କରୋନା ମୁକାବିଲା: ବିଦେଶରୁ ଆସିଥିବା ୩ ଜଣଙ୍କୁ ସ୍ବୟଂ ସଙ୍ଗରୋଧ ନିର୍ଦ୍ଦେଶ

ରାଜ୍ୟବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ନଜରରେ ରଖିଲା ପ୍ରଶାସନ, ଡିଆର୍‌ଏମ୍‌ ଅଫିସ୍ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ

 

ଜଟଣୀ: ସ୍ଥାନୀୟ ଅଞ୍ଚଳରେ କରୋନା ନେଇ ସଚେତନତା କରାଯାଉଥିବା ବେଳେ କରୋନା ସନ୍ଦିଗ୍ଧଙ୍କ ଉପରେ ପ୍ରଶାସନ ତୀକ୍ଷଣ ଦୃଷ୍ଟି ରଖିଛି। ଆଜି ବିଦେଶରୁ ଆସିଥିବା ୩ଜଣଙ୍କୁ ପଞ୍ଜୀକରଣ କରାଯାଇଛି। ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ସେଲ୍ଫ କ୍ବାରେଣ୍ଟିନ୍ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ସୁଦ୍ଧା ଜଟଣୀରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଆଜି ୩ଜଣଙ୍କ ମଧ୍ୟରେ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନେ ଦୁବାଇ, ବାହାରିନ୍ ଏବଂ ଆଟଲାଣ୍ଟାରୁ ଦିଲ୍ଲୀ ଦେଇ ଭୁବନେଶ୍ବର ଆସିଥିବା କହିଛନ୍ତି ଜଟଣୀ ଗୋଷ୍ଠୀ ଚିକିତ୍ସାଧିକାରୀ ଜିତେନ୍ଦ୍ର କୁମାର ପଣ୍ଡା । ଏଥିସହିତ ରାଜ୍ୟବାହାରୁ ଆସିଥିବା ଲୋକଙ୍କ ଉପରେ ତୀକ୍ଷଣ ନଜର ରଖି ଡାକ୍ତରୀ ପରୀକ୍ଷା କରାଯାଉଥିବା ସହ ୧୨ଜଣଙ୍କୁ ମଧ୍ୟ ନିଜସ୍ବ ହେପାଜତରେ ୧୪ଦିନ ରହିବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଅପରପକ୍ଷେ ଆଜି ସ୍ଥାନୀୟ ଡିଆର୍‌ଏମ୍‌ ଅଫିସ୍ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଅଫିସ୍ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇଛି। ଅଫିସ୍ ପ୍ରବେଶ ଦ୍ବାରରେ ହାତଧୋଇବା ବେସିନ୍ ଲଗାଯାଇଛି ଏବଂ ସାନିଟାଇଜର୍ ରଖାଯାଇଛି ବୋଲି ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ପ୍ରକାଶ କିଶୋର ସାମଲ ସୂଚନା ଦେଇଛନ୍ତି। ଆଗାମୀ ଦିନରେ କର୍ମଚାରୀ ମାନଙ୍କୁ ସାନିଟାଇଜର୍ ଓ ମାକ୍ସ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ ଜଟଣୀ ଥାନା ଅଧିକାରୀ ବିଶ୍ବରଞ୍ଜନ ସାହୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ଡାକି ବହୁ ସଂଖ୍ୟାରେ ଲୋକେ ଯେପରି ଏକାଠି ନ ହୁଅନ୍ତି, ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ଶୁକ୍ରବାର ଥିବାରୁ ସାମୂହିକ ନମାଜ ପାଠ ସମୟରେ ଯେପରି ଅଧିକ ଭିଡ଼ ନ ହୁଏ ,ସେଥିପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ମସ୍‌ଜିଦ୍‌ର କର୍ମକର୍ତ୍ତାଙ୍କୁ ମଧ୍ୟ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର