‘ବୀର କଳିଙ୍ଗ’ର ସ୍ୱନକ୍ଷତ୍ର ଉତ୍ସବ

ଖଣ୍ଡଗିରି: ସାପ୍ତାହିକ ଖବରକାଗଜ ‘ବୀର କଳିଙ୍ଗ’ର ୧୭ତମ ସ୍ବନକ୍ଷତ୍ର ସମାରୋହ ସ୍ଥାନୀୟ ୟୁନିଟ୍-୯ ସ୍ଥିତ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଡ. ପ୍ରତିମାରାଣୀ ଷଡ଼ଙ୍ଗୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ନ୍ୟାୟମୂର୍ତ୍ତି ତଥା ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଶାସନ ସଚିବ ଅମ୍ବୁଜ ମୋହନ ଦାସ ମୁଖ୍ୟ ଅତିଥି, ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଶୋକ ମହାପାତ୍ର ଉଦ୍‌ଘାଟକ ଓ ମୁଖ୍ୟବକ୍ତା ଭାବେ ଦୈନିକ ଖବରକାଗଜ ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ। ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ଅନୁଷ୍ଠାନର ଆଭିମୁଖ୍ୟ ଓ ବିବରଣୀ ପାଠ କରିଥିଲେ। ପ୍ରଥମ ସୋପାନରେ କବିତା ପାଠ ଓ ସାହିତ୍ୟ ଆଲୋଚନା କରାଯାଇଥିଲା।

ଏଥିରେ ମୁଖ୍ୟବକ୍ତା ଭାବେ କବି ରାଜକିଶୋର ପତି ଓ ସଭାପତି କାନନବାଳା ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ପଣ୍ଡିତ ଦ୍ବୈତାରୀ ମହାପାତ୍ରଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁପଦ ସିଂହଦେବ, ପରିତୋଷ ସାହୁ, କାନ୍ତିଲତା ଦାଶ, ଶୁଭଶ୍ରୀ ସିଂହ, ସଂଯୁକ୍ତା ମଲ୍ଲିକ, ଡ. ମହାବାହୁ ନାୟକ ଓ ଡ. ସୁକାନ୍ତି ସୁଚିତ୍ରା ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା। ମିନତି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ସମ୍ପାଦିକା ଡ. ସରୋଜିନୀ ପାଣି ସ୍ବାଗତ ଭାଷଣ ଦେଇଥିଲେ। ସନ୍ଧ୍ୟାରାଣୀ ପୃଷ୍ଟି, ଚମକ୍ ଚାନ୍ଦିନୀ ଦାସ, ସୌଦାମିନୀ ବେହେରା ସଂଯୋଜନା କରିଥିଲେ। ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର