ଲୁଟ୍ ପରେ ଧସ୍ତାଧସ୍ତି ଅଳ୍ପକେ ଖସିଗଲା ଦୁର୍ବୃତ୍ତ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଉପରେ ସୋମବାର ବିଳମ୍ବିତ ରାତିରେ ଲୁଟ୍‌ର ଶିକାର ହୋଇଥିବା ଜଣେ ଯୁବକ ଦୁର୍ବୃତ୍ତମାନଙ୍କୁ ସାହସର ସହ ମୁକାବିଲା କରିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଧସ୍ତାଧସ୍ତି ସମୟରେ ଦୁର୍ବୃତ୍ତକୁ ଅନ୍ୟ ଦୁଇ ସହଯୋଗୀ ଛଡ଼େଇନେବାରେ ସକ୍ଷମ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ପୁଲିସ ଜଣେ ଲୁଟେରାକୁ ଚିହ୍ନଟ କରିଛି। ସୂଚନାନୁସାରେ ବରମୁଣ୍ଡା ଅଞ୍ଚଳର ପ୍ରଭାସ ରଂଜନ ଚମ୍ପତ୍ତି ପାତ୍ରପଡ଼ା କଳିଙ୍ଗବିହାରରେ ବ୍ୟବସାୟ କରନ୍ତି। ସବୁଦିନ ଭଳି ସେ ସୋମବାର ରାତି ପ୍ରାୟ ସାଢ଼େ ୧୧ଟାବେଳେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେ ଆଇଗିଣିଆ ଓଭରବ୍ରିଜ୍ ଉପରେ ପହଞ୍ଚିଥିବାବେଳେ ହଠାତ୍ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ୨ ଜଣ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଇଥିଲେ। କିଛି ବୁଝିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ତାଙ୍କ ମୋବାଇଲ୍ ଫୋନ୍ ଓ ପର୍ସ ଛଡ଼ାଇ ନେଇଥିଲେ। ପର୍ସରେ ୬ ହଜାର ଟଙ୍କା ଓ ଅନ୍ୟାନ୍ୟ କାର୍ଡ ସବୁଥିଲା। ଲୁଟ୍ କରିବା ପରେ ସେମାନେ ବାଇକ୍‌ରେ ପଳାଇବାକୁ ବସିଥିଲେ। କିନ୍ତୁ ସାହସ କରି ପ୍ରଭାସ ପଛରେ ଥିବା ଦୁର୍ବୃତ୍ତର ସାର୍ଟ କଲାରକୁ ଟାଣି ଦେଇଥିଲେ। ଫଳରେ ସେ ବାଇକ୍‌ରୁ ଖସି ପଡ଼ିଥିଲା। ତଳେ ପଡ଼ିଥିବା ଲୁଟେରାକୁ ବହେ ମାଡ଼ ମାରିଥିଲା। ସେ ଭାବିଥିଲେ ଅନ୍ୟ ପଥଚାରୀମାନେ ଅଟକିଗଲେ ସେ ଲୁଟେରାକୁ କାବୁ କରିନେବେ। କିନ୍ତୁ କେହି ଅଟକି ନଥିଲେ। ତେଣୁ କିଛି ଦୂର ଯାଇଥିବା ଦୁଇ ଲୁଟେରା ପୁଣି ପଛକୁ ଫେରିବା ଦେଖି ପ୍ରଭାସ ବାଧ୍ୟ ହୋଇ ବାଇକ୍ ଛାଡ଼ି ଧାଇଁଥିଲେ। ପ୍ରଭାସ ଭାବିଲେ ଦୁର୍ବୃତ୍ତମାନେ ତାଙ୍କ ବାଇକ୍ ନେଇଯିବେ। କିନ୍ତୁ ବିଧା ଗୋଇଠା ଖାଇ ତଳୁ ଉଠିପାରୁ ନଥିବା ଲୁଟେରାକୁ ସେମାନେ କୌଣସିମତେ ଉଠାଇ ପଳାଇଥିଲେ। ପରେ ପ୍ରଭାସ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର