ଚାକିରି ଦେବା ନାଁରେ ୩୫ ଲକ୍ଷ ଠକେଇ, ଫିଲଡ୍‌ ମ୍ୟାନେଜର୍‌ ଅଟକ

ଚନ୍ଦ୍ରଶେଖରପୁର : ଚାକିରି କରାଇ ଦେବାକୁ କହି ୧୭୫ଜଣ ଯୁବକଙ୍କଠାରୁ ୩୫ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଆଜି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ କଳିଙ୍ଗ ଗ୍ରାମୀଣ ନିଧି ଲିମିଟେଡ୍‌ର ନାମକ ଏକ ସଂସ୍ଥାର ଫିଲ୍‌ଡ ମ୍ୟାନେଜର୍‌ ପ୍ରଦୀପ୍ତ କୁମାର ରାୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସର ସୂଚନା ମୁତାବକ, ସଂସ୍ଥାରେ ଜଣେ ମହିଳାଙ୍କ ସମେତ ୫ଜଣ ନିର୍ଦ୍ଦେଶକ ଅଛନ୍ତି। ତେବେ ସଂସ୍ଥା ବିଷୟରେ ପୁଲିସ୍ ଅଧିକ ତଦନ୍ତ ଚଳାଇଥିବା କହିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଲ୍ଲୀରେ ଏହି ସଂସ୍ଥାର ଏକ କାର୍ଯ୍ୟାଳୟ ଖୋଲା ଯାଇଛି। ଓଡ଼ିଶାର ୧୭୫ଟି ବ୍ଲକରୁ ବେକାର ଯୁବକଙ୍କୁ ଚାକିରି କରାଇଦେବାର ଲୋଭ ଦେଖାଇ ସଂସ୍ଥା ଜଣଙ୍କ ପିଛା ୨୦ ହଜାର ଟଙ୍କା ଆଦାୟ କରିଥିଲା। ପ୍ରାର୍ଥୀମାନଙ୍କୁ ପରିଚୟପତ୍ର ଓ ଚାକିରି ଅଫର୍ ଲେଟର୍‌ ଦେଇ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ଏକ ଶାଖା କାର୍ଯ୍ୟାଳୟରେ ପ୍ରଶିକ୍ଷଣ ମଧ୍ୟ‌ ଦିଆଯାଇଥିଲା। ମାତ୍ର ୪ ମାସ ‌ବିତିଯିବା ପରେ ମଧ୍ୟ ଦରମା ନ ମିଳିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା। ଏ ସଂପର୍କରେ ସେମାନେ କର୍ତ୍ତୃପକ୍ଷଙ୍କୁ ଯୋଗଯୋଗ କରିବାରୁ ସଂସ୍ଥାର କର୍ମଚାରୀମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ତେଣୁ ଆଜି ୧୦ରୁ ଊର୍ଧ୍ବ ଯୁବକ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର