ବନ୍ୟା ମୁକାବିଲା ପ୍ରସ୍ତୁତିର ଦୁର୍ବଳ ଚିତ୍ର, ବନ୍ଧରେ ଫାଟ କରୁଛି ବଡ଼ ବଡ଼ ଗଛ

ମୁଣ୍ଡଳି ଓ ନରାଜ ବ୍ୟାରେଜରେ ଭଙ୍ଗା ବାଡ଼ା, ମିଟର ପାହାଚ

କଟକ: ମହାନଦୀରେ ବନ୍ୟା ଆସିଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୁଏ ମୁଣ୍ଡଳୀ ଓ ନରାଜର ସ୍ଥିତି। ମୁଣ୍ଡଳୀ ବ୍ୟାରେଜର ପରେ ପରେ ନରାଜରେ ମହାନଦୀରୁ ଅଲଗା ହୋଇଛି କାଠଯୋଡି। ମୁଣ୍ଡଳୀ ମହାନଦୀ ବନ୍ୟାଜଳର ମାପକ ହୋଇଥିବା ବେଳେ ନରାଜ ହେଉଛି କାଠଯୋଡିର ମାପକ। ଏହି ଦୁଇଟି ସ୍ଥାନର ଜଳ ପ୍ରବାହ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଆକଳନରେ ସହାୟତ ହୋଇଥାଏ। କିନ୍ତୁ କିଛି ବର୍ଷ ବ୍ୟବଧାନରେ ଚଳିତ ବର୍ଷ ମହାନଦୀରେ ବିପଦ ଆଶଙ୍କା ସୃଷ୍ଟି କଲା ଭଳି ବନ୍ୟା ଜଳ ପ୍ରବାହିତ ହୋଇଥିଲା। କିନ୍ତୁ ବନ୍ୟା ନିୟନ୍ତ୍ରଣରେ ଗୁରୁତ୍ବପୂର୍ଣ୍ଣ ମୁଣ୍ଡଳୀ ବ୍ୟାରେଜ, ନରାଜର ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ସ୍ଥିତି ଧରା ପଡି ଯାଇଥିଲା।

ମୁଣ୍ଡଳୀ ବ୍ୟାରେଜର ଫାଟକ ଉପର ବାଡ଼ା ବା ଖୁଣ୍ଟିଗୁଡିକ ଭାଙ୍ଗିଯାଇ ଜାଲି ସହ ଝୁଲି ରହିଛି। ସ୍ଲାବ୍‌ ଫାଟି ଯାଇଛି। ନରାଜରେ ମଧ୍ୟ ମରାମତି ଅଭାବରୁ ମିଟର ପାହାଚ ପାଖରେ ବଡ଼ ଗଛସବୁ ଉଠିଯାଇଥିବାବେଳେ ବନ୍ଧର କଡ଼ରେ ମଧ୍ୟ ଗଛ ଉଠି ବନ୍ଧରେ ଫାଟ କଲା ଭଳି ସ୍ଥିତି ସୃଷ୍ଟି କରିଛି। ଚଳିତ  ବନ୍ୟା ସମୟରେ ମୁଣ୍ଡଳିରେ ୧୧ଲକ୍ଷ ଜଳ ପ୍ରବାହିତ ହେବାର ଆଶଙ୍କା ଥିବାରୁ ଜଳସମ୍ପଦ ମନ୍ତ୍ରୀ, ସଚିବଙ୍କ ଠାରୁ ଆରମ୍ଭ କରି ସର୍ବୋଚ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡଳି, ନରାଜ ପରିଦର୍ଶନ କରିଥିଲେ ବି ଏଯାଏ ଏହାର ମରାମତି ଦିଗରେ ପଦକ୍ଷେପ ନିଆ ନଯିବା ଘଟଣା ପ୍ରଶାସନିକ ଉଦାସୀନତାର ପ୍ରମାଣ ଦେଇଛି। ମୁଣ୍ଡଳିର ଏଭଳି ଦୁର୍ବଳ ବାଡା ସଂପର୍କରେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ କିଛିମାସ ତଳେ ପରିବା ବୋଝେଇ ଗାଡି ଧକ୍କା ଦେବା ଫଳରେ ତାହା ଏଭଳି ଭାଙ୍ଗି ଯାଇଛି, ତାକୁ ମରାମତି କରାଯିବ ବୋଲି କହିଛନ୍ତି। ମୁଣ୍ଡଳୀର ମରାମତି ମେକାନିକାଲ ଡିଭିଜନ ହାତରେ ରହିଛି ଓ ନରାଜର ମରାମତି ବ୍ୟାରେଜ ଡିଭିଜନ ହାତରେ ରହିଛି। ଅନ୍ୟପଟେ ସୂଚନା ଅନୁସାରେ ଦୀର୍ଘ ୩/୪ବର୍ଷ‌ ହେଲା ମୁଣ୍ଡଳୀ ଓ ନରାଜର ମରାମତି କାମ ହୋଇନି। କେବଳ ନାମକୁ ମାତ୍ର ଗ୍ରିସିଂ ନାଁରେ ୪/୫ଲକ୍ଷ ଖର୍ଚ୍ଚ ହେଉଥିବାବେଳେ ଚଳିତ ବର୍ଷ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିବା ଜଣେ ବରିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରକ୍ଷଣାବେକ୍ଷଣ ପାଇଁ କେତେ ଟଙ୍କା ଆସୁଛି, ସେ ସଂପର୍କରେ ତଥ୍ୟ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି।

ସମ୍ବନ୍ଧିତ ଖବର