ଦାଦାବଟି ଆଦାୟକୁ ନେଇ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଦାଦାବଟି ମାଗିବାକୁ ଆସି ଜଣେ ରାଜମିସ୍ତ୍ରିକୁ କଟୁରିରେ ହାଣି ଗୁରୁତର କରିଥିବା ୨ ଅସାମାଜିକ ଯୁବକଙ୍କୁ ଆଜି ସ୍ଥାନୀୟ ଲୋକେ ନିସ୍ତୁକ ଛେଚିଛନ୍ତି। ଲୋକଙ୍କ ମାଡ଼ରେ ଯୁବକ ଦ୍ୱୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସହିଦନଗର ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି। ମିଳିଥିବା ସୂଚନା ଅନୁଯାୟୀ ମଣ୍ଟୁସ୍‌ କୁମାର ନାମକ ଜଣେ ରାଜମିସ୍ତ୍ରି ଲ’ କଲେଜ ନିକଟରେ କିଛି ନିର୍ମାଣ କାମ କରୁଛନ୍ତି। ଆଜି ରାତି ପ୍ରାୟ ସାଢ଼େ ୯ଟାବେଳେ ପଥରବନ୍ଧ ବସ୍ତିର ପ୍ରକାଶ ବିଶୋଇ ଓ ଜଗା ସ୍ୱାଇଁ ନାମକ ଦୁଇ ଅସାମାଜିକ ଯୁବକ ବାଣୀବିହାର ପୋଷ୍ଟାଲ କଲୋନି ନିକଟରେ ମଣ୍ଟୁସ୍‌ଙ୍କୁ ଅଟକାଇ ଦାଦାବଟି ମାଗିଥିଲେ। ମାତ୍ର ମଣ୍ଟୁସ୍‌ ବଟି ଦେବାକୁ ମନା କରିବାରୁ ଉଭୟ ଏକ କଟୁରିରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହା ଦେଖି ସ୍ଥାନୀୟ ଯୁବକମାନେ ପ୍ରକାଶ ଓ ଜଗାଙ୍କୁ ଘେରି ଯାଇ ନିସ୍ତୁକ ମାଡ଼ ମାରିଥିଲେ। ପ୍ରକାଶ ନିସ୍ତେଜ ହୋଇ ପଡ଼ି ଯିବା ପରେ ଯୁବକମାନେ ସେଠାରୁ ଖସି ପଳାଇଥିଲେ।

 ପୁଲିସ କହିବା ଅନୁଯାୟୀ ପ୍ରକାଶ ବିରୋଧରେ ରାଜଧାନୀ ବିଭିନ୍ନ ଥାନାରେ ଏକାଧିକ ଲୁଟପାଟ, ମରଣାନ୍ତକ, ଦାଦାବଟି ଆଦାୟ କରିବା ଭଳି ମାମଲା ରହିଛି। ପ୍ରକାଶ ଗତ ଏକ ସପ୍ତାହ ହେବ ପୋଷ୍ଟାଲ କଲୋନି ନିକଟରେ ରହୁଥିବା ମଣ୍ଟୁସ୍‌ଙ୍କୁ ଦାଦାବଟି ମାଗିବା ସହିତ ଧମକ ଚମକ ଦେଉଥିଲା। ଆଜି ପ୍ରକାଶ ଓ ଜଗା ଦାଦାବଟି ମାଗିବାକୁ ଯାଇ ମଣ୍ଟୁସ୍‌ଙ୍କୁ ଆକ୍ରମଣ କରିବାରୁ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ମିଳିତ ହୋଇ ଆକ୍ରମଣ କରିଥିଲେ। ପୁଲିସ ରକ୍ତାକ୍ତ ଅବସ୍ଥାରେ ପ୍ରକାଶକୁ ଉଦ୍ଧାର କରି ହସ୍ପିଟାଲ ନେଇଥିବାବେଳେ ମଣ୍ଟୁସ୍‌ଙ୍କୁ ସ୍ପର୍ଶ ହସ୍ପିଟାଲରେ ଭର୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର