ଭୁବନେଶ୍ୱର : ବାଣିଜ୍ୟ ଅନୁଷ୍ଠାନ/କମ୍ପାନି ବ୍ୟବସାୟ ସହ ସାମାଜିକ ଦାୟିତ୍ବବୋଧକୁ ଗୁରୁତ୍ବ ଦେବା ଉଚିତ। ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷଣା କହୁଛି, ଯେଉଁ କମ୍ପାନି ଯେତେ ଅଧିକ ସାମାଜିକ ବିକାଶରେ ପୁଞ୍ଜିନିବେଶ କରୁଛି, ସେ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଅପେକ୍ଷା ଅଧିକ ଲାଭବାନ ହେଉଛି। କମ୍ପାନିଗୁଡ଼ିକ କେବଳ ଲାଭଖୋର ମନୋବୃତ୍ତି ନ ରଖି ଲୋକଙ୍କ ବିଶ୍ବାସଭାଜନ ହେବା ସହ ନୈତିକତାକୁ ବଜାୟ ରଖିବା ଜରୁରୀ। ସାଧାରଣ ଲୋକଟି କିପରି ଉପକୃତ ହେବ ଏବଂ କିପରି ସମସ୍ତଙ୍କ ସହଭାଗିତାରେ ବିକାଶ ହେବ, ସେ ଦିଗରେ ସମସ୍ତ କମ୍ପାନି କାମ କରିବା ଆବଶ୍ୟକ। ଆଜି ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ୫ମ ‘କର୍ପୋରେଟ୍ ସୋସିଆଲ୍ ରେସ୍ପନ୍‌ସିବିଲିଟି (ସିଏସ୍‌ଆର୍‌) ବା କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ ସମ୍ମିଳନୀ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୌଶଳ ଏବଂ ଶିକ୍ଷା, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଏହା କହିଛନ୍ତି।

Advertisment

ଏହି ଅବସରରେ ଆଇସିିସି, ଓଡ଼ିଶା କାଉନ୍‌ସିଲ୍ ସିଏସ୍‌ଆର୍ ଏବଂ ସ୍ଥିରତା କମିଟିର ଆବାହକ ଜଗଦାନନ୍ଦ କହିଲେ, ସରକାର, କମ୍ପାନି ଏବଂ ସିଭିଲ୍ ସୋସାଇଟିର ମିଳିତ ସହଭାଗିତା ରହିଲେ ରାଜ୍ୟର ଦ୍ରୁତ ବିକାଶ ସମ୍ଭବ ହୋଇପାରିବ। ସିଏସ୍‌ଆର୍ ଭଳି ମହତ୍‌ ଉଦ୍ଦେଶ୍ୟର ସଫଳ ରୂପାୟନ ହୋଇପାରିବ। ସିଏସ୍‌ଆର ଠିକ୍ ଦିଗରେ ପରିଚାଳନା ପାଇଁ ନୂତନ ଚିନ୍ତାଧାରା ଏବଂ ଉନ୍ନତ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ଆର୍ସେଲର୍‌ ମିତ୍ତଲ ନିପ୍ପନ୍ ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଜି. କହିଥିଲେ। ଆଇସିସି ରାଜ୍ୟ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଜେ.ବି ପାଣି ସ୍ୱାଗତ ଭାଷଣରେ ସିଏସ୍‌ଆର ଏକ ସକାରାତ୍ମକ ପରିବର୍ତ୍ତନର ମୁଖ୍ୟ ବାହକ ହେବ ବୋଲି କହିଥିଲେ। ଆଇସିସି ଷ୍ଟେଟ୍ କାଉନ୍‌ସିଲ୍ ସିଏସ୍‌ଆର୍ ଏବଂ ସ୍ଥିରତା କମିଟିର ସହ ଆବାହକ ଅମ୍ବିକା ପ୍ରସାଦ ନନ୍ଦ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ପରିଷଦ ସିଏସ୍‌ଆର୍ ଏବଂ ସ୍ଥିରତା କମିଟିର ପ୍ରମୁଖ ଉପଦେଷ୍ଟା ପ୍ରଶାନ୍ତ ହୋତା ଓ ଆଞ୍ଚଳିକ ମୁଖ୍ୟ ଜେ ପି ପାଲ୍ ଉପସ୍ଥିତ ଥିଲେ। ‘ସିଏସ୍‌ଆରର ପ୍ରଭାବ କ’ଣ ପଡ଼ୁଛି, ସିଏସ୍‌ଆର୍ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ଲୋକେ କ’ଣ ଶିକ୍ଷା ଗ୍ରହଣ କରିଛନ୍ତି, ଏସବୁ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।