ଭୁବନେଶ୍ୱର: ଫିଫା ଓ କିସ୍ର ମିଳିତ ସହଯୋଗରେ ବୁଧବାର କିସ୍ରେ ଫିଫା ଫୁଟ୍ବଲ୍ ଫର୍ ସ୍କୁଲ୍ କାର୍ଯ୍ୟକ୍ରମକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲି ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ବିଜରଲାଣ୍ଡ ସାଂସଦ ନିକ୍ ଗଗର୍, ଫିଫା ସଭାପତି ଜିଓନି ଇନ୍ଫାଣ୍ଟିନୋ ଭର୍ଚୁଆଲ୍ରେ ଯୋଗ ଦେଇଥିବା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଫିଫା ଫାଉଣ୍ଡେସନ୍ କାର୍ଯ୍ୟନିର୍ବାହୀ ଅଧିକାରୀ ୟୁରୀ ଡିଜୋରକେଫ୍, ଫିଫା ଫୁଟ୍ବଲ୍ ଫର୍ ସ୍କୁଲ୍ର ପ୍ରୋଜେକ୍ଟ ଲିଡର୍ ଆଲେକଜାଣ୍ଡ୍ରେ ଗ୍ରସ୍, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥା ସଚିବ ଆର୍ ଭିନିଲ୍କ୍ରିଷ୍ଣା, ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ସାଧାରଣ ସମ୍ପାଦକ କୁଶଲ ଦାସ, ଓଡ଼ିଶା ଫୁଟ୍ବଲ୍ ସଂଘ ସଭାପତି ଦେବାଶିଷ ସାମନ୍ତରାୟ ଓ ସମ୍ପାଦକ ଆଶୀର୍ବାଦ ବେହେରା, ଫିଫା ପଦାଧିକାରୀ ଆଲେକ୍ଜେଣ୍ଡ୍ରା ହୁଟେ, ଆଣ୍ଟୋନିଓ ବୁଏନାନୋ ଏବଂ ଆଲ୍ବର୍ଟୋ ଜିଆକୋମିନି ପ୍ରମୁଖ ଯୋଗଦେଇଥିଲେ ।
ପ୍ରଥମଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ ହିଁ ଯୁବ ପିଢ଼ି ପାଇଁ ବିନିଯୋଗ। ଯୁବ ବର୍ଗରେ ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ। ଏହି ପ୍ରକାର ସହଯୋଗ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍କୁ ଅନ୍ତର୍ଭୁକ୍ତ କରିବା ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟବଲ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଗତ ଦୁଇ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ବ୍ୟାପକ ପ୍ରୋତ୍ସାହନ ପାଇଁ ପ୍ରୟାସ କରି ଆସିଥିବା କିଟ୍ ଓ କିସ୍ର ଭୂୟସୀ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।
କ୍ରୀଡ଼ାକୁ ପ୍ରୋତ୍ସାହନ କ୍ଷେତ୍ରରେ ବୈପ୍ଳବିକ ପ୍ରୟାସ ପାଇଁ ଫିଫାର ସଭାପତି ଇନ୍ଫାଣ୍ଟିନୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଆଜି ଭାରତରେ ଫୁଟ୍ବଲ୍ ଫର ସ୍କୁଲ୍ ଉଦ୍ଘାଟିତ ହେଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଫୁଟ୍ବଲ୍ ଫର୍ ସ୍ପୋଟ୍ର୍ସ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ ଯାହା ଫୁଟବଲ୍ ଓ ଶିକ୍ଷାକୁ ଏକାଠି କରିଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଫନ୍ ଫୁଟ୍ବଲ୍ ଛାତ୍ରଛାତ୍ରୀଙ୍କୁ ଜୀବନ କୌଶଳ ଶିଖିବାରେ ଆଗ୍ରହ ସୃଷ୍ଟି କରିବ ବୋଲି ସେ କହିଥିଲେ। ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ଫିଫା ସଭାପତିଙ୍କ ଏହି ବୈପ୍ଳବିକ ପ୍ରୟାସ ଭାରତରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟ୍ବଲ୍ ପ୍ରତି ଆଗ୍ରହ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କିଟ୍ ଓ କିସ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୦ଟି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ କିଟ୍ ଓ କିସ୍ର ୧୦୦ଜଣ ଫୁଟବଲ୍ ଖେଳାଳି ଯୋଗ ଦେଇଥିଲେ।