ଜାଗାବାଡ଼ିକୁ କେନ୍ଦ୍ର କରି ମାରପିଟ୍‌, ୨ ଭାଇ ଗିରଫ

ଭୁବନେଶ୍ବର: ଜାଗାବାଡ଼ିକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାରପିଟ୍‌ ଅଭିଯୋଗରେ ସହିଦନଗର ଥାନା ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ, କୋରଡ଼କଣ୍ଟା ଅଞ୍ଚଳର ନାରାୟଣ ବସ୍ତିଆ(୭୨) ଓ ପ୍ରହଲ୍ଲାଦ ବସ୍ତିଆ(୫୮)। ୨୦୦୭ ମସିହାରେ ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ନାମକ ଜଣେ ମହିଳା ନାରାୟଣଙ୍କଠାରୁ ଜମି କିଣି ସେଠାରେ ଘର କରିଥିଲେ। ସେ ଘର ସମ୍ମୁଖ ସରକାରୀ ଜମିରେ ଗଛ ଲଗାଉଥିବା ବେଳେ ନାରାୟଣ ଓ ପ୍ରହଲ୍ଲାଦ ଏହାକୁ ବିରୋଧ କରିଥିଲେ। କିନ୍ତୁ ଜ୍ୟୋତିର୍ମୟୀ ସେମାନଙ୍କ କଥାକୁ ଖାତିର୍‌ ନ କରିବାରୁ ଉତ୍ତ୍ୟକ୍ତ ଦୁଇ ଭାଇ ଜ୍ୟୋତିର୍ମୟୀଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ପାଟି ଶୁଣି ଘରେ ଥିବା ତାଙ୍କ ଝିଅ ଓ ଡ୍ରାଇଭର୍‌ ଦୁଇଭାଇଙ୍କ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ମଧ୍ୟ ଦୁଇଭାଇଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ଜ୍ୟୋତିର୍ମୟୀ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର