ଭୁବନେଶ୍ବର: ମାତ୍ର ମାସକ ତଳେ କଳିଙ୍ଗ ଷ୍ଟାଡିୟମ୍ରେ ବିନା ଦର୍ଶକରେ ଜୁନିଅର ହକି ବିଶ୍ବକପ୍ ଆୟୋଜିତ ହୋଇଥିଲା। ସେଭଳି ଆଖିଦୃଶିଆ ହୋଇପାରି ନ ଥିଲା। ମାତ୍ର ଆଜିର କାର୍ଯ୍ୟକ୍ରମ ୨୦୧୮ ମସିହା ହକି ବିଶ୍ବକପ୍ ବେଳର ଭ୍ରମ ସୃଷ୍ଟି କରିଥିଲା। ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମ ଥିବା ବେଳେ ମଧ୍ୟାହ୍ନ ୧୨ଟାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରବେଶ ଲାଗି ଗେଟ୍ ଖୋଲିଥିଲା। ଧାଡ଼ିରେ ସାମାଜିକ ଦୂରତା ରକ୍ଷା କରି ଜଣକ ପରେ ଜଣେ ଭିତରକୁ ପ୍ରବେଶ କରିଥିଲେ। ଯାହାର ଯେଉଁଠି ସିଟ୍ ଚିହ୍ନଟ ହୋଇଥିଲା ସେଠାକୁ ଯାଇ ବସିଥିଲେ। ମଝିରେ ମଝିରେ ମାଇକ୍ ଯୋଗେ ବିଭିନ୍ନ ପ୍ରକାର ଘୋଷଣା କରାଯାଉଥିଲା। ଗୀତ ବି ବାଜୁଥିଲା। ୩ଟାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ପ୍ରକମ୍ପିତ ହୋଇଉଠିଥିଲା ସମ୍ପୂର୍ଣ୍ଣ ଷ୍ଟାଡିୟମ୍। ଶିକ୍ଷକ ଶିକ୍ଷୟିତ୍ରୀ ବି ଛିଡ଼ା ହୋଇ ତାଳି ମାରିଥିଲେ। ପର୍ଯ୍ୟାୟକ୍ରମେ ଗଣଶିକ୍ଷା ବିଭାଗର ଜଣଙ୍କ ପରେ ଜଣେ ଅଧିକାରୀ ପହଞ୍ଚି ନବନିଯୁକ୍ତିପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ଷ୍ଟାଡିୟମ୍କୁ ଯିବା ପାଇଁ କୋଭିଡ୍ ପରୀକ୍ଷା
ଷ୍ଟାଡିୟମ୍କୁ ଯିବା ଲାଗି ଅନୁମତି ମିଳିଥିବା ସମସ୍ତ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀଙ୍କ ଲାଗି କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ବୁଧବାର ଓ ଗୁରୁବାର ଦୁଇଦିନ ଧରି ଷ୍ଟାଡିୟମ୍ ପରିସରରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହୋଇଥିଲା। ଷ୍ଟାଡିୟମ୍ ପରିସରରେ ମଧ୍ୟ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ହୋଇଥିଲା। ସିଟ୍ ମଧ୍ୟରେ ଦୂରତା ରକ୍ଷା କରାଯିବା ସହ ହ୍ୟାଣ୍ଡ ସାନିଟାଇଜେସନ୍, ମାସ୍କ ପରିଧାନକୁ ଗୁରୁତ୍ବ ଦିଆଯାଇଥିଲା।
କଳିଙ୍ଗ ଷ୍ଟାଡିୟମରେ ବାଣ ଫୁଟିଲା କେମିତି?
ରାଜଧାନୀରେ ବିବାହ ଶୋଭାଯାତ୍ରାରେ ଡିଜେ ଓ ବାଣକୁ କମିସନରେଟ୍ ପୁଲିସ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଖୋଲାଖୋଲି ଏହି ନିୟମକୁ ଉଲ୍ଲଂଘନ କରାଯାଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବା ପାଇଁ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଖୋଦ୍ କମିସନରେଟ୍ ପୁଲିସ୍ର ସବୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାଣ ଫୁଟିଲା। ବେଶ୍ କିଛି ସମୟ ପାଇଁ ସମସ୍ତେ ଏହାକୁ ଉପଭୋଗ କଲେ। ପୁଲିସ୍ର ଏପରି ଦୋମୁହାଁ କାର୍ଯ୍ୟ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଲୋକ ପ୍ରଶ୍ନ କରୁଛନ୍ତି ଯେ, ଯଦି କଳିଙ୍ଗ ଷ୍ଟାଡିୟମ୍ରେ ବାଣ ଫୁଟିପାରିଲା ତେବେ ବିବାହ ଶୋଭାଯାତ୍ରାରେ କେଉଁ ଯୁକ୍ତି ବଳରେ ବାଣ ବନ୍ଦ କରାଯାଇଛି? କଳିଙ୍ଗ ଷ୍ଟାଡିୟମ୍ରେ ବାଣ ଫୁଟିଲା ବେଳେ କରୋନାର ଆଶଙ୍କା ନ ଥିଲା ବେଳେ ବାହାଘର ଶୋଭଯାତ୍ରାରେ କିପରି କରେନା ବ୍ୟାପିଯାଉଛି? ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲା। ଷ୍ଟାଡିୟମ୍ରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଥିଲା ବୋଲି ଡିସିପି କହିଛନ୍ତି।
ବାଜିଲା ମୋ ସ୍କୁଲ ଆନ୍ଥେମ୍
ଆଜି କଳିଙ୍ଗ ଷ୍ଟାଡିୟମ୍ ପରିସର ସଙ୍ଗୀତରେ ମୁଖରିତ ହୋଇଥିଲା। ‘ମୋ ସ୍କୁଲ’, ‘୫-ଟି’ ଆଧାରିତ ବିଭିନ୍ନ ପ୍ରକାର ସଙ୍ଗୀତ ବଜାଯାଇଥିଲା। ‘ମୋ ସ୍କୁଲ’ ପକ୍ଷରୁ ପ୍ରସ୍ତୁତ ଏକ ‘ଆଲୁମିନି ଟକ୍ ଭିଡିଓ’ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ‘ମୋ ସ୍କୁଲ ଆନ୍ଥେମ୍’, ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ ଭିଡିଓ ଆଦି ପ୍ରଦର୍ଶିତ ହୋଇଥିଲା। ଫଳରେ ଷ୍ଟାଡିୟମ୍ ପରିସରରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା।