ଥାନା ଘେରିଲେ ବସ୍ତିବାସିନ୍ଦା, ଜାଗାବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର: ସରକାରୀ ଜମିରେ ଘର ତିଆରିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏ ନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗୋଟିଏ ପରିବାରର ଜଣକୁ ଅଟକ ରଖିଥିଲା। ପୁଲିସ ଏକପାଖିଆ ଭାବେ ଜଣକୁ ଅଟକ ରଖିବା ପ୍ରତିବାଦରେ ଆଜି ଶତାଧିକ ବସ୍ତିବାସିନ୍ଦା ନୂଆପଲ୍ଲୀ ଥାନା ଘେରାଉ କରିଥିଲେ। ମିଳିଥିବା ସୂଚନାନୁଯାୟୀ ସାଲିଆସାହି ତାରିଣୀ ନଗର ପାତ୍ର ସାହିରେ କୃପାସିନ୍ଧୁ ପ୍ରଧାନ ଏବଂ ତାଙ୍କ ପରିବାର ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ତାଙ୍କ ଘର ପାଖଦେଇ ଯାଇଥିବା ଏକ ଗଳି ରାସ୍ତାକୁ ତାଙ୍କ ପଡ଼ୋଶୀ ଲିପୁ ପ୍ରଧାନ ବନ୍ଦ କରି ଏକ ଘର ତିଆରି କରିବା ଆରମ୍ଭ କରିଥିଲେ। ଏହାକୁ କୃପାସିନ୍ଧୁ ବିରୋଧ କରିବାରୁ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଉଭୟ ପରିବାର ଗତକାଲି ରାତିରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ତେବେ ରାତିରେ କୃପାସିନ୍ଧୁ ଘରେ ଶୋଇଥିବା ବେଳେ ପୁଲିସ ତାଙ୍କୁ ଘରୁ ଥାନାକୁ ଉଠାଇ ଆଣିଥିଲା। ଏହା ଜାଣିବା ପରେ ତାଙ୍କ ପରିବାର ଏବଂ ବସ୍ତି ବାସିନ୍ଦା ଆଜି ଦିନ ୧୦ଟା ବେଳେ ଥାନାକୁ ଆସି ଘଟଣା ବିଷୟରେ ବୁଝିବାକୁ ଚାହିଁଥିଲେ। କିନ୍ତୁ ପୁଲିସ ଓଲଟା ସେମାନଙ୍କୁ ଗାଳିଗୁଲଜ କରି ଥାନାରୁ ବାହାର କରି ଦେଇଥିଲା। ଏହାର ପ୍ରତିବାଦରେ ଶତାଧିକ ବସ୍ତିବାସିନ୍ଦା ନୂଆପଲ୍ଲୀ ଥାନା ଘେରାଉ କରିଥିଲେ। ପୁଲିସ କୃପାସିନ୍ଧୁଙ୍କୁ ଛାଡିଲା ପରେ ଥାନା ଘେରାଉ ହଟିଥିଲା।

ଅନ୍ୟପକ୍ଷରେ ପଡ଼ୋଶୀ ସ୍ୱପ୍ନା ପ୍ରଧାନଙ୍କ କହିବା କଥା ଯେ ସେ ୭ ହଜାର ଟଙ୍କାରେ ସେହି ଜାଗା ସୁନିତାଙ୍କଠାରୁ କିଣିଥିଲେ। ସେ ଘର କରିବା ଆରମ୍ଭ କରିବାପରେ ସୁନିତା ଆଉ ଅଧିକ ୧୦ ହଜାର ଟଙ୍କା ମାଗିଥିଲେ। ସ୍ୱପ୍ନା ଟଙ୍କା ଦେବାକୁ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସୁନିତା ସାହିର କିଛି ମହିଳାଙ୍କୁ ଏକାଠି କରି ସ୍ୱପ୍ନା ତିଆରି କରିଥିବା ଘରକୁ ଭାଙ୍ଗି ଦେଇଥିଲେ। ଏନେଇ ସ୍ୱପ୍ନା ଗତ କାଲିରାତିରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ଦୁଇ ପରିବାରର ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର