ଫେଷ୍ଟ୍‌ ଭୁବନେଶ୍ବର

ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟସ୍ତରର ଉତ୍ସବ ଆୟୋଜିତ ହେଉଛି ଭୁବନେଶ୍ବରରେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏଥିରେ ଅଧିକ ଗୁରୁତ୍ବ ଦିଆଯାଇଛି। ବଲିଉଡ୍‌ର ମେଗା ଷ୍ଟାର୍‌ମାନଙ୍କୁ ନେଇ ଡି‌ସେମ୍ବର ୧ରୁ ୧୬ ତାରିଖ ଯାଏ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହେବ। ଏଥିରେ ସଙ୍ଗୀତ, ନୃତ୍ୟ, ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଚାଲିବ। ବଲିଉଡ୍‌ର ସଙ୍ଗୀତ ନିର୍ଦେଶକ ବିଶାଲ ଓ ଶେଖରଙ୍କୁ ନେଇ ୧ ତାରିଖଠାରୁ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ ଶ୍ରେୟା ଘୋଷାଲ୍‌, ସାନ୍‌, ସିଦ୍ଧାନ୍ତ ଶର୍ମା, ସୋନା ମହାପାତ୍ର, ଋତୁରାଜ, ନୁରାନି ସିଷ୍ଟରସ୍‌, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌, କ୍ରିଷ୍ଣା ବେଉରା, ବିଶ୍ବ କଲ୍ୟାଣ ରଥ, ଫରହାନ୍‌ ଅଖତାର, ଏସ୍‌ ମଣି, ଡିଜେ ଉଲି ପ୍ରମୁଖ ସାମିଲ ହେବେ। ଶେଷ ଦିନରେ ଶଙ୍କର-ଏହସାନ୍‌-ଲଏଙ୍କୁ ମଞ୍ଚରେ ଦେଖିବାକୁ ମିଳିବ। କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ବି ପରିବେଷିତ ହେବ। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ନିକଟରେ ସଙ୍ଗୀତ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଟିକେଟ୍‌ ବ୍ୟବସ୍ଥା ହୋଇଛି। ୨୫୦ ଟଙ୍କାର ଟି‌କେଟ୍‌ କରି ଛିଡ଼ା ହୋଇ ମନୋରଞ୍ଜନରେ ଭାଗ ନେଇପାରିବେ। ଏଠାରେ ଭିଭିଆଇପି ଓ ଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ୩ବର୍ଷରୁ ଅଧିକ ବର୍ଷର ପିଲାଙ୍କ ପାଇଁ ଟିକେଟ୍‌ ଆବଶ୍ୟକ। କାର୍ଯ୍ୟକ୍ରମ ସମୟରେ ଦର୍ଶକଙ୍କ କୌଣସି ଚୋରି, ହଜିଗଲେ ଆୟୋଜକ ଦାୟୀ ରହିବେ ନାହିଁ। ମଦ୍ୟପାନ ନିଷେଧ କରାଯାଇଛି। ଗୋଟିଏ ଟିକେଟ୍‌ରେ ଜଣେ ବ୍ୟକ୍ତି ପ୍ରବେଶ କରିପାରିବେ। ଭିଡିଓ ରେକର୍ଡିଂ, ଲେଜର ଲାଇଟ୍‌, ସିଗାରେଟ୍‌, ଦିଆସିଲି, ପାଣି ବୋତଲ୍‌, ମଦ ଆଦି ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଯଦି ‌କୌଣସି ବ୍ୟକ୍ତି ଗଣ୍ଡଗୋଳ କରିବାକୁ ଉଦ୍ୟମ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଭୁବନେଶ୍ବରକୁ ପାଖରୁ ଦେଖିବେ ପର୍ଯ୍ୟଟକ। ପର୍ଯ୍ୟଟନସ୍ଥଳୀ ବୁଲିବେ, ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବେ। ଶିଳ୍ପୀଙ୍କ କଳାକୃତିକୁ ଦେଖିବାର ସୁଯୋଗ ପାଇବେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ। ଏଥିପାଇଁ ଡିସେମ୍ବର ୧ରୁ ୧୬ ପର୍ଯ୍ୟନ୍ତ ରାଜଧାନୀ ଓ ଏହାର ଉପକଣ୍ଠରେ ଚାଲିବ ‘ଟୁର ଦି ସିଟି’। ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ହେବ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁରୂପ ଭାବେ ସମାନ କାର୍ଯ୍ୟକ୍ରମ ଚାଲିବ। ଡିସେମ୍ବର ୧ ଓ ୮ ତାରିଖରେ ଯେଉଁ କାର୍ଯ୍ୟକ୍ରମ ହେବ ୧୫ ତାରିଖରେ ତାହା ହେବ। ୨ ଓ ୯ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ୧୬ ତାରିଖରେ କରାଯିବ। ଡିସେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୨ଟା ୩୦ରୁ ରାତି ୭ଟା ୩୦ ପର୍ଯ୍ୟନ୍ତ ‘ଷ୍ଟୋରି ଟେଲିଂ’ କାର୍ଯ୍ୟକ୍ରମ ହେବ। ଆଇଜି ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ ଓ ଖାରବେଳ ପାର୍କରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ, ଜାତୀୟ ଓ ରାଜ୍ୟର ସାହିତ୍ୟିକ, କଳାକାରମାନେ ସାମିଲ ହେବେ।

୨୭ରେ ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବ। ଉତ୍ସବମୁଖର ହୋଇ ଉଠିଛି ଭୁବନେଶ୍ବର। ସାରା ସହର ନୂଆ ବେଶରେ ସଜେଇ ହୋଇଥିବା ବେଳେ ସବୁଠି ଭରିଲାଣି ହକି ଫେଭର୍‌। ଏହାକୁ ଅଧିକ ଆକର୍ଷଣ କରିବାକୁ ଲାଗିପଡ଼ିଛନ୍ତି ସ‌ମସ୍ତେ। ବିଡିଏ, ବିଏମ୍‌ସିଠାରୁ ଆରମ୍ଭ କରି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ପର୍ଯ୍ୟନ୍ତ ସହରରେ ଏକାଧିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାହାର ରାଜ୍ୟ ଓ ଦେଶକୁ ଆସୁଥିବା ପର୍ଯ୍ୟଟକ ତଥା ଦର୍ଶକଙ୍କୁ ସହରରେ ନିଆରା ଅନୁଭୂତି ଦେବାକୁ ଡିସେମ୍ବର ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ‘ଫେଷ୍ଟ ଭୁବନେଶ୍ବର’। ଏଥିରେ ପାଇଁ ଖାଦ୍ୟ ମହୋତ୍ସବ, ମନୋରଞ୍ଜନ, ପଦଯାତ୍ରା ଓ ଗଳ୍ପ ଆଦୃତି କାର୍ଯ୍ୟକ୍ରମ ହେବ। ପ୍ରଦର୍ଶନୀ ପଡ଼ିଆଠାରୁ ଆରମ୍ଭ କରି ନନ୍ଦନକାନନ, ଚନ୍ଦକା, ଖଣ୍ଡଗିରି-ଉଦୟଗିରି, ଏକାମ୍ର କ୍ଷେତ୍ର, ସଂଗ୍ରହାଳୟ, ପାର୍କଗୁଡ଼ିକୁ ଏଥିରେ ଯୋଡ଼ିବାକୁ ପ୍ରୟାସ ହୋଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକ ଯେପରି ଭୁବନେଶ୍ବରରେ ବାନ୍ଧି ହୋଇ ରହିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଇଂଲଣ୍ଡ ଟିମ୍‌ର ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌
ନଭେମ୍ବର ୨୮ରେ ସା‌ଇ ଇଣ୍ଟରନ୍ୟାସନାଲ ସ୍କୁଲ ବୁଲିବ ଇଂଲଣ୍ଡ ହକି ଟିମ୍‌। ପୂର୍ବାହ୍ଣ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ଟିମ୍‌ର ସଦସ୍ୟମାନେ କ୍ୟାମ୍ପସ୍‌ରେ ରହି ଛାତ୍ରଛାତ୍ରୀଙ୍କ ସହ ମିଶିବେ। ସ୍କୁଲ କ୍ୟାମ୍ପସ୍‌ରେ ପହଞ୍ଚିବା ପରେ ସେମାନଙ୍କୁ ଗେଟ୍‌ ନଂ-୪ରେ ସ୍ବାଗତ କରାଯିବ। ଏହାପରେ ଏନ୍‌ସିସି କ୍ୟାଡେଟ୍‌ମାନେ ଖଳାଳିଙ୍କୁ ଇନ୍ଦ୍ରପସ୍ଥ ପ୍ରେକ୍ଷାଳୟକୁ ପାଛୋଟି ନେବେ। ସେଠାରେ ପାରମ୍ପରିକ ନୃତ୍ୟ ପରିବେଷିତ ହେବ। ସ୍କୁଲ ଅଧ୍ୟକ୍ଷ ବିଜୟ କୁମାର ସାହୁ ସ୍ବାଗତ ଭାଷଣ ଦେବା ପରେ ବ୍ରିଟିସ୍‌ ଡେପୁଟି ହାଇକମିସନର, ଇଂଲଣ୍ଡ ହକି ଟିମ୍‌ର ନିର୍ଦେଶକ, ଇଂଲଣ୍ଡ ଟିମ୍‌ ଅଧିନାୟକ ବକ୍ତୃତା ଦେବେ। ଛାତ୍ରଛାତ୍ରୀଙ୍କ ସହ ଖେଳାଳିମାନଙ୍କ ପରିଚୟ ହେବା ସହ ସମ୍ବର୍ଧିତ କରାଯିବ। ପୂର୍ବାହ୍ଣ ୧୧ଟା ୫୦ରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଇଂଲଣ୍ଡ ହକି ଖେଳାଳିଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାପରେ ଫଟୋ ସେସନ୍‌ ହେବ। ପରେ ଟିମ୍‌ର ସଦସ୍ୟମାନେ କ୍ୟାମ୍ପସ ଛାଡ଼ିବେ।

ଷ୍ଟାଡିୟମ୍‌ର ପ୍ରତି ଷ୍ଟାଣ୍ଡରେ ଫାଷ୍ଟଏଡ୍ କିଓସ୍କ
ରାଜଧାନୀରେ ହକି ମହାସମର ଜୋର ଧରିଥିବା ବେଳେ ଖେଳାଳି ଓ ଦର୍ଶକଙ୍କ ସ୍ବାସ୍ଥ୍ୟକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ହକି ଇଣ୍ଡିଆର ଆପୋଲୋ ହସ୍ପିଟାଲ ସହିତ ଟାଏଅପ୍ ରହିଥିବାରୁ ସେଠାରେ ଖେଳାଳି ଓ ଅନ୍ୟ ଭିଭିଆଇପିମାନଙ୍କ ଚିକିତ୍ସା କରାଯିବ। ଷ୍ଟାଡିୟମ୍‌ ପରିସରରେ ଡ୍ରେସିଂ ରୁମରେ ଫାଷ୍ଟଏଡ୍ ସେଣ୍ଟର୍‌ କାର୍ଯ୍ୟ କରିବ। ଯଦି କୌଣସି ଖେଳାଳିଙ୍କୁ ହସ୍ପିଟାଲ ରେଫର୍‌ କରିବାକୁ ପଡ଼େ, ସେଠାରୁ ହିଁ ରେଫର୍‌ କରି ଦିଆଯିବ। ଅପରପକ୍ଷେ କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଓ ମ୍ୟାଚ୍ ସମୟରେ ଦର୍ଶକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲେ ଷ୍ଟାଡିୟମ୍‌ରେ ହିଁ ପ୍ରାଥମିକ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ପ୍ରତି ଷ୍ଟାଣ୍ଡରେ ଗୋଟିଏ ଲେଖାଏଁ ଫାଷ୍ଟଏଡ୍ କିଓସ୍କ ଖୋଲାଯିବ। ଫାଷ୍ଟଏଡ୍ କିଓସ୍କରେ ଜଣେ ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଓ ୪ଜଣ ‌ସ୍ବେଚ୍ଛାସେବୀ ଷ୍ଟ୍ରେଚର ସହିତ ରହିବେ। ପ୍ରତି କିଓସ୍କ ନିକଟରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍‌ସ ମଧ୍ୟ ରହିବ। ଯଦି କୌଣସି ପ୍ରକାର ଦଳାଚକଟା କିମ୍ବା ହିଂସା ଭଳି ଘଟଣା ଘଟେ, ଆହତମାନଙ୍କୁ ସଙ୍ଗେସଙ୍ଗେ ସେଠାରେ ଚିକିତ୍ସା ଦିଆଯିବ। ଯଦି ରୋଗୀଙ୍କୁ ହସ୍ପିଟାଲକୁ ରେଫର୍‌ କରିବାର ଆବଶ୍ୟକତା ପଡ଼େ, ତେବେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯିବ। କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ୭୦ଟି ଏସି ଶଯ୍ୟା ସଂରକ୍ଷିତ ରଖାଯାଇଛି। ଏହାସହ ୟୁନିଟ୍-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଇଏସ୍‌ଆଇ ହସ୍ପିଟାଲକୁ ଷ୍ଟାଣ୍ଡବାଏରେ ରଖାଯାଇଛି। ଏହି ଦୁଇ ହସ୍ପିଟାଲରେ ମଧ୍ୟ ଶଯ୍ୟା ସଂରକ୍ଷିତ ରଖାଯାଇଛି। ଖେଳାଳିମାନେ ବାହାରୁଥିବା ଗେଟ୍‌ରେ ଆପୋଲୋ ହସ୍ପିଟାଲ ପକ୍ଷରୁ ଫାଷ୍ଟଏଡ୍ କିଓସ୍କ ଖୋଲାଯିବ। ଷ୍ଟାଡିୟମ୍‌ରେ ୮ଟି ଆମ୍ବୁଲାନ୍‌ସ ରହିବ। ଏହାସହ କ୍ୟାପିଟାଲ ହସ୍ପିଟାଲରେ ଏଏଲଏସ୍ ଆମ୍ବୁଲାନ୍‌ସ ମଧ୍ୟ ରଖାଯିବ। ଆସନ୍ତାକାଲି ଆମ୍ବୁଲାନ୍‌ସର ସମୟକୁ ନେଇ ଏକ ମକଡ୍ରିଲ ହେବ। ଯଦି ଅତି ଜରୁରୀ ପରିସ୍ଥିତି ଉପୁଜେ ତେବେ ଦର୍ଶକଙ୍କୁ ଆପୋଲୋ, ଏସ୍‌ସିବି ଓ ଆମ୍ରି ହସ୍ପିଟାଲକୁ ପଠାଯିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଷ୍ଟାଡିୟମକୁ ସଂପୂର୍ଣ୍ଣ ମଶାମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତି ୪ ଦିନରେ ଥରେ ଷ୍ଟାଡିୟମ ଭିତରେ ଟିଫା ମେସିନ୍ ସହାୟତାରେ ମଶାଧୂଆଁ ଛଡ଼ାଯାଉଛି। ଏହାସହ ମଶା ଲାର୍ଭା ମାରିବା ପାଇଁ ତେଲ ଓ ପାଣି ଜମୁଥିବା ସ୍ଥାନରେ ଗାମ୍ବୁସିଆ ମାଛ ଛଡ଼ା ଯାଇଛି। ଡାକ୍ତରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁରୀ, ଖୋର୍ଧା ଓ ଏସ୍‌ସିବି ମେଡିକାଲରୁ ଡାକ୍ତରଙ୍କୁ ଆଣିବା ପାଇଁ ଯୋଜନା ହୋଇଛି।

୨୬ରୁ ମୋ ସାଇକେଲ୍‌
ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ୍‌’ର ଉଦ୍‌ଘାଟନ କରିବେ। ପୂର୍ବାହ୍ଣ ୧୦ଟା ୩୦ରେ ବିମାନବନ୍ଦର ଛକ ନିକଟରେ ପତାକା ଦେଖାଇ ପବ୍ଲିକ ବାଇସାଇକେଲ୍‌ ସେୟାରିଂ (ପିବିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରି‌ବେ। ପ୍ରଥମ ପର୍ଯ୍ୟାୟରେ ରାଜଧାନୀବାସୀଙ୍କ ପାଇଁ ଦୁଇ ହଜାର ମୋ ସାଇକେଲ୍‌ ବ୍ୟବସ୍ଥା ହୋଇଛି। ବିମାନବନ୍ଦର ନିକଟରୁ କିଟ୍‌ ଛକ-ଇନ୍‌ଫୋ‌ସିଟ୍‌ ଛକ, ଏଜି ଛକରୁ ଆଚାର୍ଯ୍ୟ ବିହାର ଦେଇ ସୈନିକ ସ୍କୁଲ, ଶିଶୁ ଭବନ ଛକରୁ ବାଣୀବିହାର, ରାଜଭବନ ଛକରୁ ସିଆର୍‌ପି ଛକ, ବିମାନବନ୍ଦର ଛକରୁ ଫାୟାର ଷ୍ଟେସନ୍‌ ଛକ ଦେଇ ଘାଟିକିଆ, ବରମୁଣ୍ଡା ବସ୍‌ ଟର୍ମିନାଲ, ଖଣ୍ଡଗିରି, କଳିଙ୍ଗ ବିହାର ଆଦି ସ୍ଥାନଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ‘ମୋ ସାଇକେଲ୍‌’ ଉପଲବ୍ଧ ହେବ।

କାନ୍ଥରେ ପୋଷ୍ଟ୍‌କାର୍ଡ, ପୋଷ୍ଟାଲ୍‌ ଷ୍ଟାମ୍ପ୍‌
ରାଜଭବନ ଛକରୁ ସୂର୍ଯ୍ୟନଗର ରାସ୍ତାର ଡାହାଣ ପାର୍ଶ୍ବ କାନ୍ଥଗୁଡ଼ିକ ଇନ୍‌ଲାଣ୍ଡ୍‌ ଲେଟର, ସ୍ପିଡ୍‌ପୋଷ୍ଟ୍‌ ଏବଂ ପୋଷ୍ଟ୍‌କାର୍ଡ ସଦୃଶ ସଜାଯାଇଛି। ଏଥିସହ ଏହି ଚିଠି ଉପରେ ଲାଗିଛି ଷ୍ଟାମ୍ପ୍‌। ବିଶେଷକରି ଓଡ଼ିଶା ସହ ସମ୍ପର୍କିତ ଯେଉଁ ପୋଷ୍ଟାଲ୍‌ ଷ୍ଟାମ୍ପ୍‌ ଅତୀତରେ ଛପା ଯାଇଛି, ସେଗୁଡ଼ିକୁ ବେଶ୍‌ ନିଖୁଣ ଭାବେ ଆଙ୍କିଛନ୍ତି ସ୍ମୃତିକାନ୍ତ ରାଉତ, ସତ୍ୟବ୍ରତ ସାହୁ ଓ ଅନ୍ୟମାନେ। କୋଣାର୍କ ଘୋଡ଼ା, କୋଣାର୍କ ହାତୀ, ହୀରାକୁଦ ଡ୍ୟାମ୍‌, ବାଘ ମୁଣ୍ଡ, ଏମ୍‌କେସିଜି କଲେଜ୍‌, ରେଭେନ୍ସା, ବୀର ସୁରେନ୍ଦ୍ର ସାଏ, ଫକୀର ମୋହନ ସେନାପତିଙ୍କ ଭଳି ଓଡ଼ିଶା ସମ୍ପର୍କିତ ଫଟୋଚିତ୍ରକୁ ନେଇ ଅତୀତରେ ପ୍ରସ୍ତୁତ ହୋଇଥିବା ପୋଷ୍ଟାଲ୍‌ ଷ୍ଟାମ୍ପ୍‌କୁ ନେଇ ୨୦ଜଣ ଶିଳ୍ପୀ ରାଜଭବନ କାନ୍ଥକୁ ଏହିଭଳି ଢଙ୍ଗରେ ଚିତ୍ରିତ କରୁଛନ୍ତି।

ଚଲାବାଟରେ ବୈଠକୀ
ଏଜି ଛକରୁ ରାଜଭବନ ଛକର ରଙ୍ଗ ବିଲ୍‌କୁଲ୍‌ ବଦଳି ଯାଇଛି। ଦୁଇ କଡ଼ରେ ନାଲି ଓ ନୀଳ ରଙ୍ଗର ବର୍ଡର୍‌ ରହିଥିବା ବେଳେ ସ୍ଥାନେସ୍ଥାନେ ବୈଠକୀ ଖଞ୍ଜାଯାଇଛି। ପଛପାର୍ଶ୍ବରେ ଚିତ୍ରିତ କାନ୍ଥ ଏବଂ ତା’ ସମ୍ମୁଖରେ ପଡ଼ିଥିବା ବୈଠକୀରେ ବସିବା ସହ ଅନେକ ଏଠାରେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି। ଏଥିସହ ବାଟରେ ମୋ ବସ୍‌ ପାଇଁ ଷ୍ଟିଲ୍‌ରେ ନିର୍ମିତ ରହଣି ସ୍ଥଳ ରହିଛି।

ସମ୍ବନ୍ଧିତ ଖବର