ଫିକିର ଭର୍ଚୁଆଲ ରାଉଣ୍ଡ ଟେବୁଲ୍‌ କାର୍ଯ୍ୟକ୍ରମ, ତୃତୀୟ ଲହର ପାଇଁ ୪-ସୂତ୍ରୀ ରଣନୀତି

୩ ହଜାର ଶଯ୍ୟା, ୬୧୦ ଆଇସିୟୁ, ଅଣ ଶିଶୁରୋଗ ସ୍ବାସ୍ଥ୍ୟକର୍ମୀଙ୍କୁ ବି ପ୍ରଶିକ୍ଷଣ

ଭୁବନେଶ୍ବର: ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ୩ ହଜାର ଶଯ୍ୟା, ୬୧୦ ଆଇସିୟୁ କରାଯାଉଛି। ସିଏଚ୍‌ସିରୁ ସଦର ଡାକ୍ତରଖାନା ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଣ ଶିଶୁ ରୋଗ ଡାକ୍ତର, ନର୍ସଙ୍କ ସମେତ ସମୁଦାୟ ୩ ହଜାର ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିସହ ଡବ୍ଲୁଓଏଚଓ ଗାଇଡ୍‌ଲାଇନ୍‌ରେ ଔଷଧ କ୍ରୟ ପାଇଁ ମଧ୍ୟ ପ୍ରସ୍ତୁତ ଜାରି ରହିଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରଦୀପ୍ତ ମହାପାତ୍ର। ଫିକି ଓଡ଼ିଶା ପକ୍ଷରୁ ଶନିବାର ଆୟୋଜିତ ଓଡ଼ିଶାରେ କୋଭିଡ-୧୯ ଟିକାକରଣ ଏବଂ ପରବର୍ତ୍ତୀ ଲହର ଶୀର୍ଷକ ଭର୍ଚୁଆଲ ରାଉଣ୍ଡ ଟେବୁଲ କାର୍ଯ୍ୟକ୍ରମରେ ଶ୍ରୀ ମହପାତ୍ର ଏହି ସୂଚନା ଦେଇଥିଲେ।

ସେ ଅଧିକ ସୂଚନା ଦେଇ କହିଥିଲେ ଯେ ଓଡ଼ିଶାରେ ପ୍ରଥମ, ଦ୍ବିତୀୟ ଲହର ମଧ୍ୟରେ ୭ ମାସର ବ୍ୟବଧାନ ରହିଛି। ୨୦୨୦ ମସିହାରେ ସେପ୍ଟେମ୍ବର ମାସରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷ(ପିକ)ରେ ପହଞ୍ଚିଥିଲା। ଚଳିତ ବର୍ଷ ଏହା ମେ’ ମାସରେ ଆସି ଯାଇଛି। ଦ୍ବିତୀୟ ଲହରରେ ଅନେକ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏଥିରେ ୦-୧୮ବର୍ଷ ପର୍ଯ୍ୟନ୍ତ ଶିଶୁ ବାଦ୍‌ ପଡ଼ୁଛନ୍ତି। ତୃତୀୟ ଲହରରେ ସେମାନେ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରୁ ରଖି ୪-ସୂତ୍ରୀ ରଣନୀତି ପ୍ରସ୍ତୁତ କରାଯାଇଛି।
ପ୍ରଥମତଃ ମେଡିକାଲ କଲେଜଠାରୁ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁଠି ଶିଶୁ ପ୍ରଯତ୍ନ କେନ୍ଦ୍ର ନିର୍ମାଣ ହେବ। ଦ୍ବିତୀୟତଃ ଶିଶୁ ରୋଗ ସହିତ ସଂପୃକ୍ତ ନଥିବା ରାଜ୍ୟରେ ସ୍ଥିତ ୩୭୪ ସିଏଚ୍‌ସିରେ ଜଣେ ଡାକ୍ତର, ଜଣେ ନର୍ସ, ୩୨ଟି ଉପଖଣ୍ଡ ଡାକ୍ତରଖାନାର ୨ଡାକ୍ତର, ୬ ନର୍ସ, ଜିଲାସ୍ତରୀୟ ଡାକ୍ତରଖାନାର ୬ ଡାକ୍ତର, ୧୨ନର୍ସଙ୍କୁ ଶିଶୁ କୋଭିଡ୍‌ ରୋଗ ଚିକିତ୍ସା ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଥିସହ ଶିଶୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟକୁ ୩ ହଜାରରୁ ଅଧିକ ଡାକ୍ତର, ନର୍ସ ମିଳିଯିବେ। ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ବଡ଼ମାନଙ୍କ ଭଳି ଶିଶୁମାନେ ଖରାପ ଅଭ୍ୟାସର ବଶବର୍ତ୍ତୀ ନଥାଆନ୍ତି। ତେଣୁ ସେମାନଙ୍କ ଅବସ୍ଥା ଗୁରୁତର ହେବା ଆଶଙ୍କା କମ୍‌ ଥାଏ।

ଏହା ସତ୍ତ୍ବେ ତୃତୀୟ ଲହର ଆଶଙ୍କାରେ କେବଳ ଶିଶୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବରେ ୩ ହଜାର ଶଯ୍ୟା,୬୧୦ ଆଇସିୟୁ ବ୍ୟବସ୍ଥା କରାଯାଉଛି। ଏଥିସହ ଭେଣ୍ଟିଲେଟର୍‌, ଅତ୍ୟାବଶ୍ୟକ ଔଷଧ, ଇଂଜେକସନ କ୍ରୟ କରିବା ଆରମ୍ଭ ହୋଇ ସାରିଛି। ଚତୁର୍ଥରେ ଶିଶୁମାନଙ୍କୁ କୋଭିଡ୍‌ରୁ ରକ୍ଷା ପାଇଁ ୟୁନିସେଫର ସହଯୋଗ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି। ଖୁବ୍‌ଶୀଘ୍ର ଏହାକୁ ଅଭିଭାବକଙ୍କ ହ୍ବାଟ୍‌ସଆପ୍‌ ଗ୍ରୁପରେ ଛଡ଼ାଯିବ। ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବରେ କୋଭିଡ୍‌ ମୁକାବିଲା ପାଇଁ ସିବିକେ ମହାନ୍ତିଙ୍କ ନେତୃତ୍ବରେ ସ୍ବତନ୍ତ୍ର କମିଟି ଗଠନ କରିଛି। ଏଥିରେ ରାଜ୍ୟର ଶିଶୁ ରୋଗ ବିଶେଷଜ୍ଞ ରହିଛନ୍ତି।

ସମ୍ବନ୍ଧିତ ଖବର