ବିଶ୍ବ ଭିନ୍ନକ୍ଷମ ଦିବସ‌‌ ଅବସରରେ ପ୍ରଦର୍ଶନୀ: ଗୀତ, ନାଚରେ ମଜିଲେ

ଭୁବନେଶ୍ବର: ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ତିନିଦିନିଆ ଏକ କାର୍ଯ୍ୟକ୍ରମ ଆଜି ଆଦିବାସୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀ ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭାଗ ପରିଚାଳିତ ‘ଆଧୁନିକ ପୁନର୍ବାସ କେନ୍ଦ୍ର’ ପ୍ରସ୍ତୁତ ଭିନ୍ନକ୍ଷମ ସହାୟକ ଉପକରଣ, ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ବେଳେ ରାଜ୍ୟରେ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ କାର୍ଯ୍ୟରତ ସଂଗଠନମାନଙ୍କର କାର୍ଯ୍ୟକ୍ରମ ଉପରେ ତଥ୍ୟାବଳୀ ସ୍ଥାନିତ ହୋଇଛି। ପ୍ରଦର୍ଶନୀରେ ମୋଟ ୬୨ଟି ଷ୍ଟଲ୍‌ ଖୋଲା ଯାଇଛି। ବିଭାଗୀୟ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଓ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ବିଭାଗର କାର୍ଯ୍ୟକ୍ରମ, ଭିନ୍ନକ୍ଷମ ଗୋଷ୍ଠୀଗୁଡ଼ିକର ସଫଳତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରାୟ ୨୦୦ରୁ ଅଧିକ ଭିନ୍ନକ୍ଷମ ଶିକ୍ଷାର୍ଥୀ ଏହି ଅବସରରେ ସଙ୍ଗୀତ, ନୃତ୍ୟ ଆଦି ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର