ଖଣ୍ଡଗିରି: ଶନିବାର ରାତି ପ୍ରାୟ ୮ଟାବେଳେ ବରମୁଣ୍ଡା ପ୍ରଧାନସାହି ଗଣେଶ ପୂଜାମଣ୍ଡପ ନିକଟରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବରମୁଣ୍ଡା ଗାଁର ଜଗନ ରାଉତରାୟ ଓରଫ୍ ଗୁଡ଼ୁ(୨୦) ଓ ଭଡ଼ାରେ ରହୁଥିବା ସିଲୁ ପ୍ରଧାନ(୨୧)। ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଯାଞ୍ଚ କରୁଛି। ଗଣେଶ ପୂଜା ଚାନ୍ଦାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିିବାଦକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ କେହି କେହି ଏହା ପୂର୍ବ ଶତ୍ରୁତାର ପରିଣତି ବୋଲି କୁହାଯାଉଛି। ପୁଲିସ ଗଣ୍ଡଗୋଳର ପ୍ରକୃତ କାରଣ ବାବଦରେ ସୂଚନା ଦେଇପାରିନାହିଁ। ତେବେ ଚିହ୍ନଟ ହୋଇଥିବା କିଛି ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ସୂଚନା ମିଳିଛି।
ସୂଚନାନୁସାରେ ଆଜି ରାତି ପ୍ରାୟ ୮ଟାବେଳେ ଗୁଡ଼ୁ, ସିଲୁ ଓ ବିଜୟ ବରମୁଣ୍ଡା ଗାଁ ମୁଣ୍ଡ ପ୍ରଧାନସାହି ଗଣେଶ ପୂଜା ମଣ୍ଡପ ନିକଟରେ ବସିଥିଲେ। ଏହି ସମୟରେ ପ୍ରାୟ ୧୦/୧୨ଟି ବାଇକ୍ରେ ଥିବା ୨୦ରୁ ଅଧିକ ଯୁବକ ସେଠାରେ ପହଞ୍ଚିଥିଲେ। ସମସ୍ତେ ଖଣ୍ଡା ଭୁଜାଲି ଭଳି ମାରଣସ୍ତ୍ରରେ ସଜ୍ଜିତ ହୋଇଥିଲେ। କିଛି ଯୁବକ ବନ୍ଧୁକ ଧରିଥିବା କୁହାଯାଉଛି। ସେମାନେ ଅତର୍କିତ ଭାବେ ପ୍ରଥମେ ବିଜୟ ଓ ସିଲୁକୁ ମାଡ଼ ମାରିଥିଲେ। କାହିଁକି ବରମୁଣ୍ଡା ଗାଁ ପିଲାଙ୍କ ସହ ମିଶୁଛ ବୋଲି କହି ନିସ୍ତୁକ ମାଡ଼ ମାରିଥିଲେ। ବିକଳରେ ବିଜୟ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିବାବେଳେ ଗୁଡ଼ୁ ପ୍ରତିରୋଧ କରିବାକୁ ଯାଇ ସେମାନଙ୍କ ସହ ଲଢ଼ିଥିଲେ। ବିଜୟକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବାବେଳେ ଜଣେ ମହିଳା ପ୍ରତିରୋଧ କରିବାକୁ ଯାଇ ଗଣ୍ଡଗୋଳକାରୀମାନଙ୍କ ଦ୍ବାରା ଆହତ ହୋଇଥିଲେ। ଏହି ସମୟରେ କେହି ଜଣେ ଗୁଡ଼ୁ ଓ ସିଲୁକୁ ଛୁରାମାଡ଼ କରିଥିଲା। ଫଳରେ ଗୁଡ଼ୁଙ୍କ ପେଟରେ କ୍ଷତ ସୃଷ୍ଟି ହୋଇଥିଲା। ଲୁହା ରଡ୍ ମାଡ଼ରେ ସିଲୁ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସେମାନେ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗଣ୍ଡଗୋଳ ଖବର ପାଇ ବରମୁଣ୍ଡା ଗାଁ ଭିତରୁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାବେଳକୁ ଆକ୍ରମଣକାରୀମାନେ ଫେରାର୍ ହୋଇ ଯାଇଥିଲେ। ତୁରନ୍ତ ଗୁଡ଼ୁ ଓ ସିଲୁଙ୍କୁ ନେଇ ଗାଁ ଲୋକମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ।
ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଏହି ଗଣ୍ଡଗୋଳ ପଛରେ ଗଣେଶ ପୂଜା ଚାନ୍ଦା ହେଉଛି ବଡ଼ କାରଣ। ବସ୍ଷ୍ଟାଣ୍ଡ ଅଞ୍ଚଳରୁ ଚାନ୍ଦା ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ତେଣୁ ଗୋଟିଏ ଗୋଷ୍ଠୀକୁ ଦବାଇବାକୁ ଯାଇ ଅପର ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଜଣାପଡ଼ୁଛି। କିନ୍ତୁ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ପୂଜା ଚାନ୍ଦା ବାବଦରେ ପୁଲିସ ନିକଟରେ କେହି କେବେ ଅଭିଯୋଗ କରିନଥିବା ସେ କହିଛନ୍ତି। ସେହିଭଳି ବରମୁଣ୍ଡା ଓ ହାଉସିଂ ବୋର୍ଡ କଲୋନି ଯୁବକଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଛି ବୋଲି ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ତେବେ ସିସିଟିଭି ଫୁଟେଜ୍ରେ ଚିହ୍ନଟ ହୋଇଥିବା ଯୁବକମାନେ ହାଉସିଂବୋର୍ଡ କଲୋନିର ବୋଲି ସେ ଅନୁମାନ କରୁଥିବା କହିଛନ୍ତି।