେ ବସିଥିଲେ। ଗଣ୍ଡଗୋଳ ଆଶଙ୍କାରେ ଚନ୍ଦକା ଥାନା ପୁଲିସ ସେଠାରେ ଉପସ୍ଥିତ ରହି ଧାରଣାରତ ମହିଳା କର୍ମଚାରୀମାନଙ୍କୁ ବୁଝାସୁଝା କରିବା ସହ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲା। ଧମକ ଦେଉଥିବା ମହିଳା ଅଧିକାରୀ ଆଉ ଆଗକୁ ସେଭଳି କିଛି କରିବେ ନାହିଁ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ମହିଳା ଶ୍ରମିକମାନଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ଦିନ ଉକ୍ତ ମହିଳା ଅଧିକାରୀଜଣକ ଦୁଇ କର୍ମଚାରୀ ରଶ୍ମିତା ମହାନ୍ତି ଓ ମିନତି ସାହୁଙ୍କୁ ଡାକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କଟୁ ମନ୍ତବ୍ୟ ମଧ୍ୟ ଦେଇଥିଲେ। ପୂର୍ବରୁ ସେ ବିନା କାରଣରେ ସେମାନଙ୍କୁ କାମରୁ ଛଟେଇ କରିବାକୁ ଧମକ ଦେଉଥିଲେ। ଏସଂକ୍ରାନ୍ତରେ ଦୁଇ ମହିଳା ଶ୍ରମିକ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗ ପରେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଲାନାହିଁ। ତେଣୁ ପ୍ରତିବାଦରେ ଆଜି ମହିଳା କର୍ମଚାରୀମାନେ କମ୍ପାନି ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଶ୍ରମିକ ନେତା ଜନାର୍ଦ୍ଦନ ପତି, ମହିଳା ନେତ୍ରୀ ତାପସୀ ପ୍ରହରାଜ, ପୁଷ୍ପା ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀମାନଙ୍କ ସହ ଧାରଣାରେ ବସିଥିଲେ। ଖବର ପାଇ ଚନ୍ଦକା ଥାନା ପୁଲିସ ଅନ୍ଦୋଳନ ସ୍ଥଳକୁ ଯାଇଥିଲା।

ସମ୍ବନ୍ଧିତ ଖବର