ମେଣ୍ଢାଶାଳ: ଆଜି ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି। ଯଦିଓ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିନାହିଁ, ତଥାପି ଗତବର୍ଷ ତୁଳନାରେ ବହୁତ୍ କମ୍ ପକ୍ଷୀ ଚନ୍ଦକା ଅଭୟାରଣ୍ୟକୁ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪ଟି ରେଞ୍ଜ୍ ପକ୍ଷୀଙ୍କ ସଂଖ୍ୟା ରବିବାର ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ଶରତଚନ୍ଦ୍ର ବେହେରା କହିଛନ୍ତି। ଗତବର୍ଷ ଜାନୁଆରି ମାସରେ ଚନ୍ଦକା ଡିଭିଜନରେ ୧୬,୦୫୦ ପକ୍ଷୀ ଆସିଥିବା ବେଳେ ତା’ଭିତରେ ନୂତନ ପ୍ରଜାତିର ବିଦେଶୀ ପକ୍ଷୀ ଥିଲେ। ୨୦୨୧ ମସିହାରେ ଚନ୍ଦକାକୁ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ୨୭ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା। ବନବିଭାଗ ତରଫରୁ ଚନ୍ଦକା ଡିଭିଜନର ୪ଟି ରେଞ୍ଜ୍ରେ ଏହି ପକ୍ଷୀ ଗଣନା କରାଯାଇଥିଲା।
ସେଥିମଧ୍ୟରୁ ଚନ୍ଦକା ରେଞ୍ଜ୍ର ଭାଲୁଗାଁପାଟ, ଭୁଆସୁଣୀ, ବାରିମିଆ ପୋଖରୀ, ପୁରୀ କେନାଲ, ଡେରାସ, ଝୁମୁକା ଓ କୁମାରଖୁଣ୍ଟି, ଭୁବନେଶ୍ୱର ରେଞ୍ଜ୍ର ନଗର ବନଖଣ୍ଡ ଏକାମ୍ରକାନନ, କୂଅସୈରା, ଢିମାଖାଲ, ଦାରୁଠେଙ୍ଗ ପୋଖରୀ ଓ ପ୍ରଶାନ୍ତି ବିହାର, ହଳଦିଆ ରେଞ୍ଜ୍ର ମାଡୁଆ, ପଣୁସଝର, ଲାଙ୍ଖୁଡ଼ି, କଜଳାଗଣ୍ଡ, ଗୁପ୍ତପଡ଼ା ବନ୍ଧ, କନ୍ଧରେଇ ଓ ଅମ୍ବିଲ ଏବଂ ଡମପଡ଼ା ରେଞ୍ଜ୍ର ପାଥିପୁର, ଘସିପୁର, ମୁଣ୍ଡଳି, ନରାଜ ଓ ଗହଳବାଙ୍କରେ ଏହି ଗଣନା କରାଯାଇଥିଲା। ଏଥିପାଇଁ ଗଠନ କରାଯାଇଥିବା ଟିମ୍ରେ ୮୦ ଜଣ ସାମିଲ ହୋଇଥିଲେ। ୪ ଟି ରେଞ୍ଜ୍ରେ ବାଣୀବିହାର ଓ ଓୟୁଏଟି ଛାତ୍ରଛାତ୍ରୀଙ୍କୁ ନେଇ ୟୁନିଟ୍ ଗଠନ ହୋଇଥିଲା। ଚନ୍ଦକା ରେଞ୍ଜର୍ ଉତ୍ତର କୁମାର ସାହୁଙ୍କ ନେତୃତ୍ବରେ ଜ୍ୟୋତି ଶଙ୍କର ମିଶ୍ର ଓ ସ୍ମୃତି ପ୍ରୟଦର୍ଶିନୀ ରାଉତ, ଡମପଡ଼ା ରେଞ୍ଜର୍ ନିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ରଞ୍ଜିତ କୁମାର ପଟ୍ଟନାୟକ ଓ ସୁରେଶ କୁମାର ତ୍ରିପାଠୀ, ହଳଦିଆ ରେଞ୍ଜର୍ ରୋହିତ କୁମାର ଓ ଭୁବନେଶ୍ୱର ନଗର ବନଖଣ୍ଡର ପ୍ରତାପ ଚନ୍ଦ୍ର ମହାନ୍ତି, ଫରେଷ୍ଟର ଅଲୋକ କୁମାର ପରିଡ଼ା, ବନବିଭାଗର ବରିଷ୍ଠ ଅଧିକାରୀ ଓ ଛାତ୍ରଛାତ୍ରୀମାନେ ଏହି ଗଣନାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/19/cTZglKkj5fkxwjZdxa1K.jpg)
