ଭୁବନେଶ୍ୱର: ସମୟକ୍ରମେ ଜଣେ ବୟସ୍କ ପ୍ରଫେସର ଓ ଅଭିନେତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଜଣେ ଯୁବତୀଙ୍କ ମଧ୍ୟରେ ଗଢ଼ିଉଠେ ପ୍ରେମ। ନିଜ ନିଜ ମନର ଶୂନ୍ୟତାକୁ ଦୂର କରିବା ପାଇଁ ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି। ଯୁବତୀଜଣକ ଜଣେ ସଫଳ ଅଭିନେତ୍ରୀ ହେବା ପାଇଁ ନିଜର ଚେଷ୍ଟା ଓ ଅଧ୍ୟବସାୟ ଜାରି ରଖିଥିଲା ବେଳେ ବୟସ୍କ ପ୍ରଫେସର ମୃତ୍ୟୁକୁ ସାମ୍ନା କରିବାର ବିଭିନ୍ନ ଉପାୟ ବିଷୟରେ ସର୍ବଦା ଚିନ୍ତା କରିବାରେ ଲାଗିଥାନ୍ତି। ସେମାନଙ୍କ ମଧ୍ୟରେ ଥିବା ଏହି ଭିନ୍ନତା ଓ ଅବସାଦ ପଣିଆକୁ ଦୂରେଇବା ପାଇଁ ସର୍ବଦା ଚେଷ୍ଟା କରୁଥା’ନ୍ତି।

Advertisment

ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ଗୌହାଟିର ‘ସିଗଲ ଥିଏଟର’ ଦ୍ୱାରା ପରିବେଷିତ ନାଟକ ‘ଏ ବୋରିଂ ଷ୍ଟୋରି’ ଆଜି ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଛି। ଏହି କାହାଣୀକୁ ରୁଷିଆର ଆଣ୍ଟୋନି ଚେକୋଭ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବାହାରୁଲ ଇସଲାମ। ନାଟକର ବିଭିନ୍ନ ଭୂମିକାରେ ବାହାରୁଲ ଇସଲାମ, ନିର୍ମଳୀ ଶର୍ମା, ମୋନିକା ଶ୍ରୀ ମଣ୍ଡଳ, ପ୍ରଶାନ୍ତ କାଲିତା, ପ୍ରାଣ ସୋଲିନ୍‌ ପ୍ରମୁଖ ଅଭିନୟ କରିଛନ୍ତି। ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ପିପିଏଲ୍‌ର କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧି ରଞ୍ଜନ ମିଶ୍ର, ସାମ୍ୱାଦିକ ଗୋପୀନାଥ ବାରିକ, ଲେଖକ ତଥା ନିର୍ଦ୍ଦେଶକ ସମର ମୁଦାଲି, ବିଦ୍ୟାକନକ ସୃଜନାନୁଷ୍ଠାନର ସଭାପତି ସୁଧାକର ପତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ନାଟ୍ୟ ନିର୍ଦ୍ଦେଶକ ସମୀର ମହାପାତ୍ର ଓ ସାମ୍ୱାଦିକ ରଶ୍ମିରଞ୍ଜନ ପାଢ଼ୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଂପାଦକ ଶୁଭକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗତକାଲି ସଂଧ୍ୟାରେ ଜବଲପୁର ‘ସମାଗମ ରଙ୍ଗମଣ୍ଡଳ’ ପକ୍ଷରୁ ହିନ୍ଦୀ ନାଟକ ‘ଭୂମି’ ମଞ୍ଚସ୍ଥ ହୋଇଥିଲା। ଅତିଥି ଭାବେ ରୋଟାରିଆନ୍‌ ଜୟଶ୍ରୀ ମହାନ୍ତି, ନାଟ୍ୟ ବ୍ୟକ୍ତିତ୍ବ ମାୟା ଦାସ, ନାଟ୍ୟକାର ନିବେଦିତା ଜେନା ଓ ଡା. ଦେବଦତ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ସାମଲ ଓ ସାମ୍ବାଦିକା ଶର୍ମିଷ୍ଠା ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।