ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଜୋର୍ଦାର୍ ଆରମ୍ଭ ହୋଇଗଲାଣି। କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ବିବାଦ ଥମିବାର ନାଁ ଧରୁନି। ଟିକେଟ୍ରୁ ବଞ୍ଚିତ ହୋଇଥିବା ଅମୀୟ ଦାଶଙ୍କ ସମର୍ଥକମାନେ କୌଣସି ପରିସ୍ଥିତିରେ ଦଳୀୟ ପ୍ରାର୍ଥୀ ବାବୁ ସିଂହଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଆଜି ସେମାନେ ମେଳି ହୋଇ ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାକୁ ନେଇ ଏକାମ୍ର ବିଜେପି ଦୁଇ ଭାଗ ହୋଇଛି। ଫଳରେ ନିର୍ବାଚନୀ ପ୍ରସ୍ତୁତିରେ ବିଜେପି ବ୍ୟାକ୍ ଫୁଟ୍କୁ ଚାଲି ଯାଇଛି।
ଅମୀୟଙ୍କ ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟରେ ୩୬ଘଣ୍ଟା ତାଲା ପକାଇ ଧାରଣା ଦେଲା ପରେ ଗତକାଲି ମଧ୍ୟାହ୍ନରେ ଉଠି ଯାଇଥିଲେ। କିନ୍ତୁ ଏହା ପରେ ଅସନ୍ତୋଷ ଥମି ନ ଥିଲା। ଆଜି ଅମୀୟଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରେ ଶତାଧିକ ବିଜେପି କର୍ମୀ ଏକାଠି ହୋଇଥିଲେ। ଦୀର୍ଘ ସମୟ ଧରି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ପ୍ରାର୍ଥିତ୍ବ ସମ୍ପର୍କରେ ପୁନର୍ବିଚାର କରିବାକୁ ଦଳର ନେତୃତ୍ବଙ୍କୁ କୁହାଯିବାର ୨୪ଘଣ୍ଟା ବିତି ଯାଇଥିଲେ ବି ନିଷ୍ପତ୍ତି ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଯଦି ନିଷ୍ପତ୍ତିର ପୁନର୍ବିଚାର ନ ହୁଏ, ସମୂହ ଇସ୍ତଫା ଦେବାକୁ ବି ସେମାନେ କହିଥିଲେ। ଏହା ସହ ଦଳୀୟ ଟିକେଟ୍ ନ ମିଳିଲେ ଆସନ୍ତା ୨ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ସମର୍ଥକମାନେ ଚାପ ସୃଷ୍ଟି କରିଥିଲେ। କିନ୍ତୁ ଅମୀୟ କୌଣସି ନିଷ୍ପତ୍ତି ଶୁଣାଇ ନ ଥିଲେ। ପୁଣି ଆସନ୍ତାକାଲି କର୍ମୀମାନଙ୍କ ସହ ଆଲୋଚନା କରିବାର ଯୋଜନା କରାଯାଇଛି।
ଆଜି ଅମୀୟଙ୍କ ସମର୍ଥକମାନେ ସୋସିଆଲ୍ ମିଡିଆରେ ଅମୀୟଙ୍କ ପ୍ରାର୍ଥିପତ୍ର ଦାଖଲ ନେଇ ପ୍ରଚାର କରିଛନ୍ତି। ବିଜେପିରୁ ହେଉ କିମ୍ବା ସ୍ବାଧୀନ ଭାବେ ହେଉ, ୨ ତାରିଖରେ ଅମୀୟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କୁହାଯାଉଛି। ତେବେ ଅମୀୟ ଏ ନେଇ ଗଣମାଧ୍ୟମରେ କୌଣସି ମତାମତ ଦେଇ ନାହାନ୍ତି। ଅପରପକ୍ଷରେ ଅମୀୟ ଓ ତାଙ୍କ ଖାସ୍ ସମର୍ଥକମାନଙ୍କୁ ବୁଝାଇବା ପାଇଁ ବାବୁ ସିଂହଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଦଳର କିଛି ବରିଷ୍ଠ ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହି ଉଦ୍ୟମ ଏ ଯାଏ ବିଶେଷ ଫଳପ୍ରଦ ହୋଇନାହିଁ। ବାବୁ ସିଂହଙ୍କୁ ଟିକେଟ୍ ମିଳିଥିଲେ ବି ଏପରି ଛକାପଞ୍ଝା ଯୋଗୁଁ ଚାରି ଦିନ ହେଲାଣି ପ୍ରଚାର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିପାରୁନାହାନ୍ତି। ଆସନ୍ତାକାଲି ସେ ପ୍ରଚାର ଅଭିଯାନ ବିଧିବଦ୍ଧ ଭାବେ ଆରମ୍ଭ କରିବେ। ସୁନ୍ଦରପଦା ଅଞ୍ଚଳରେ ସମର୍ଥକମାନଙ୍କ ସହ ସେ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଦିନେ ଦୁଇ ଦିନ ଭିତରେ ବିଜେପିର ଆଭ୍ୟନ୍ତରୀଣ ବିବାଦର ସମାଧାନ ବାଟ ନ ବାହାରିଲେ, ଆଗାମୀ ଦିନରେ ଦଳ ପାଇଁ ଅଧିକ ଅଡ଼ୁଆ ସୃଷ୍ଟି ହେବ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।