ଭୁବନେଶ୍ବର: ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ଟିକେଟ୍ ବିକ୍ରିକୁ ନେଇ ଆଜି କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ଟିକେଟ୍ କିଣିବା ପାଇଁ ଶତାଧିକ ଲୋକ ରାତି ତମାମ୍ କାଉଣ୍ଟରରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ହେଁ ସକାଳେ କଳିଙ୍ଗ ଷ୍ଟାଡିୟମ କର୍ତ୍ତୃପକ୍ଷ ନୋଟିସ୍ ଲଗାଇଥିଲେ , ଏଠାରେ ଟିକେଟ୍ ମିଳିବ ନାହିଁ। କର୍ତ୍ତୃପକ୍ଷଙ୍କ ଏହି ଗୋଟିଏ ଧାଡ଼ି ଶତାଧିକ ରାତି ଅନିଦ୍ରା ଲୋକଙ୍କୁ ଉତ୍ତେଜିତ କରିବାକୁ ଯଥେଷ୍ଟ ଥିଲା। ଏହାପରେ ଉତ୍ତେଜିତ େଲାକ ବ୍ୟାପକ ଭଙ୍ଗାରୁଜା କରିବା ସହ ଷ୍ଟାଡିୟମ୍କୁ ଢେଲା ପଥର ଫିଙ୍ଗିଥିଲେ। ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲାଠି ଚାଳନା କରିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। କେତେକ ଗଣମାଧ୍ୟମରେ (ସମ୍ବାଦ ବ୍ୟତୀତ) ଖବର ପ୍ରକାଶ ପାଇଥିଲା ଯେ, ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ପାଇଁ ନଭେମ୍ବର ୧୫ରୁ ଟିକେଟ୍ ବିକ୍ରି ହେବ। ଉଦ୍ଘାଟନୀ ଉତ୍ସବରେ ଏଆର୍. ରେହମାନ୍ ଏବଂ ଶାହରୁଖ୍ ଖାଁଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବୁଧବାର ସଂଧ୍ୟାରୁ କଳିଙ୍ଗ ଷ୍ଟାଡିୟମ୍ର ଗେଟ୍ ନଂ ୯ ନିକଟସ୍ଥ ଟିକେଟ୍ କାଉଣ୍ଟ୍ର ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଥିଲେ। ଏପରିକି ଶୀତ କାକର ରାତିକୁ ଖାତିର ନକରି ଧାଡ଼ିରେ ଛିଡ଼ା ହୋଇଥିଲେ। ଏମିତିକି ଜଣେ ହାତଭାଙ୍ଗି ଯାଇଥିବା ମହିଳା ରାତି ୩ ଟାରୁ ଆସି ଲାଇନ୍ ଦେଇଥିଲେ। ଆଗୁଆ ଟିକେଟ୍ ପାଇବା ପାଇଁ ରାତିରେ ନିଜ ନିଜ ମଧ୍ୟରେ ସଂଘର୍ଷ କରିଥିବା ଲୋକମାନେ ସକାଳୁ ଯେତେବେଳେ ଜାଣିବାକୁ ପାଇଲେ ଟିକେଟ୍ ବିକ୍ରି ହେବନି ସେତେବେଳେ ଏକାଠି ହୋଇଯାଇଥିଲେ। କାହିଁକି ଟିକେଟ୍ ବିକ୍ରି ହେବନି, କେବେ ବିକ୍ରି ହେବ ବୋଲି କର୍ତ୍ତୃପକ୍ଷଙ୍କୁ ପଚାରିବାକୁ ଚାହିଁଥିଲେ ହେଁ କର୍ତ୍ତୃପକ୍ଷ ଧରାଛୁଆଁ ଦେଇନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଉତ୍ତେଜିତ ଲୋକ ଟିକେଟ୍ କାଉଣ୍ଟର ନିକଟରେ ଲାଗିଥିବା ବ୍ୟାରିକେଡ୍କୁ ଭଙ୍ଗାରୁଜା କରିବା ସହ ଷ୍ଟାଡିୟମ୍ ଭିତରକୁ ଢେଲା ପଥର ଫୋପାଡ଼ି ଥିଲେ। କିଛି ସମୟ ପାଇଁ ରାଜଭବନ – ଜୟଦେବ ବିହାର ରାସ୍ତା ଜାମ୍ ହୋଇଯାଇଥିଲା। ଏହାପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲେ ହେଁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ପୁଲିସ ପାଖରେ ଆବଶ୍ୟକୀୟ ଉତ୍ତର ନଥିଲା। ପୁଲିସ-ଲୋକ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ଏବଂ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନଷ୍ଟ ହେବାର ଆଶଙ୍କା ଥିବାରୁ ପୁଲିସ ମୃଦୁ ଲାଠି ଚାଳନା କରିଥିଲା। ଏଥିରେ କେତେକ ଲୋକ ଆହତ ହୋଇଥିଲେ। ଲାଠି ମାଡ଼ ପରେ ଉତ୍ତ୍ୟକ୍ତ ଲୋକ ଛତ୍ର ଭଙ୍ଗ ଦେଇଥିଲେ। ଟିକେଟ୍ ପାଇ ନଥିବା ଲୋକ ଅଭିଯୋଗ କରିଛନ୍ତି ଭାରତ ମ୍ୟାଚ୍ ଦିନର ଟିକେଟ୍ ଭଳି ଉଦ୍ଘାଟନୀ ମ୍ୟାଚର ଟିକେଟ୍ ବିକ୍ରିରେ ଘୋଟାଲା ହୋଇଛି। ନେତା, ମନ୍ତ୍ରୀ, ଉପରିସ୍ଥ ଅଧିକାରୀମାନେ ନିଜ ନିଜ ମଧ୍ୟରେ ଟିକେଟ୍ ବାଣ୍ଟି ନେଇଥିବାରୁ ଟିକେଟ୍ ବିକ୍ରି କରିନାହାନ୍ତି। ଏହାର ତଦନ୍ତ ହେଉ। ସର୍ବସାଧାରଣ ଲୋକ ଯେପରି ଅଧିକ ଟିକେଟ୍ ପାଇବେ ସେଥିପାଇଁ ବ୍ୟବସ୍ଥା କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ନଭେମ୍ବର ୨୭ତାରିଖରେ ହେବ। ଏହି କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।