ଭରତପୁରରେ ଉତ୍ତେଜନା, ସରକାରୀ ଜମି ଦଖଲରୁ ମାର‌୍‌ପିଟ୍‌

ଖଣ୍ତଗିରି: ରାସ୍ତା କଡ଼ ସରକାରୀ ଜମି ଜବରଦଖଲକୁ ନେଇ ଆଜି ଭରତପୁରରେ ଦୁଇ ଗୋଷ୍ଠୀ ମଧୢରେ ସ˚ଘର୍ଷ ଘଟିଛି। ଅନ୍ଧାରୁଆ ଗାଁର କିଛି ଯୁବକଙ୍କ ଆକ୍ରମଣରେ ଭରତପୁରର ଆଚାର ବେପାରୀ ପଦ୍ମଚରଣ ସାହୁଙ୍କ ପରିବାର ଆହତ ହୋଇଥିବା ନେଇ ଖଣ୍ତଗିରି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି।

ସୂଚନାନୁସାରେ ଭରତପୁରରୁ ଅନ୍ଧାରୁଆ ରାସ୍ତା ପାର୍ଶ୍ବରେ ଏକ ପ୍ଲଟକୁ ନେଇ ଏହି ଗଣ୍ତଗୋଳ ଘଟିଥିଲା। ଖଣ୍ତଗିରି ଥାନାରେ ପଦ୍ମଲୋଚନ କରିଥିବା ଅଭିଯୋଗ ଅନୁସାରେ ସେ ଦୀର୍ଘ ୧୨ ବର୍ଷ ହେଲା ଉକ୍ତ ପ୍ଲଟ୍‌କୁ ଦଖଲ କରି ଆସୁଛନ୍ତି। କିନ୍ତୁ ଏବେ ଅନ୍ଧାରୁଆର କିଛି ଯୁବକ ଏହାକୁ ଜବରଦଖଲ କରିବାକୁ ବସିଛନ୍ତି। ଆଜି ସେମାନେ ସ˚ଘବଦ୍ଧ ଭାବେ ଉକ୍ତ ପ୍ଲଟକୁ ଦଖଲ କରିବାକୁ ଆସିଥିବାବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ବିରୋଧ କରିଥିଲେ। ଫଳରେ ଜବରଦଖଲ କରିଥିବା ଅନ୍ଧାରୁଆର ଯୁବକମାନେ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଉକ୍ତ ଯୁବକମାନେ ପଦ୍ମଚରଣଙ୍କ ଦୁଇପୁଅଙ୍କଠାରୁ ସୁନାଚେନ୍‌, ମୋବାଇଲ୍‌ ଫୋନ୍‌ ଓ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ ବୋଲି ପଦ୍ମଚରଣ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଗଣ୍ତଗୋଳ ଖବର ପାଇବା ପରେ ଭରତପୁରର ଶହ ଶହ ଲୋକ ଘଟଣାସ୍ଥଳୁ ଛୁଟିଥିଲେ ଓ ସେମାନଙ୍କୁ ଦେଖି ଗଣ୍ତଗୋଳକାରୀମାନେ ଫେରାର‌୍‌ ହୋଇଯାଇଥିଲେ। କିନ୍ତୁ ଖବର ଅନୁସାରେ ଗଣ୍ତଗୋଳକାରୀମାନଙ୍କୁ ମଧୢ ଭରତପୁର ଲୋକେ ଉତ୍ତମ ମଧୢମ ଦେଇଥିଲେ। ପ୍ରତିଆକ୍ରମଣରେ ଅନ୍ଧାରୁଆର ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ଖବର ପାଇ ଖଣ୍ତଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ସେତେବେଳକୁ ଗଣ୍ତଗୋଳକାରୀମାନେ ଫେରାର‌୍‌ ହୋଇଯାଇଥିଲେ। ଗଣ୍ତଗୋଳକାରୀମାନଙ୍କୁ ଗିରଫ କରିବା ଦାବିରେ ଲୋକେ ରାସ୍ତା ଉପରେ ଧାରଣା ଦେଇଥିଲେ। ପଦ୍ମଲୋଚନଙ୍କ ସ୍ତ୍ରୀ ଆହତ ହୋଇଥିବା ଦର୍ଶାଇ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ରାସ୍ତା ଉପରେ ଶୁଆଇ ରଖିଥିଲେ। ପରେ ବହୁ ବୁଝାସୁଝା କରି ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର