ବାଲିଅନ୍ତା: ବାଲିଅନ୍ତା ଅଞ୍ଚଳରେ ଏବେ ବିଭିନ୍ନ ରାସାୟନିକ ସାରର କଳାବଜାର ଦେଖାଦେଇଛି। ଡିଲର ପଏଣ୍ଟ ଓ ସମବାୟ ସମିତିରେ ଏହାର କଳାବଜାର ହେଉଥିବା ଜଣାଯାଇଛି। ଚାଷୀମାନେ ଏନେଇ ବ୍ଲକ୍‌ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବିଶେଷ କରି ପଟାସ, ୟୁରିଆ ଓ ଡିଏପି ସାର ଆଦୌ ମିଳୁନଥିବା ଚାଷୀମାନେ କହିଛନ୍ତି। ଡିଲର ଓ ସମବାୟ ସମିତିରେ ଯେତିକି ସାର ଅଛି ତାହାକୁ ଯଥେଷ୍ଟ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। 

Advertisment

ଦୋକାନରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି

ଜଣେ ସାର ଦୋକାନୀଙ୍କ ସୂଚନା ଅନୁସାରେ ୟୁରିଆ ୪୫ କେଜି ପ୍ୟାକେଟ ପିଛା ୩୪୦ ଟଙ୍କା, ଗ୍ରୋମର୍‌ ୫୦ କେଜି ପ୍ୟାକେଟ ପିଛା ୧୭୦୦ ଟଙ୍କା, ଡିଏପି ୫୦ କେଜି ପିଛା ୧୩୫୦ ଟଙ୍କା ଓ ପଟାସ ୫୦ କେଜି ପିଛା ୧୬୫୦ ଟଙ୍କାରେ ବିକ୍ରି ‌କରାଯାଉଛି। ଭୁବନେଶ୍ବର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ସଂପାଦକ ନିରଞ୍ଜନ ନାଥ କହିଛନ୍ତି, ସେ ବାଲିଅନ୍ତା ବ୍ଲକକୁ ୪୨୧ ମେଟ୍ରିକ ଟନ୍‌ର ବିଭିନ୍ନ ସାର ଯୋଗାଇ ଦେଇଛନ୍ତି। ହେଲେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ ରୁଆ ବେଉଷଣ କାର୍ଯ୍ୟ ଲାଗି ରହିଥିବା ବେଳେ ବଜାରରେ କିମ୍ବା ସମବାୟ ସମିତିରେ ଚାଷୀଙ୍କ ଆବଶ୍ୟକତା ଅନୁସାରେ ଏସବୁ ସାର ମିଳୁ ନାହିଁ। ଯାହାଫଳରେ ଚାଷୀ ଧାନ ରୋଇବା ପୂର୍ବରୁ ଜମିରେ ସାର ପକାଇ ପାରୁ ନାହିଁ କିମ୍ବା ଯେଉଁମାନେ ରୋଇ ସାରିଛନ୍ତି ଧାନଗଛ ବଢ଼ିବା ପାଇଁ ସାର ପ୍ରୟୋଗ କରିପାରୁ ନାହାନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି। 

ବାଲିଅନ୍ତା ବ୍ଲକ୍‌ କୃଷି ବିଭାଗ ସହକାରୀ କୃଷି ଅଧିକାରୀ ସ୍ଥିତିପ୍ରଜ୍ଞା ଖମାରୀଙ୍କ କହିବାନୁସାରେ ଏନେଇ ବହୁ ଚାଷୀ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସଂପର୍କରେ ସେ ଭୁବନେଶ୍ବର ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ସେହିପରି ଜଣେ ଡିଲର ନିଜ ନାମ ଗୋପନ ରଖି କହିଛନ୍ତି  ସରକାର ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସାର ଉପରେ ସବ୍‌ସିଡି ଦିଆଯିବାକୁ ନେଇ ଆଲୋଚନା ଚୂଡ଼ାନ୍ତ ହୋଇ ପାରି ନଥିବାରୁ ବଜାରରେ ସାରର ଅଭାବ ପରିଲକ୍ଷିତ ହେଉଛି। କିଛି ସମବାୟ ସମିତିରେ କେବଲ ଗ୍ରୋମର୍‌ ଓ ୟୁରିଆ ସାର ମହଜୁଦ ଅଛି। ହେଲେ ତାହା ପୁଣି ଚାଷୀଙ୍କ ଆବଶ୍ୟକତା ଅନୁସାରେ ମିଳୁ ନାହିଁ। ସେହିପରି ଖୋଲା ବଜାର ଓ ସମିତିରେ ପଟାସ ଓ ଡିଏପି ସାର ଆଦୌ ମିଳୁ ନଥିବା କୁହାଯାଉଛି। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।