ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଦୂର୍ଗା ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ପୂଜାମଣ୍ଡପରେ କାଳ୍ପନିକ ତୋରଣ ନିର୍ମାଣ କରାଯାଉଛି। ୫୦ ଫୁଟ ଉଚ୍ଚତା ଓ ୬୦ ଫୁଟ ଓସାରର ଏହି ସୂକ୍ଷ୍ମ କାରୁକାର୍ଯ୍ୟ ଭରା ତୋରଣରେ ମା’ ବିରାଜିବେ। ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୨ ଫୁଟ୍ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ କେନ୍ଦ୍ରାପଡା ଓ କଟକର କାରିଗରମାନଙ୍କ ଦ୍ବାରା ୧୬ ଫୁଟର ତାରକସୀ ମେଢ କାମ ହୋଇଛି। ଏଥର ମା’ଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭାବର୍ଦ୍ଧନ କରିବ। ମଣ୍ଡପକୁ ସଂଯୋଗ କରୁଥିବା ଚାରୋଟି ରାସ୍ତାରେ ଏଲ୍ଇଡି ଲାଇଟ୍ ଗେଟ୍ ସହିତ ରଙ୍ଗିନ ଆଲୋକମାଳାରେ ମଣ୍ଡପ ଚାରିପାଖ ଓ କଲୋନି ରାସ୍ତା ସୁସଜ୍ଜିତ ହୋଇଛି। ଷଷ୍ଠୀରେ ବିଲ୍ୱବରଣ, ସପ୍ତମୀରେ କଳସ ଯାତ୍ରା ଓ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମୀରେ ସୂର୍ଯ୍ୟପୂଜା, ସନ୍ଧିପୂଜା, ହୋମ ଓ ପୁଷ୍ପାଞ୍ଜଳି ଦିଆଯିବ। ନବମୀ ଦିନ କୁମାରୀ ପୂଜା, ଦହି ପଖାଳ ଭୋଗ, ଦଶମୀ ଦିନ ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ଅନୁଷ୍ଠିତ ହେବ।
ସପ୍ତମୀରେ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଶିଳ୍ପୀମାନଙ୍କୁ ନେଇ ଡ୍ୟାନ୍ସଡ୍ୟାନ୍ସ, ଅଷ୍ଟମୀ ଓ ନବମୀରେ ଭଜନ, ଦଶମୀରେ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ନାଇଟ ମେଲୋଡି କାର୍ଯ୍ୟକ୍ରମ ରହିଛି। ପୂଜା ପଡ଼ିଆରେ ମୀନା ବଜାର, ବିଭିନ୍ନ ଦୋଳି ପଡିବ। ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି କରାଯିବା ସହ ପୂଜା ମଣ୍ଡପ ଓ ବାହାରେ ଭିଡ଼ ନିୟନ୍ତ୍ରଣ କରିବାକୁ ୫୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହ ସିସିଟିଭି କ୍ୟାମେରା ଓ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯିବ। ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ। କଲୋନି ପରିକ୍ରମା କରିବା ପରେ ଉତ୍ତର ଭୁବନେଶ୍ୱର ଭସାଣି ସମିତିର ଭସାଣ ଉତ୍ସବରେ ଯୋଗଦାନ କରିବାକୁ କମିଟି ସଭାପତି ରଶ୍ମିରେଖା ଜେନା, ସାଧାରଣ ସମ୍ପାଦକ ଯୋଗେଶ ଚନ୍ଦ୍ର ନାୟକ କହିଛନ୍ତି।
ଚନ୍ଦ୍ରଶେଖରପୁର: ୧୯୯୧ରେ ଆରମ୍ଭ ହୋଇଥିବା ବିଡିଏ କଲୋନି ଦୁର୍ଗା ପୂଜା ଏଥର ୩୩ ବର୍ଷରେ ପଦାର୍ପଣ କରିଛି। ତେଣୁ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ମା’ଙ୍କ ମୁକୁଟ ରୂପା, ସିନ୍ଥି ଓ ଟିକା ସୁନାରେ ପ୍ରସ୍ତୁତ ହୋଇଛି। ପାର୍ଶ୍ବ ଦେବାଦେବୀଙ୍କ ମକୁଟ ରୂପାରେ ନିର୍ମିତ ହୋଇଛି। ଏଠାରେ ତୋରଣ ଅନ୍ୟତମ ଆକର୍ଷଣ ପାଲଟିବ। ପାରାଦୀପ କାରିଗର ଦ୍ୱାରା ୮୦ ଫୁଟ ଉଚ୍ଚତା ଓ ୭୦ ଫୁଟ ଓସାରର ତୋରଣ କରାଯାଇଛି। ପୂଜା ପାଇଁ ମୋଟ ୧୨ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି। ମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍ ହୋଇଛି। ନବମୀରେ ୫ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଦଶମୀରେ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ଦହି ପଖାଳ ଓ ଶାଗ ଭଜା କରାଯିବ। ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ମେଲୋଡି, ଭଜନ ଓ ଗ୍ରୁପ୍ ଡ୍ୟାନ୍ସ ଅନୁଷ୍ଠିତ ହେବ। ଭସାଣୀରେ ପାରମ୍ପରିକ ବାଦ୍ୟ ଯଥା ବାଘ ନୃତ୍ୟ, ଷଣ୍ଢ ନୃତ୍ୟ, ସିଂଘ ବାଜା, ମାଦଳ ବାଜା, ଯୋଡ଼ି ଶଙ୍ଖ, ଘଣ୍ଟୁଆଙ୍କ ଘଣ୍ଟ ନାଦରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି ବିଡିଏ କଲୋନି ଦୂର୍ଗା ପୂଜା କମିଟି ସଭାପତି ଅମରେନ୍ଦ୍ର ମଲ୍ଲିକ, ସମ୍ପାଦକ ସୁକାନ୍ତ କୁମାର ପରିଡ଼ା ଜଣାଇଛନ୍ତି।