‘ଫିକି’ର ରାଉଣ୍ଡ ଟେବୁଲ୍‌ ବୈଠକ; ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ରିଅଲ ଇଷ୍ଟେଟ୍ ଗୁରୁତ୍ବପୂର୍ଣ୍ଣ: ପ୍ରତାପ ଜେନା

ସହରାଞ୍ଚଳରେ କୋଭିଡ ମୁକାବିଲା ଜୋରଦାର କରାଯାଇଛି, ଅଲ ଇଷ୍ଟେଟ୍ ସଂସ୍ଥା ଇଜ୍‌ ଅଫ୍ ଡୁଇଙ୍ଗ୍‌ ବିଜିନେସ୍ କରିବା ପରିବେଶ ସୃଷ୍ଟି କରାଯାଉଛି: ବିଡିଏ ଉପାଧ୍ୟକ୍ଷ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା କରୋନାରେ ରାଜ୍ୟର ସମସ୍ତ ସହରାଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଅଧିକ ଆକ୍ରାନ୍ତ ଏଠାରୁ ଚିହ୍ନଟ ହୋଇଛନ୍ତି। ତେଣୁ ସମସ୍ତଙ୍କର ଯେପରି ତୁରନ୍ତ କରୋନା ପରୀକ୍ଷା ହୋଇପାରିବ, ଆକ୍ରାନ୍ତ ହେଲେ ହସ୍ପିଟାଲରେ ଭର୍ତ୍ତି କରାଯିବ, ଟିକା ନେଇପାରିବେ, ସେନେଇ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେଇଛନ୍ତି। ଦେଶର ବାକି ସହରଗୁଡ଼ିକ ତୁଳନାରେ ଭୁବନେଶ୍ବର ଏବଂ ଅନ୍ୟ ସହରରେ କୋଭିଡ ମୁକାବିଲା ଅତ୍ୟନ୍ତ ଉଲ୍ଲେଖନୀୟ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଫିକି ପକ୍ଷରୁ ଆଜି ଅନଲାଇନ୍ ମୋଡରେ ଆୟୋଜିତ ରାଉଣ୍ଡଟେବୁଲ୍‌ ବୈଠକରେ ସହରୀ ବିକାଶ, ରିଅଲ୍ ଇଷ୍ଟେଟ୍ ଏବଂ ସ୍ମାର୍ଟ ସିଟି, ରାଜ୍ୟ ଅର୍ଥନୀତି ଉପରେ କୋଭିଡ-୧୯ର ପ୍ରଭାବ ଏବଂ ପଥପ୍ରଦର୍ଶନ ଉପରେ ଆଲୋଚନା ହୋଇଥିଲା। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ରିଅଲଇଷ୍ଟେଟ୍ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟ ସରକାର ରିଅଲଇଷ୍ଟେଟ୍ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି। ଦେଶର ସବୁଠୁ ଅଧିକ ଏଫ୍‌ଏଆର୍‌ ଭୁବନେଶ୍ବରରେ ‌ଦିଆଯାଉଛି। ଏହାବାଦ୍ କୋଭିଡ ଜନିତ ଯାହା ସବୁ ସମସ୍ୟା ସୃଷ୍ଟି ହୋଇଛି ତା’ର ସମାଧାନ ମଧ୍ୟ କରିବେ। ଫିକି ଓଡ଼ିଶା ମାଧ୍ୟମରେ ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକ ପ୍ରସ୍ତାବ ଦେଲେ ଏନେଇ ରାଜ୍ୟ ସରକାର ସବୁ ପ୍ରକାରର ସହଯୋଗ କରିବେ।

ଶ୍ରୀ ଜେନା କହିଥିଲେ ଯେ, ସହରାଞ୍ଚଳରେ ଯେପରି କେହି ଭୋକିଲା ରହିବେନି, ସେଥିପାଇଁ ଆହାର କେନ୍ଦ୍ରଗୁଡ଼ିକରେ ପ୍ୟାକିଂ ଖାଦ୍ୟ ଯୋଗାଯାଉଛି। ସମସ୍ତଙ୍କୁ ଯେପରି କର୍ମନିଯୁକ୍ତି ମିଳିବ ସେଥିପାଇଁ ସହରୀ ମଜୁରି ନିଯୁକ୍ତି ପଦକ୍ଷେପରେ ୩୦୦କୋଟିର କାମ ଦିଆଯାଇଛି। ଉଠାଦୋକାନୀମାନଙ୍କୁ କୋଭିଡର ପ୍ରଥମ ପର୍ଯ୍ୟାୟରେ ୩ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିବାବେଳେ ଏବେ ମଧ୍ୟ ୩ହଜାର ଟଙ୍କା ଲେଖାଏଁ ଦିଆଯିବ।

ଏଥିରେ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ଭୁବନେଶ୍ବରରେ ଯେପରି ସୁଉଚ୍ଚ କୋଠା ନିର୍ମାଣ ହେବ, ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକ ପାଇଁ ଇଜ୍‌ ଅଫ୍ ଡୁଇଙ୍ଗ୍‌ ବିଜିନେସ୍ ହୋଇପାରିବ, ସେଥିପାଇଁ ବିଡିଏ/ବିଏମ୍‌ସି ସବୁ ପ୍ରକାରର ସହଯୋଗ କରୁଛି। ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକର ବହୁ ଦାବି ପୂରଣ ହୋଇଥିବାବେଳେ ସେମାନଙ୍କ ଆଉ କିଛି ଦାବି ଉପରେ ସରକାର ବିଚାର କରୁଛନ୍ତି। ଖୁବ୍‌ ଶୀଘ୍ର ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ସବୁ ସହରାଞ୍ଚଳରେ ବିଲଡିଂ ପ୍ଲାନ୍ ଅନୁମୋଦନ ହେବ। ୨୦୨୪ ସୁଦ୍ଧା ରାଜଧାନୀରେ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ୫୦ହଜାର ସୁଲଭ ଗୃହ ଯୋଗାଇ ଦିଆଯିବ। ଏବେ ୧୪ହଜାର ଘର ନିର୍ମାଣ ଚାଲିଛି। ରିଅଲଇଷ୍ଟେଟ୍ କ୍ଷେତ୍ର ଭଳି କୋଭିଡ ଦ୍ବାରା ବିଡିଏ, ବିଏମ୍‌ସି ଓ ବିଏସ୍‌ସିଏଲ୍‌ର ବହୁ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି। କିନ୍ତୁ ଆମେ ଯଥାସମ୍ଭବ ସବୁ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ସ୍ମାର୍ଟ ଜନପଥ କାମ ଖୁବ୍‌ ଶୀଘ୍ର ସରିବ ବୋଲି ଶ୍ରୀ ସିଂହ କହିଥିଲେ। ସେହିପରି ରାଜଧାନୀରେ ସମନ୍ବିତ ବିକାଶ ପାଇଁ ବିଏମ୍‌ସି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରେ ଅସହାୟ ଲୋକଙ୍କ ଠାରୁ ଆରମ୍ଭ କରି, ଡେଲିଭରି ବୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଟିକା ଦିଆଯାଇଛି। ସମସ୍ତଙ୍କୁ ଯେପରି ତୁରନ୍ତ ଟିକା ମିଳିବ ସେନେଇ ଆମେ ପଦକ୍ଷେପ ନେଉଛୁ ବୋଲି ଶ୍ରୀ ସିଂହ କହିଥିଲେ।

ଫିକିର ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ, ଏହି ‌େବୖଠକରେ ଯାହା ଆଲୋଚନା ହେବ ଏବଂ ଯେଉଁ ଦାବି ଗୁଡ଼ିକ ଉଠିବ ତାହାର ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯିବ। ଫିକି ଓଡ଼ିଶା ରାଜ୍ୟ ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି କାମ କରୁଛି। ରାଜ୍ୟରେ ମେଡିକାଲ ଅକ୍ସିଜେନ୍ ଯୋଗାଣ ଓ ଟିକାକରଣ ପାଇଁ ଗଠନ ହୋଇଥିବା ଟାସ୍କଫୋର୍ସର ଏକ ଅଂଶ ହୋଇ ରହିଛି। ବିଭିନ୍ନ କ୍ଷେତ୍ର ଓ ସରକାରଙ୍କ ବିଭାଗଗୁଡ଼ିକ ସହ ମିଶି ଏହା ବହୁ ପ୍ରକାରର ରାଉଣ୍ଡଟେବୁଲ୍ ବୈଠକ ମଧ୍ୟ ଆଲୋଚନା କରୁଛି।

ଏଥିରେ ଏସ୍‌ଜେ ଡେଭଲପର୍ସ ଆଣ୍ଡ ହାଉସିଂର ନିର୍ଦ୍ଦେଶକ ମାତୃଦତ୍ତ ମିଶ୍ର ଯୋଗଦେଇ କହିଥିଲେ ଯେ, କରୋନା ଯୋଗୁଁ ରିଅଲ ଇଷ୍ଟେଟ୍ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି। ତେଣୁ ଓରେରା ନିୟମ ୬ରୁ ୮ମାସ କୋହଳ କରିବା ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହାସହ ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ନିର୍ମାଣ ଶ୍ରମିକମାନଙ୍କୁ ବିଏମ୍‌ସି ପକ୍ଷରୁ ଟିକା ଦିଆଯାଉ। କ୍ରେଡାଇ ଭୁବନେଶ୍ବରର ସଭାପତି କାନ୍ତିଲାଲ ପଟେଲ କହିଥିଲେ, ରିଅଲ ଇଷ୍ଟେଟ୍ ଶିଳ୍ପରେ କୃଷି ପରେ ଅଧିକ କର୍ମନିଯୁକ୍ତି ସୁଯୋଗ ଥାଏ। ଜିଡିପିର ୬% ଏହି ଶିଳ୍ପରୁ ଆସେ। କିନ୍ତୁ କୋଭିଡ ଯୋଗୁଁ ପ୍ରକଳ୍ପ ବିକ୍ରି ୬୬% କମିଯାଇଛି। ବହୁ ପ୍ରକଳ୍ପ ଏବେ ବାଧାପ୍ରାପ୍ତ ହୋଇଥିବାରୁ ବିଡିଏ/ବିଏମ୍‌ସି ବିଲଡିଂ ପ୍ଲାନ୍ ଅବଧି ତୁରନ୍ତ ବଢ଼ାନ୍ତୁ। ଯେଉଁମାନେ ଋଣ ଆଣିଛନ୍ତି ସେମାନଙ୍କ ପାଇଁ ଆର୍‌ବିଆଇ ଓ ସରକାର କିଛି କୋହଳ ନିୟମ ଆଣନ୍ତୁ।

ସ୍ପାୟାର କନସଲଟାଣ୍ଟ୍‌ସର ସତ୍ତ୍ବାଧିକାରୀ ତଥା ଆର୍କିଟେକ୍ଟ ସଂଜୀବ କୁମାର ଗୁରୁ କହିଥିଲେ ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ ଯେତେ ଯୋଜନା କରୁଛନ୍ତି ସେଥିରେ ସହର ଭିତରେ ଓ ଉପକଣ୍ଠରେ ରହୁଥିବା ଲୋକଙ୍କୁ ଘର ପାଖରେ ଯେପରି ସବୁ ସୁବିଧା ମିଳିବ ସେ ବ୍ୟବସ୍ଥା କରାଯାଉ।
ଜେଡ୍‌ ଇଷ୍ଟେଟ୍‌ର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତି କହିଥିଲେ ଯେ ରାଜ୍ୟ ସରକାର ଲକ୍‌ଡାଉନ୍ ସମୟରେ ବି ରିଅଲ ଇଷ୍ଟେଟ୍ କାମ ହୋଇପାରିବ ବୋଲି ନିୟମ କରିଥିବାରୁ ସରକାରଙ୍କୁ ଧନ୍ୟବାଦ। ଶ୍ରୀ ମହାନ୍ତି କହିଥିଲେ ଯେ ବିଡିଏ ଯେଉଁ ସିଡିପି ପ୍ରସ୍ତୁତ କରୁଛି, ତାହାକୁ କାର୍ଯ୍ୟକାରୀ କରୁନି। ସିଡିପିରେ ଯେଉଁଠି ରାସ୍ତା, ଡ୍ରେନ୍ ହେବା କଥା ହେଉନି। ଫଳରେ ରାଜଧାନୀର କିଛି ଅଞ୍ଚଳରେ ବହୁ ପ୍ରକଳ୍ପ ହେଉଥିବାବେଳେ ବହୁ ଅଞ୍ଚଳ ପଡ଼ିଆ ପଡ଼ୁଛି। ବିଡିଏ ସିଡିପିକୁ ଯେପରି କାର୍ଯ୍ୟକ୍ଷମ କରିପାରିବ ସେ ବ୍ୟବସ୍ଥା କରୁ। ବିଡିଏ ଉପାଧ୍ୟକ୍ଷ ଶ୍ରୀ ସିଂହ କହିଥିଲେ ଯେ, ଏସବୁ ପ୍ରସ୍ତାବ ଉପରେ ଆମେ ବିଚାର କରିବୁ। ଫିକିର ଓଡ଼ିଶା ମୁଖ୍ୟ ସଂଜୀବ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର