କରୋନା ମୁକାବିଲା : ଠିକାରେ ନିଯୁକ୍ତ ହେବେ ଷ୍ଟାଫ ନର୍ସ ଓ ପାରାମେଡିକ୍ସ

ରାଜଧାନୀରେ ବଢ଼ିବ ଆଇସୋଲେସନ୍‌ ଶଯ୍ୟା, ଆଉ ୬ ହୋଟେଲରେ ସଙ୍ଗରୋଧ ସୁବିଧା

ଭୁବନେଶ୍ବର : ରାଜ୍ୟରେ କରୋନାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ଦୃଷ୍ଟିରୁ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବା ପାଇଁ ଠିକାରେ ଅବସରପ୍ରାପ୍ତ ଷ୍ଟାଫ ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଚିନ୍ତା କରିଛି ସ୍ବାସ୍ଥ୍ୟ ବିଭାଗ। ଏହି କର୍ମଚାରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ନିଯୁକ୍ତି ଦିଆଯିବ। ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଲାବେରେଟାରି ଟେକ୍‌ନିସିଆନ୍ ଓ ରେଡିଓଗ୍ରାଫରଙ୍କୁ ଦିନକୁ ସର୍ବାଧିକ ୧ହଜାର ଟଙ୍କା ପାରିଶ୍ରମିକ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିରେ ଶ୍ରମ ବିଭାର ମଜୁରୀ ବାବଦରେ ୩୮୮ ଟଙ୍କା ଓ କୋଭିଡ-୧୯ର ପ୍ରୋତ୍ସାହନ ରାଶି ବା ଇନସଣ୍ଟେିଭ୍ ବାବଦରେ ୬୧୨ ଟଙ୍କାକୁ ମିଶାଇ ସମୁଦାୟ ୧ହଜାର ଟଙ୍କା ମିଳିବ। ଅପରପକ୍ଷରେ ସ୍ବାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ଙ୍କୁ ଦୈନିକ ୮୫୦ ଟଙ୍କା ଦେବାକୁ ସ୍ଥିର ହୋଇଛି। ସ୍ଥାନୀୟ ସିଡିଏମ୍‌ଓ ‌ସେମାନଙ୍କୁ ଆବଶ୍ୟକ ଅନୁସାରେ ନିଯୁକ୍ତି ଦେଇପାରିବେ। ତେବେ ଏହି ନିଯୁକ୍ତି ଆସନ୍ତା ଜୁନ୍ ମାସ ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବେ। ସମସ୍ତ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରାଜଧାନୀରେ ବଢ଼ିବ ଆଇସୋଲେସନ୍‌ ଶଯ୍ୟା
ଭୁବନେଶ୍ବର : ରାଜ୍ୟରେ କରୋନାର ମୁକିବାଲା ପାଇଁ ରାଜ୍ୟ ସରକାର ତତ୍ପର ରହିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ଦେଖା ଦେଇଥିବା ୨ଟି କରୋନା ପଜିଟିଭ୍ ମାମଲା କେବଳ ରାଜଧାନୀରେ ଚିହ୍ନଟ ହୋଇଥିବାରୁ ରାଜଧାନୀରେ ଆଗକୁ ଆଇସୋଲେସନ୍‌ ଶଯ୍ୟା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ନିରତାର ସମେତ ଘରୋଇ ହସ୍ପିଟାଲ ଗୁଡ଼ିକରେ ମଧ୍ୟ ଏହି ଶଯ୍ୟାର ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରତାରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଏଠାରେ ୧୦୦ଟି ଆଇସୋଲେସନ୍ ଶଯ୍ୟା ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଏମ୍‌ସରେ ଶଯ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି କରାଯିବ। ରାଜଧାନୀରେ ଥିବା ଅନ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ବୃଦ୍ଧି କରିବା ଲାଗି କୁହାଯାଇଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍‌ ସଂଖ୍ୟାରେ ବୃଦ୍ଧି କରାଯାଇଛି ଓ ଯଦି ଆବଶ୍ୟକ ପଡ଼ିବ ତେବେ ଆହୁରି ଶଯ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଉ ୬ ହୋଟେଲରେ ସଙ୍ଗରୋଧ ସୁବିଧା
ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଆଉ ୬ଟି ହୋଟେଲରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି। ଏଠାରେ କରୋନା ସନ୍ଦିଗ୍ଧମାନେ ୧୪ ଦିନିଆ ସଙ୍ଗରୋଧରେ ରହିପାରିବେ। ଏହି ହୋଟେଲରେ ସେମାନଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଓ ଦୁଇଟି ପାଣି ବୋତଲ ଯୋଗାଇ ଦିଆଯିବ। ବିଏମ୍‌ସି ପକ୍ଷରୁ ପୂର୍ବରୁ ୩ଟି ହୋଟେଲରେ ସଙ୍ଗରୋଧ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଆଜିଠାରୁ ଆଉ ୬ଟି ହୋଟେଲରେ ଏହି ସୁବିଧା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ବିଦେଶ ଫେରନ୍ତା ବ୍ୟକ୍ତି କିମ୍ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏଠାରେ ରହି ପାରିବେ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଥିବା ହୋଟେଲ କମଳା-ଇନ୍‌ରେ ୨୫୦୦ ଟଙ୍କା, ଖାରବେଳନଗରରେ ଥିବା ଅର୍ବାନ୍ ପାର୍କରେ ୨୫୦୦ ଟଙ୍କା, ଇନ୍ଦ୍ରଧନୁ ମାର୍କେଟ୍‌‌ରେ ଥିବା ବରି ଇଣ୍ଟରନ୍ୟାସନାଲ୍‌ରେ ୧୪୦୦ ଟଙ୍କା, ବାପୁଜୀନଗରସ୍ଥିତ ହୋଟେଲ କଳିଙ୍ଗରେ ୧୪୦୦ ଟଙ୍କା, ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ ଭିନ୍ନ ସକାଳରେ ୧୪୦୦ ଟଙ୍କା ଏବଂ ନନ୍ଦନକାନନ ନିକଟରେ ଥିବା ହୋମ୍‌ ଡ୍ରିମଭିଲ୍ଲା ରିସର୍ଟସ୍‌ରେ ୯୦୦ ଟଙ୍କା ଦେଇ ଏହି ସୁବିଧା ପାଇପାରିବେ। ଏହି ସବୁ ହୋଟେଲରେ କିପରି କର୍ମଚାରୀମାନେ ସଙ୍ଗରୋଧ ଥିବା ବ୍ୟକ୍ତିମାନଙ୍କୁ ବ୍ୟବହାର କରିବେ, ସଙ୍ଗରୋଧ ଥିବା ବ୍ୟକ୍ତିଙ୍କ ରୁମ୍‌ରେ କିପରି ବିଶୋଧକ ବ୍ୟବହାର କରିବେ, ସେ ନେଇ ମଧ୍ୟ ହୋଟେଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର