ଭୋଇନଗରରେ ଗୋଷ୍ଠୀସଂଘର୍ଷ: ଉଭୟ ପକ୍ଷରୁ ୬ ଆହତ, ଦୁଇ ଗୁରୁତର

ଭୁବନେଶ୍ୱର: ପାଣି ନଳାକୁ କେନ୍ଦ୍ର କରି ସହିଦନଗର ଥାନା ଭୋଇନଗର ବେହେରା ସାହି ବସ୍ତିରେ ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ନେଇଛି। ଲୁହାରଡ୍‌ ଓ ଶାବଳରେ ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିଭଳି ଅନ୍ୟପକ୍ଷରୁ ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ, ସିଏଚ୍‌. ସୀମାଞ୍ଚଳ, ତାଙ୍କ ମା’ ସିଏଚ୍‌. ସୀତାମ୍ମା, ଭଣଜା ଏସ୍‌. ସନ୍ତୋଷ, ଭାଣିଜୀ ଏସ୍‌ ଦେବକୀ, ଅଲେଖ ପାଗଳ ଓ ପ୍ରକାଶ ପାଗଳ। ଆହତମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ରାତି ସାଢ଼େ ୮ଟା ବେଳେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି। ସହିଦନଗର ଥାନା ପଛପଟେ ଅଧଘଣ୍ଟାଏ କାଳ ଏଭଳି କାଣ୍ଡ ଚାଲିଥିଲେ ମଧ୍ୟ ପୁଲିସ ପହଞ୍ଚି ପାରିନଥିଲା।

ସୂଚନା‌ ମୁତାବକ, ସୀମାଞ୍ଚଳ ବେହେରା ସାହି ବସ୍ତିରେ ଦୀର୍ଘ ଦିନ ହେବ ଘର କରି ରହିଛନ୍ତି। ତାଙ୍କ ସହ ତାଙ୍କ ଭଉଣୀଙ୍କ ପରିବାର ମଧ୍ୟ ରହୁଛନ୍ତି। ପାଖରେ ଅଲେଖଙ୍କ ପରିବାର ଅନ୍ୟ ଜଣେ ଲୋକଙ୍କ ଘରେ ଭଡ଼ାସୂତ୍ରରେ ରହୁଛନ୍ତି। ଉଭୟଙ୍କ ପରିବାର ମଧ୍ୟରେ ଏକ ନଳାକୁ ନେଇ ବିବାଦ ରହିଛି। ଏହାକୁ କେନ୍ଦ୍ର କରି ନିକଟ ଅତୀତରେ ଉଭୟଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା। ସହିଦନଗର ଥାନା ହସ୍ତକ୍ଷେପ କରିବା ପରେ ଆପୋସ ସମାଧାନ ହୋଇଥିଲା। ଆଜି ରାତି‌ରେ ମଧ୍ୟ ନଳା ବୁଡ଼ି ପାଣି ଭାସୁଥିବାରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପରିବାର ପକ୍ଷରୁ ୨୦ରୁ ଊର୍ଦ୍ଧ୍ବ ଲୋକ ଏକାଠି ହୋଇ ମାର୍‌ପିଟ୍‌ ହୋଇଥିଲେ। ଶାବଳ, ଲୁହାଛଡ଼ ଯିଏ ଯାହା ପାରିଲା, ଧରି ପିଟିବାକୁ ଆରମ୍ଭ କରିଥିଲା। ସନ୍ତୋଷଙ୍କ ମୁଣ୍ଡରେ ଶାବଳ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ସୀତାମ୍ମାଙ୍କ ମୁଣ୍ଡ ଓ ହାତରେ ବାଜିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର